ସୁକତେଲ ପାଣିରେ ୧୫୦୦ କୋଟି! ବିସ୍ଥାପିତଙ୍କୁ ଦାୟୀ କଲେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ

ବଲାଙ୍ଗୀର : ପୁଣି ଥରେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ଲୋୟର ସୁକତେଲ ପ୍ରକଳ୍ପ। କାମ ଆରମ୍ଭ କରିବାକୁ ସବୁ କସରତ କରି ପ୍ରଶାସନ ବିଫଳ ହୋଇଛି। କାମ ଆରମ୍ଭ ହେବ ବୋଲି ଯାହା କିଛି ଆଶା ରହିଥିଲା ତାହା ବି ନିରାଶାରେ ପରିଣତ ହୋଇଛି। ଜିଲ୍ଲା ପ୍ରଶାସନ ଓ ଲୋୟର ସୁକତେଲ ଡିଭିଜନ ସଂପୂର୍ଣ୍ଣ ଭାବରେ ହାତ ଟେକି ଦେଇଛନ୍ତି। ଫଳରେ ନିର୍ମାଣକାରୀ ସଂସ୍ଥା ନିଜର ସବୁ ଯନ୍ତ୍ରପାତି ଅନ୍ୟତ୍ର ସ୍ଥାନାନ୍ତର କରୁଛି। ପ୍ରକଳ୍ପରେ ଏ ପର୍ଯ୍ୟନ୍ତ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ଏସବୁ ଟଙ୍କା ସୁକତେଲ ପାଣିରେ ଭାସିଗଲା ଭଳି ଅବସ୍ଥା ହୋଇଛି। ଏହାକୁ ନିଜେ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ପ୍ରଭାତ ରଂଜନ ରାଉତ ମଧ୍ୟ ସ୍ୱୀକାର କରିଛନ୍ତି।

ଇଂ ରାଉତ କହିଛନ୍ତି ଯେ, ଓସିସି ପକ୍ଷରୁ ନିର୍ମାଣ କାମ ଚାଲୁ ରହିଥିଲା। ବିରୋଧ ଯୋଗୁଁ କାମ ଦେଢ଼ ବର୍ଷ ହେଲା ହୋଇପାରୁ ନାହିଁ। କାମ ଆରମ୍ଭ କରିବାକୁ ପ୍ରୟାସ କରାଯାଇ ଆସିଥିଲା। ଗତ ବୁଧବାର ମଧ୍ୟ ଯାଇ କାମ କରିବାକୁ ଉଦ୍ୟମ ହୋଇଥିଲା। ପ୍ରତ୍ୟେକ ସପ୍ତାହରେ କାମ କରିବାକୁ ଗତ କିଛି ମାସ ହେଲା ପ୍ରୟାସ ଚାଲିଥିଲା। କିନ୍ତୁ ବିସ୍ଥାପିତମାନେ କାମ କରାଇ ଦେଉନାହାନ୍ତି। ଫଳରେ ଓସିସି ତାର ସବୁ ସାମଗ୍ରୀ ଅନ୍ୟ ପ୍ରକଳ୍ପ କାମ ପାଇଁ ଏଠାରୁ ନେଇଯାଉଛି। ଓସିସି କାମ କରୁଥିବା ବେଳେ ଏସ୍‌.ଏନ୍‌. ରାଜୁ କମ୍ପାନି ଶ୍ରମିକ ଯୋଗାଉଥିଲା। ସେ ବି ଆଉ ନାହିଁ। ଏବେ କାମ ବନ୍ଦ ରହିବ। ଯଦି କାମ ଆରମ୍ଭ ଆଗକୁ ହେବା ଭଳି ସ୍ଥିତି ଆସିବ ଓସିସି ପୁଣି ମେସିନ ଆଣି କାମ କରିବ ବୋଲି ସେ କହିଛନ୍ତି। ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ରାଉତ କାମ ବନ୍ଦ ପଛରେ ବିସ୍ଥାପିତମାନଙ୍କୁ ଦାୟୀ କରିଛନ୍ତି। ୧୫ ଗାଁରେ ଜମି ଅଧିଗ୍ରହଣ ସରିଛି। ହେଲେ ସେମାନେ ଘର ଛାଡୁ ନାହାନ୍ତି। ଟଙ୍କା ଦିଆଗଲେ ବି ବିସ୍ଥାପିତ ହଟୁ ନାହାନ୍ତି। ସେମାନଙ୍କ ପ୍ରତି ଅନୁକମ୍ପା ଦେଖାଯାଉଛି। ଏଣୁ କାମ ବନ୍ଦ ହୋଇ ରହିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲାରେ ଜଳସେଚନର ପରିମାଣ ବୃଦ୍ଧି କରିବା ପାଇଁ ଲୋୟର ସୁକତେଲ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। କିନ୍ତୁ ବିଭିନ୍ନ ସମସ୍ୟା ଯୋଗୁଁ କାମ ଆରମ୍ଭ ହୋଇପାରୁନଥିଲା। ବଲାଙ୍ଗୀର ଏକ୍ସନ କମିଟିର ଜୋରଦାର ଆନ୍ଦୋଳନ ପରେ ୨୦୧୩ ମସିହାରେ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ପ୍ରାୟ ଅଧା କାମ ସରିବା ପରେ ବିସ୍ଥାପିତ ଓ ପ୍ରଶାସନର ଟଣାଓଟାରା ଯୋଗୁଁ ପୁଣି ଥରେ ୨୦୧୮ ମସିହା ଜୁଲାଇ ମାସରୁ ପ୍ରକଳ୍ପ କାମ ବନ୍ଦ ରହିଛି। ସ୍ପିଲୱେ କାମ ୭୦ ପ୍ରତିଶତ ଓ ମାଟିବନ୍ଧ କାମ ମାତ୍ର ୪୩ ପ୍ରତିଶତ ସରିଛି। ଏହା ପରେ ଦେଢ଼ ବର୍ଷ ହେଲା କାମ ବନ୍ଦ ରହିଛି। ୨୦୧୩ ପଲିସିରେ କ୍ଷତିପୂରଣ ଦେବା ସହ କ୍ଷତିପୂରଣ ବଣ୍ଟନର ବିଭିନ୍ନ ପ୍ରସଙ୍ଗକୁ ନେଇ ବିସ୍ଥାପିତ କାମ ବନ୍ଦ କରି ରଖିଛନ୍ତି। ବିସ୍ଥାପିତ କାମ ବନ୍ଦ କରି ରଖିବା ପଛରେ ବି ରାଜନୈତିକ ଷଡ଼୍‌ଯନ୍ତ୍ର ରହିଥିବା ଅଭିଯୋଗ ହୁଏ। କାମ ବନ୍ଦ ପରେ ବହୁବାର ପ୍ରୟାସ ହୋଇଥିଲା। ପ୍ରକଳ୍ପର ସପକ୍ଷବାଦୀମାନେ ଯାଇ ବିସ୍ଥାପିତଙ୍କ ସହ ଆଲୋଚନା ବି କରିଥିଲେ। ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଥିଲା। ହେଲେ କାମ ଆରମ୍ଭ ହେବା ଭଳି ସ୍ଥିତି ଏ ପର୍ଯ୍ୟନ୍ତ ଆସିନି। ଯେଭଳି ଅବସ୍ଥା ହୋଇଛି କାମ ଆଉ ଏତେ ଶୀଘ୍ର ହେବା ଭଳି ସ୍ଥିତିରେ ନାହିଁ।

w୨୦୧୩ ମସିହାରେ ହଜାର ହଜାର ଲୋକଙ୍କ ବିରୋଧ ସତ୍ୱେ କାମ ଆରମ୍ଭ ହୋଇଥିଲା। ନଦୀ ବାଲିରେ ହେଉଥିଲା ଆନ୍ଦୋଳନ। ସେଭଳି ସମୟରେ ପୁଲିସ ଦମନଲୀଳାରେ କାମ କରାଯାଇଥିବା ବେଳେ ଏବେ କାହିଁକି ପ୍ରଶାସନ ନିରବ ତାହାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର