ପୁଣି ତେଜିଲା ଲୋୟର ସୁକତେଲ ପ୍ରସଙ୍ଗ : ପ୍ରତିଶ୍ରୁତି ଦେଇଥିବା ନେତା କୁଆଡ଼େ ଗଲେ?
ମିଳିତ କ୍ରିୟାନୁଷ୍ଠାନ କମିଟିର ସାମ୍ବାଦିକ ସମ୍ମିଳନୀ, ବିଧାୟକ ଓ ଏକ୍ସନ କମିଟି ଉପରେ ବର୍ଷିଲେ ବିସ୍ଥାପିତ
ବଲାଙ୍ଗୀର : ‘ନିର୍ବାଚନ ଆସିଲେ ଆମ କଥା ମନେ ପଡ଼େ। ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ୨୦୧୪ରେ ଥରୁଟିଏ ଆଉ ୨୦୧୯ରେ ଆଉଥରେ ବୁଡ଼ି ଅଞ୍ଚଳ ଯାଇଥିଲେ। ୨୦୧୩ ବିସ୍ଥାପନ ନୀତି କାର୍ଯ୍ୟକାରୀ ନ ହେଲେ ଡ୍ୟାମ୍ ହେବନି ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏବେ କୁଆଡ଼େ ଗଲେ? ୨୦ ମାସ କାମ ବନ୍ଦ ପରେ ବି ତାଙ୍କର ଦେଖା ନାହିଁ। ଠିକ୍ ସେହିପରି ବଲାଙ୍ଗୀର ଏକ୍ସନ କମିଟି ମଧ୍ୟ ବିସ୍ଥାପିତଙ୍କ ଥଇଥାନ ନେଇ ବଡ଼ବଡ଼ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛି। ଦୀର୍ଘ ମାସ ହେଲା ପ୍ରଶାସନ ସହ କଥାବାର୍ତ୍ତା କରୁଛୁ। କିଛି ଲାଭ ନ ମିଳିବାରୁ ଏବେ ସମାଜସେବୀଙ୍କ ହାତ ଧରି ଆଗକୁ ଯାଉଛୁ’ ବୋଲି ଲୋୟର ସୁକତେଲ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୁଡ଼ି ଅଂଚଳବାସୀ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କମିଟିର ଆବାହକ ଲଳିତ ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆୟୋଜିତ ଏହି ସମ୍ମିଳନୀରେ ବୁଡ଼ି ଅଂଚଳର ବିଭିନ୍ନ ଗାଁର ବିସ୍ଥାପିତ, ପରଧିଆପାଲି ମହିଳା ମହାସଂଗଠନ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ। ବିସ୍ଥାପିତମାନେ ବଲାଙ୍ଗୀର ଏକ୍ସନ କମିଟି ବିଗତ ଦିନରେ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରି ନଥିବା କହିଥିଲେ। ତେଣୁ କମିଟିର କର୍ମକର୍ତ୍ତା ନିକଟରେ ପରଧିଆପାଲିକୁ ଯିବା ସମୟରେ ବିରୋଧ କରାଯାଇଥିବା ମହିଳା ମହାସଂଗଠନର ନେତ୍ରୀ ହେମାଙ୍ଗିନୀ ବାରିକ କହିଛନ୍ତି। ସେହିପରି ଉପେନ୍ଦ୍ର ସାହୁ, କଏଣ୍ଡାପାଲିର ବିରାଟ ପ୍ରଧାନ, କଙ୍କରା ଗାଁର ସୁବଲ ପୁଟେଲ, ଖୁଣ୍ଟପାଲିର ସୁଧିର ଖୁଆସଙ୍କ ସହ ଅନ୍ୟ ବିସ୍ଥାପିତମାନେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ମଧ୍ୟ ସେମାନଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି। ତେଣୁ କାହା ଉପରେ ଆଉ ଭରସା ନକରି ବିସ୍ଥାପିତମାନେ ସମାଜସେବୀ ଲଳିତ ନାୟକଙ୍କୁ ଭରସା କରି ତାଙ୍କ ନେତୃତ୍ୱରେ ନିଜେ ନିଜର ହକ ପାଇଁ ଲଢେଇ କରୁଥିବା କହିଛନ୍ତି। ହକ୍ ପାଇବା ପାଇଁ ପ୍ରଶାସନ ସହ ବୈଠକ ପରେ ବୈଠକ କରୁଥିବା ସମୟରେ ପୁଣି ବିଶ୍ୱାସଘାତକତା କରିଥିବା ବ୍ୟକ୍ତିମାନେ ବାଟ ଓଗାଳିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି।
ମିଳିତ କ୍ରିୟାନୁଷ୍ଠାନ କମିଟି ଆବାହକ ଶ୍ରୀ ନାୟକ କହିଛନ୍ତି, ବଲାଙ୍ଗୀରରୁ ରାଜନେତା ଯାଇ ୨୦୧୩ ଆଇନର ଭୂତ ବୁଡ଼ି ଅଂଚଳ ଲୋକଙ୍କ ମୁଣ୍ଡରେ ପୂରାଇଥିଲେ। ସେମାନେ ସବୁ ୨୦୧୩ ଆଇନରେ କ୍ଷତିପୂରଣ ନଦେଲେ କାମ ଆରମ୍ଭ କରିବାକୁ ଦେବୁ ନାହିଁ ବୋଲି ଜିଦରେ ଅଟଳ ରହିଥିଲେ। ବହୁ ବୁଝାସୁଝା ପରେ ବିସ୍ଥାପିତମାନେ ୨୦୧୩ ଆଇନ ବଦଳରେ ତାହାର ସମତୁଲ ରାଶି ଗ୍ରହଣ କରିବାକୁ ରାଜି ହୋଇଛନ୍ତି। ଏହାସହ ଥିବା କେତୋଟି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା ସରିଛି। ବିସ୍ଥାପିତଙ୍କ ୫ ଦଫା ଦାବି ନେଇ ଜିଲ୍ଲାପାଳ ତାଙ୍କ ସ୍ତରରେ ଉଦ୍ୟମ କରୁଛନ୍ତି। ଆରପିଡିଏସି ଖୁବ ଶୀଘ୍ର ହେବ ବୋଲି ଜିଲ୍ଲାପାଳ କହିଥିଲେ। ବିଳମ୍ବ ହେବାରୁ ଏବେ ଜିଲ୍ଲାପାଳଙ୍କୁ ପୁଣି ଥରେ କମିଟି ସାକ୍ଷାତ କରିଥିବା କହିଛନ୍ତି। କରୋନା ପାଇଁ ସଭାସମିତି ମନା ଥିବା କାରଣରୁ ଖୁବ ଶିଘ୍ର ତାହାର ଆଗାମୀ ବୈଠକ ହେବ ଓ ସମାଧାନର ପନ୍ଥା ବାହାରିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଆଲୋଚନାରେ ସମସ୍ୟା ସମାଧାନ କରି ଡ୍ୟାମ କାମ ଆରମ୍ଭ କରିବାକୁ ହେଉଥିବା ଉଦ୍ୟମ ସମୟରେ କେତେ ଜଣ ବାଟ ଓଗାଳୁଥିବା ସେ କହିବା ସହ ସେଥିରୁ କ୍ଷାନ୍ତ ରୁହନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ କମିଟିର କିଶୋର ମିଶ୍ର, ବିବେକାନନ୍ଦ ପଟେଲ, ସୁକାନ୍ତ ପରିଚ୍ଛା ପ୍ରମୁଖ ମଂଚାସୀନ ଥିବା ବେଳେ ବିଭିନ୍ନ ଗାଁରୁ ଆସିଥିବା ବିସ୍ଥାପିତ ଉପସ୍ଥିତ ଥିଲେ।