ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜୀବନ ଧାରା ଲୋୟର୍ ସୁକ୍ତେଲ୍। ଦଶନ୍ଧି ଧରି ବାଦବିବାଦ, ଦାବି, ଆନ୍ଦୋଳନ ପରେ ଛିଡ଼ା ହୋଇଛି ଏହି ପ୍ରକଳ୍ପ। ଗତ ନିର୍ବାଚନ ପୂର୍ବରୁ ଜାନୁଆରି ମାସରେ ଏହି ପ୍ରକଳ୍ପକୁ ବହୁ ଆଡ଼ମ୍ବରରେ ଲୋକାର୍ପଣ କରାଗଲା। ମଞ୍ଚ ଉପରେ ପ୍ରକଳ୍ପର ଶ୍ରେୟକୁ ନେଇ ସବୁ ଦଳର ନେତା ତେର୍ଛା ବାଣ ଚଳାଇଥିଲେ। ନିର୍ବାଚନ ପୂର୍ବରୁ ଲୋୟର୍ ସୁକତେଲ୍କୁ ନେଇ ରାଜନୀତି ଚାଲିଲା। ଯାହା ନିର୍ବାଚନ ପରେ ବି ବଳବତ୍ତର ରହିଛି। ବିଧାନସଭା ଗୃହ ଭିତରେ ଏହି ପ୍ରକଳ୍ପକୁ ନେଇ ଶାସକ ଏବଂ ବିରୋଧୀ ମୁହାଁମୁହିଁ ହେବା ପରେ ଲୋୟର୍ ସୁକ୍ତେଲ୍ର ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ ନେଇ ତର୍କବିତର୍କ ଲାଗିରହିଛି। ଅନ୍ୟପକ୍ଷରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ କୋଟି କୋଟି ଟଙ୍କା ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ବିଭାଗ ପଞ୍ଝାରେ ପଡ଼ିବା ପରେ ଏହି ପ୍ରକଳ୍ପ ପୁଣି ଚର୍ଚ୍ଚାରେ ରହିଛି। ଏବେ ଲୋୟର୍ ସୁକ୍ତେଲ୍ ଉଭୟ ରାଜନୀତି ଏବଂ ଦୁର୍ନୀତିର ଶିରୋନାମାରେ ରହିଛି।
ଗତ ଜାନୁଆରି ମାସରେ ଏହି ପ୍ରକଳ୍ପର ଉଦ୍ଘାଟନ ହେଲା। ହେଲେ ପ୍ରକଳ୍ପ ଅଧପନ୍ତରିଆ ଥାଇ ଲୋକାର୍ପଣ ହୋଇଛି ବୋଲି ସେତେବେଳେ କଂଗ୍ରେସ ଏବଂ ବିଜେପି କଟାକ୍ଷ କରିଥିଲେ। ଯାହା ବିଧାନସଭା ଗୃହରେ ବି ପ୍ରତିଫଳିତ ହୋଇଛି। ତତ୍କାଳୀନ ବିଜେଡି ସରକାର ୨୦୨୪ ଖରିଫ୍ରେ ଆଂଶିକ ଏବଂ ୨୦୨୫ ଖରିଫ୍ରେ ଲୋୟର ସୁକ୍ତେଲ୍ ପ୍ରକଳ୍ପରୁ ଜଳସେଚନ ସୁବିଧା ଉପଲବ୍ଧ ହେବ ବୋଲି ଘୋଷଣା କରିଥିଲେ। କିନ୍ତୁ ନୂଆ ନଦୀବନ୍ଧର ପ୍ରୋଟୋକଲ୍ ଅନୁସାରେ ତିନିବର୍ଷ ପରେ ଅର୍ଥାତ୍ ୨୦୨୬-୨୭ ମସିହାରେ ହିଁ ଜଳଭଣ୍ଡାର ପୂର୍ଣ୍ଣଗର୍ଭା ହୋଇପାରିବ। ପ୍ରକଳ୍ପରୁ ୭୦ ହଜାର ଲୋକଙ୍କୁ ପିଇବା ପାଣି ଏବଂ ୪୦ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରହିଛି। କିନ୍ତୁ ପାଇପ୍ ବିଛାଇବା କାମ ସରିନଥିବାରୁ ଏଥର ଟ୍ରାଏଲ୍ ରନ୍ ବି ହୋଇନାହିଁ।
ପ୍ରକଳ୍ପ ଲୋକାର୍ପଣ ହୋଇସାରିଛି, କିନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇନାହିଁ। ରାଜ୍ୟ ରାଜନୀତିରେ ପଟ୍ଟ ପରିବର୍ତ୍ତନ ପରେ ଏହି ପ୍ରକଳ୍ପ ପୁଣି ଫୋକସ୍କୁ ଆସିଛି। ଅନ୍ୟପକ୍ଷରେ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭିଜିଲାନ୍ସ ହାବୁଡ଼ରେ ପଡ଼ିବା ପରେ ଲୋୟର୍ ସୁକ୍ତେଲ୍ରେ ଦୁର୍ନୀତିର ଛିଟା ଥିବା କହାଯାଉଛି। ପ୍ରକଳ୍ପରେ ଠିକା ସଂସ୍ଥା ନିୟୋଜନ, ବିସ୍ଥାପିତଙ୍କ ଥଇଥାନ ଏବଂ କ୍ଷତିପୂରଣ ରାଶିରେ ବଡ଼ଧରଣର ହେରଫେର ହୋଇଥିବା ଏବେ ଚର୍ଚ୍ଚା ଚାଲିଛି। ଏହି ପ୍ରକଳ୍ପ ସହ ଜଡ଼ିତ ଆହୁରି ଅଧିକାରୀଙ୍କ ଦୁର୍ନୀତିରେ ଲିପ୍ତ ଥିବା ଭିଜିଲାନ୍ସ ବିଭାଗ ସନ୍ଦେହ କରୁଛି। ଫଳରେ ଲୋୟର୍ ସୁକ୍ତେଲ୍ ପୁନର୍ବାର ରାଜ୍ୟରେ ଚର୍ଚ୍ଚିତ ପ୍ରସଂଗ ପାଲଟିଛି। କିନ୍ତୁ ଏସବୁ ଭିତରେ ଚାଷୀଙ୍କୁ କେବେ ପାଣି ମିଳିବ, ତାହା ମୁଖ୍ୟ ଆଲୋଚନାରେ ବିଷୟ।