ନେତାଙ୍କ ବିବାଦରେ ସୁକତେଲ ଭାଗ୍ୟ ସିଲ୍‌!

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାର ଜୀବନରେଖା ଲୋୟର ସୁକତେଲ। କାରଣ ଏହି ପ୍ରକଳ୍ପ ହେଲେ ଜଳସେଚନ ହାର ବଢ଼ିବ। ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର କ୍ଷେତକୁ ପାଣି ମାଡ଼ିବ। କିନ୍ତୁ ପ୍ରକଳ୍ପର ଶିଳାନ୍ୟାସ ହେବାର ଦୁଇ ଦଶନ୍ଧି ପରେ ବି ଅନିଶ୍ଚିତତା ଘେରରେ ରହିଛି ଏହି ପ୍ରକଳ୍ପ। ଖୁବଶୀଘ୍ର କାମ ହେବ ବୋଲି କୁହାଯାଉଥିଲେ ବି କେତେଦୂର କାର୍ଯ୍ୟକାରୀ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।

ବଲାଙ୍ଗୀର ଜିଲ୍ଲାର ନେତୃତ୍ୱ ରାଜ୍ୟ ରାଜନୀତିରେ ଚର୍ଚ୍ଚିତ। ହେଭିୱେଟଙ୍କ ଭିତରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଗର୍ଜନରେ ବିଧାନସଭା ଉଠେ ପଡ଼େ। ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ପତ୍ନୀ ସଂଗୀତା କୁମାରୀ ସିଂହଦେଓ ବର୍ତ୍ତମାନ ଲୋକସଭା ସାଂସଦ ରହିଛନ୍ତି। କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ତାଙ୍କର ସିଧାସଳଖ ଯୋଗାଯୋଗ। ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗଉଦୟ ସିଂହଦେଓଙ୍କ ରାଜ୍ୟ ରାଜନୀତିରେ ଦବଦବା। ତାଙ୍କ ପୁଅ ପୂର୍ବତନ ସାଂସଦ କଳିକେଶ ସିଂହଦେଓ। ଆଉ ବର୍ତ୍ତମାନ ଟିଟିଲାଗଡ଼ ବିଧାୟିକା ଟୁକୁନୀ ସାହୁ ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ପାହ୍ୟାରେ ରହିଛନ୍ତି। କଂଗ୍ରେସର ବରିଷ୍ଠ ନେତା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ବି ରାଜ୍ୟ ରାଜନୀତିର ଜଣାଶୁଣା ଚେହେରା। ଆଉ ବି ଅନେକ ନେତାଙ୍କ ରାଜ୍ୟ ସ୍ତରରେ ଦବଦବା ରହିଆସିଛି। ଏତେ ନେତୃତ୍ୱ ଥିଲେ ବି ରାଜନୀତିର ପଶାପାଲିରେ ଲୋୟର ସୁକତେଲ ପ୍ରକଳ୍ପର ଭାଗ୍ୟଚକ୍ର ଠିକଠାକ ନାହିଁ। କାରଣ ନେତା ପ୍ରକଳ୍ପକୁ ନେଇ ଏକଜୁଟ ଏ ପର୍ଯ୍ୟନ୍ତ ହୋଇ ନାହାନ୍ତି। ସମସ୍ତେ ପ୍ରକଳ୍ପ ହେଉ କହୁଥିଲେ ବି ଯିଏ ଯାହା ଫୋରମରେ ଦାବି ଉପସ୍ଥାପନ ଓ ସମୀକ୍ଷାରେ ନିଜ ଦାୟିତ୍ୱ ସାରି ଦେଉଛନ୍ତି।

କିଛିଦିନ ତଳେ ପ୍ରକଳ୍ପ କାମ ଆରମ୍ଭ କରିବାକୁ ବିଧାୟକ ନରସିଂହ ମିଶ୍ର ଦାବିପତ୍ର ପ୍ରଦାନ କରିଥିଲେ। ଏହାପରେ ପରେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ବୁଡ଼ି ଅଂଚଳ ଲୋକଙ୍କ ସହ ଆଲୋଚନା କରିଥିଲେ। ପ୍ରକଳ୍ପରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ପୂର୍ବତନ ସାଂସଦ ଚିଠି ଲେଖିଥିଲେ। ଏବେ ପୁଣି ପ୍ରକଳ୍ପରେ ନେତାଙ୍କ ରାଜନୀତି ଆରମ୍ଭ ହୋଇଛି। ପ୍ରକଳ୍ପ ସପକ୍ଷରେ ଆନ୍ଦୋଳନ କରୁଥିବା ବଲାଙ୍ଗୀରର ସଂଗଠନ ଓ ବୁଡ଼ି ଅଂଚଳ ପକ୍ଷରୁ କାମ ବନ୍ଦ ରଖିଥିବା ସଂଗଠନ ନେତାଙ୍କ ପାଇଁ ଭାଗଭାଗ ହେଲେଣି। ଏହାରି ଭିତରେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଲୋୟର ସୁକତେଲ କାମ ଆରମ୍ଭ କରିବା ନେଇ ସ୍ଥିତି ପରଖି ଫେରିଛନ୍ତି। ଏଣୁ ନୂଆ ଆଶା ଲୋକଙ୍କ ମନରେ ରହିଛି। ହେଲେ ତାହା କେତେଦୂର ପୂରଣ ହେବ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ।

ସୂଚନାଯୋଗ୍ୟ ଯେ, ବହୁ ବାଦବିବାଦ ପରେ ୨୦୧୩ ମସିହାରୁ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ୨୦୧୮ ମସିହା ଜୁଲାଇ ମାସରୁ କାମ ବନ୍ଦ ହୋଇଗଲା। କାରଣ ଗତ ନିର୍ବାଚନ ପୂର୍ବରୁ ବୁଡ଼ି ଅଂଚଳରେ ୨୦୧୩ ଆଇନରେ କ୍ଷତିପୂରଣକୁ ନେଇ ବାଦବିବାଦ ଉଠିଥିଲା। ପ୍ରକଳ୍ପ ରାଜନୀତିର ପଶାପାଲିକୁ ଯିବା ପରେ ବିସ୍ଥାପିତମାନେ ୨୦୧୩ ଆଇନ ଅନୁସାରେ କ୍ଷତିପୂରଣ ନପାଇବା ଯାଏ କାମ କରାଇଦେବେନି ବୋଲି ଜିଦ୍‌ ଧରିଥିଲେ। ନିର୍ବାଚନ ସମୟରେ ରାଜନେତାମାନେ ପ୍ରକଳ୍ପରେ ମୁଣ୍ଡ ପୂରାଇଥିଲେ। କିଏ ୨୦୧୩ ଆଇନରେ କ୍ଷତିପୂରଣ ମଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ତ ଆଉ କେଉଁ ନେତା ଆଉ କିଛି ପ୍ରତିଶ୍ରୁତି ଦେଇଥିଲେ। ଫଳରେ ବିସ୍ଥାପିତମାନେ ନିଜ ହକ ଦାବି ନମିଳିବା ଯାଏ କାମ କୌଣସି ମତେ କରାଇଦେବେନି କହି କାମକୁ ବନ୍ଦ କରାଇଦେଲେ। କରୋନା ଲକ୍‌ଡାଉନ୍‌ ପୂର୍ବରୁ ଏକାଧିକ ବୈଠକ ପ୍ରଶାସନ ଡାକିଥିଲା। ବଲାଙ୍ଗୀରର ବିଭିନ୍ନ ସଂଗଠନ ସହ ବିସ୍ଥାପିତ ଗାଁର ଲୋକଙ୍କୁ ଡାକି ଆଲୋଚନା କରିଥିଲା। ପର୍ଯ୍ୟାୟକ୍ରମେ ଆଲୋଚନା ପରେ ରାସ୍ତା ଫିଟିବ ବୋଲି ଆଶା କରାଯାଇଥିଲା। ହେଲେ ତାହା ବି ହେଲାନି। ଏବେ କରୋନା କଟକଣା ସମୟରେ ପ୍ରକଳ୍ପର ୬୦୦ କୋଟି ଟଙ୍କା ଟ୍ରେଜେରିରେ ଜମା କରି ଦିଆଯାଇଛି। ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ବଦଳି ହୋଇଯାଇଛି। ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ବି କେହି ନାହାନ୍ତି। ସବୁ କିଛି ଷ୍ଟପ କରାଯାଇଛି। ଆଉ ଏପଟେ ନେତାଙ୍କ ବିବାଦ ପୁଣି ପ୍ରକଳ୍ପକୁ ନେଇ ଛିଡ଼ା ହେଲାଣି।

ସମ୍ବନ୍ଧିତ ଖବର