ବଲାଙ୍ଗୀର : ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ ପାଇଁ ସ୍ଥାନାନ୍ତରଣ ପ୍ରକ୍ରିୟା ଚାଲିଛି। ପ୍ରଶାସନ ପକ୍ଷରୁ ପରଧିଆପାଲି ଗାଁରୁ ଆରମ୍ଭ କରାଯାଇଥିବା ଏହି ପ୍ରକ୍ରିୟା ତୃତୀୟ ଦିନରେ ପହଞ୍ଚିଛି। ବିସ୍ଥାପିତମାନେ ନିଜ ଭିଟାମାଟି ଛାଡୁଛନ୍ତି। ପ୍ରାୟ ୨୦୦ ପରିବାର ଏଯାଏ ସ୍ଥାନାନ୍ତର ହେଲେଣି। ଅନ୍ୟପଟେ ଗୁରୁବାର କଏଣ୍ଡାପାଲି ଗାଁରେ ୧୦୦ ପରିବାର ଘର ଚିହ୍ନଟ କରାଯାଇଛି। ସେମାନଙ୍କୁ ମଧ୍ୟ ସ୍ଥାନାନ୍ତରଣ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।
ଯେଉଁମାନେ ଦ୍ୱିତୀୟ କିସ୍ତି ଟଙ୍କା ନେଇସାରିଲେଣି ସେମାନଙ୍କୁ ବର୍ତ୍ତମାନ ଗାଁରୁ ସ୍ଥାନାନ୍ତରଣ କରି ଘରକୁ ନିଜ ଅକ୍ତିଆରକୁ ନେଉଛି ପ୍ରଶାସନ। ଡୋଜର ଲଗାଇ ଘରଦ୍ୱାର ସବୁ ଭଙ୍ଗା ଚାଲିଛି। ଯେଉଁମାନଙ୍କ ପାଉଣା ରହିଯାଇଛି ସେମାନଙ୍କୁ ପର୍ଯ୍ୟାୟକ୍ରମେ ସମସ୍ୟା ସମାଧାନ କରାଯାଇ ସ୍ଥାନାନ୍ତରଣ କରାଯିବ ବୋଲି ସୂଚନା ମିଳିଛି। ପ୍ରତିଦିନ ଲୋୟର ସୁକତେଲ କାର୍ଯ୍ୟାଳୟ ଅଧିକାରୀ, ମାଜିଷ୍ଟ୍ରେଟ ଓ ପୁଲିସ ଉପସ୍ଥିତିରେ ଏହି ସ୍ଥାନାନ୍ତରଣ କାମ ଚାଲିଛି। ପରଧିଆପାଲି ଗାଁର ବହୁ ଘରଦ୍ୱାର ଭାଙ୍ଗିସାରିଲାଣି। ଯେଉଁମାନେ ଘର ସବୁ ପୂର୍ବରୁ ଥଇଥାନ କଲୋନିରେ ନିର୍ମାଣ କରିଛନ୍ତି ସେମାନେ ସେଠାକୁ ଯାଉଛନ୍ତି। ଆଉ ଯେଉଁମାନେ ଅନ୍ୟ ଗାଁରେ ଜମି ନେଇ ଘର କରିଛନ୍ତି ସେଠାକୁ ବି ଯାଉଛନ୍ତି। ପ୍ରଶାସନ ଗାଡ଼ି ଯୋଗାଇ ସମସ୍ତଙ୍କ ସାମଗ୍ରୀ ଓ ପରିବାର ସଦସ୍ୟଙ୍କୁ ଠିକଣା ସ୍ଥାନକୁ ପହଞ୍ଚାଉଛି।
ତଥାପି କିଛି କିଛି ସମସ୍ୟା ବିସ୍ଥାପିତମାନଙ୍କ ରହିଯାଇଥିବା ସେମାନେ ଅଭିଯୋଗ କରୁଛନ୍ତି। ସେସବୁର ସମାଧାନ କରାଯାଇ ତୁରନ୍ତ ସେମାନଙ୍କ ପାଉଣା ଦେବାକୁ ସେମାନେ ଦାବି କରୁଛନ୍ତି। ଅଧିକାରୀମାନେ ଆଗ୍ରାଧିକାର ଭିତ୍ତିରେ ସବୁ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।