ଏକକାଳୀନ କ୍ଷତିପୂରଣ ଦେବାକୁ ପ୍ରସ୍ତୁତ ପ୍ରଶାସନ,
ରାସ୍ତା କାମ କରାଇଦେବାକୁ ରାଜି ବିସ୍ଥାପିତ,
ପ୍ୟାକେଜ ମଂଜୁର ପରେ ଡ୍ୟାମ କାମ ହେବ: ଜିଲ୍ଲାପାଳ

Advertisment

ବଲାଙ୍ଗୀର : ବଲାଙ୍ଗୀରର ଜୀବନ ରେଖା ଲୋୟର ସୁକତେଲ। ବାରବାର ବାଧାବିଘ୍ନ ପରେ କାମ ଆରମ୍ଭ ହୋଇଥିଲା। ଲୋକେ ବୁଝିଥିଲେ। ସହଯୋଗ ବି କରୁଥିଲେ। ତେଣୁ ପାଖାପାଖି ୭୦ ପ୍ରତିଶତ କାମ ସରିଯାଇଛି। ହେଲେ ନିର୍ବାଚନ ପୂର୍ବରୁ ନେତାଙ୍କ ଅସମ୍ଭବ ପ୍ରତିଶ୍ରୁତିରେ ଚିହିଁକି ଗଲେ ଲୋକେ। ୨୦୧୩ ଆଇନ ଅନୁସାରେ କ୍ଷତିପୂରଣ ଦେବାକୁ ଆରମ୍ଭ ହେଲା ଆନ୍ଦୋଳନ। ବନ୍ଦ ହୋଇଗଲା କାମ। ପାଖାପାଖି ଅଢ଼େଇ ବର୍ଷ ହେବ ଆଇସିୟୁରେ ଲୋୟର ସୁକତେଲ। ଭୁବନେଶ୍ୱରରୁ ଉଚ୍ଚସ୍ତରୀୟ କମିଟି ଆସିବା ସତ୍ୱେ ହୋଇପାରୁନି କାମ। ହେଲେ ଏବେ ପୁଣି ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ। ଆଜି ପୂରା ଟିମ୍‌ ସହ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲେ ଜିଲ୍ଲାପାଳ। ଗାଁ ଦାଣ୍ଡରେ ବସି ଆଲୋଚନା କରିଥିଲେ। ବିସ୍ଥାପିତଙ୍କୁ ସିଧାସଳଖ ଜିଲ୍ଲାପାଳ କହିଥିଲେ, ତାଙ୍କ ପୂର୍ବରୁ କଣ ହୋଇଥିଲା ଅଲଗା କଥା। ସେ ଥିବା ସମୟରେ ସମସ୍ତେ ଟଙ୍କା ପାଇବେ, ଗାଁ ଛାଡ଼ିବେ। ଏକକାଳୀନ କ୍ଷତିପୂରଣ ଦାବି ରହିଛି, ତାହା ବି ଦେବାର ବ୍ୟବସ୍ଥା କରାଯିବ। ୨୦୧୩ ଆଇନ ଓ ଆସଗ୍ରେସିଆ ଭିତରେ କେତେ ଫରକ ତାହାକୁ ବି ଲୋକଙ୍କୁ ବୁଝାଇଥିଲେ। ଜିଲ୍ଲାପାଳଙ୍କ ବୁଝାଇବା ପରେ ବିସ୍ଥାପିତମାନେ ବି କିଛି କଥାକୁ ଶୁଣିଥିଲେ। ପ୍ରକଳ୍ପ ଯାଏ ଏବେ ରାସ୍ତା କାମ ଚାଲିବ। କ୍ଷତିପୂରଣ ଦେବା ପରେ ପ୍ରକଳ୍ପ କାମ ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିବା ପରେ ବିସ୍ଥାପିତ ରାସ୍ତା କାମ କରାଇଦେବାକୁ ହଁ କରିଛନ୍ତି। ଆଜି ପୂରା ଭିଜିଟକୁ ଦେଖିଲେ ଲାଗୁଛି ପୁଣି ଥରେ କାମ କରିବା ପାଇଁ ଲୋୟର ସୁକତେଲ ପ୍ରକଳ୍ପକୁ ଅକ୍ସିଜେନ ଦେଉଛି ଜିଲ୍ଲା ପ୍ରଶାସନ।

publive-image

ସକାଳୁ ଲୋୟର ସୁକତେଲ ବୁଡ଼ି ଅଂଚଳକୁ ଜିଲ୍ଲାପାଳ ଚଞ୍ଚଳ ରାଣା, ଏସପି କୁଶଲକର ନୀତିନ ଡାଗୁଡୁ, ଏସଡିପିଓ, ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ପିଡି ଆରଆର ଓ ଲୋୟର ସୁକତେଲ କାର୍ଯ୍ୟାଳୟର ଅନ୍ୟ ଅଧିକାରୀ ଯାଇଥିଲେ। ପ୍ରଥମେ ପରଧିଆପାଲି ଗାଁରେ ବୈଠକ କରିଥିଲେ। ପରେ କଏଣ୍ଡାପାଲି ଓ ଖୁଣ୍ଟପାଲି ଗାଁକୁ ଯାଇଥିଲେ। ପ୍ରତ୍ୟେକ ଗାଁରେ ହୋଇଥିଲା ଆଲୋଚନା ବୈଠକ। ବିସ୍ଥାପିତ ସମସ୍ୟା ଓ ଦାବି କହିଥିଲେ। ଜିଲ୍ଲାପାଳ ସବୁ ବୁଝିଥିଲେ। ଗାଁ ଲୋକ ତଥା ବିସ୍ଥାପିତମାନଙ୍କୁ ଜିଲ୍ଲାପାଳ ୨୦୧୩ ଆଇନରେ ଯେତେ କ୍ଷତିପୂରଣ ମିଳିବା କଥା ତାକୁ କେମିତି ଆସଗ୍ରେସିଆ ରାଶି ଆକାରରେ ସମତୁଳ କରାଯାଇପାରିବ ସେ ଦିଗରେ ସେ ଉଦ୍ୟମ କରିବେ ବୋଲି କହିଛନ୍ତି। ଏହାସହ ଲୋକଙ୍କ ଦାବି ମୁତାବକ ଏକକାଳୀନ କ୍ଷତିପୂରଣ ବି ଦିଆଯିବାର ବ୍ୟବସ୍ଥା କରାଯାଉଥିବା ସେ କହିଥିଲେ। ପ୍ରକଳ୍ପ ନିର୍ଦେଶକ ଆରଆର ଏହାରି ଭିତରେ ଯୋଗଦେଇଥିବା ସେ କହିଥିଲେ। ଗାଁଗୁଡ଼ିକରେ କ୍ୟାମ୍ପ କରାଯାଇ ଲୋକଙ୍କ ସମସ୍ୟା ସମାଧାନ କରାଯିବ। ଯାହା ସମସ୍ୟା ରହିଛି ତାକୁ ସମାଧାନ କରାଯିବ। ବିସ୍ଥାପିତମାନେ ଜିଲ୍ଲାପାଳଙ୍କ କଥା ଶୁଣିବା ପରେ ଆସଗ୍ରେସିଆ ରାଶିର ପ୍ୟାକେଜକୁ ନେଇ ହଁ କରିଛନ୍ତି। କିନ୍ତୁ କ୍ଷତିପୂରଣ ପ୍ରଥମେ ଦିଆଯାଉ ଓ ପ୍ରକଳ୍ପ କାମ ଆରମ୍ଭ କରାଯାଉ ବୋଲି ବିସ୍ଥାପିତମାନେ କହିଥିଲେ। ଜିଲ୍ଲାପାଳ ବର୍ତ୍ତମାନ ରାସ୍ତା ନିର୍ମାଣ କାମ ହେବ। ସରକାରଙ୍କଠାରୁ ପ୍ୟାକେଜ ସଂପର୍କରେ ସୂଚନା ଆସିଲେ କ୍ଷତିପୂରଣ ଦିଆଯିବ ଓ କାମ କରାଯିବ ବୋଲି କହିଥିଲେ। ମୋଟାମୋଟି ଆଜି ପ୍ରଶାସନ ଯେଉଁ ଗସ୍ତ କରିଥିଲା ତାହା କିଛିଟା ସଫଳ ହୋଇଛି। କିନ୍ତୁ ବିଗତ ଦିନଗୁଡ଼ିକରେ ପ୍ରଶାସନ ବହୁବାର ଆଲୋଚନା କରିଥିଲା। କିନ୍ତୁ ବିସ୍ଥାପିତ ଜିଦରେ ଅଟଳ ଥିଲେ। ପୂର୍ବରୁ ବି ପ୍ରଶାସନ ଏତେ ସଠିକ ଆକାରରେ ପ୍ରତିଶ୍ରୁତି ଦେଇନଥିଲା। ଆଜି କିନ୍ତୁ ପ୍ରଶାସନ ବିସ୍ଥାପିତଙ୍କୁ ଦେଇଥିବା ପ୍ରତିଶ୍ରୁତିରେ ବି କାମ ଆରମ୍ଭ ହେବା ଭଳି ବାସ୍ନା ରହିଥିଲା। ପୂର୍ବରୁ ଯେତେ ଥର ବି କାମ ଆରମ୍ଭ କରିବାକୁ ପ୍ରଶାସନ ଯାଇଛି କେବଳ ଷ୍ଟଣ୍ଟ ସୋ ଭଳି ହୋଇଥିଲା। ଏଥର ଗସ୍ତ ପ୍ରଶାସନର ସଫଳ ଆଗାମୀ ଦିନରେ ହେବ ନା ନାହିଁ ତାହା ସମୟ ହିଁ କହିବ। ପ୍ରକାଶ ଯେ, ବହୁ ବାଦବିବାଦ ପରେ ୨୦୧୩ ମସିହାରୁ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ଗତ ୨୦୧୮ ମସିହା ଜୁଲାଇ ମାସରୁ କାମ ବନ୍ଦ ହୋଇପଡ଼ିରହିଛି।