ବଲାଙ୍ଗୀର : ବଲାଙ୍ଗୀରର ଜୀବନରେଖା ଲୋୟର ସୁକତେଲ ପ୍ରକଳ୍ପ। ସୁକତେଲ ପ୍ରକଳ୍ପରେ ଅନେକ ଲୋକଙ୍କ ଜୀବନ ବିପନ୍ନ ହେବ। ବେଘର ହେବେ ୨୯ଟି ଗାଁର ଲୋକେ। ପ୍ରକଳ୍ପକୁ ବିରୋଧ କରୁଥିବା ଲୋକେ ଏବେ ସରକାରଙ୍କ ପାଖରେ ଗୋଟିଏ ଦାବି ରଖୁଛନ୍ତି- ‘ଉଚିତ କ୍ଷତିପୂରଣ ଓ ଥଇଥାନ ଦେଲେ ଗାଁ ଛାଡ଼ିବେ। ’ ହେଲେ, ବିସ୍ଥାପିତ ଲୋକଙ୍କ ଏତେ ସମର୍ଥନ ସତ୍ତ୍ୱେ ସେମାନଙ୍କୁ ଉଚିତ କ୍ଷତିପୂରଣ ଦେଇପାରୁନି ଓ ଥଇଥାନ କରିପାରୁନି ପ୍ରଶାସନ। ପୂର୍ବରୁ ଖୁବ୍ଶୀଘ୍ର ଲୋକଙ୍କୁ କ୍ଷତିପୂରଣ ମିଳିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ। ତାହା ସତ୍ତ୍ବେ ବି କାହିଁକି ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରୁଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗତ ଫେବ୍ରୁଆରି ମାସରୁ ବାଦବିବାଦ ପରେ ଡ୍ୟାମ୍ କାମ ଆରମ୍ଭ ହୋଇଥିଲା। ସେ ସମୟରେ ସ୍ପିଲୱେ କାମ ୭୩ ପ୍ରତିଶତ ଓ ମାଟି ବନ୍ଧ କାମ ୪୩ ପ୍ରତିଶତ ସରିଥିଲା। ଫେବ୍ରୁଆରିରୁ ଡିସେମ୍ବର ମାସ ଯାଏ ସ୍ପିଲୱେ କାମ ୭୯ ପ୍ରତିଶତ ହୋଇଥିବା ବେଳେ ମାଟିବନ୍ଧ କାମ ୪୫ ପ୍ରତିଶତ ସରିଛି। କାମକୁ ଦେଖିଲେ ଯେତେ ଆଗେଇବା କଥା, ସେତେଟା ଆଗେଇ ନାହିଁ। ଅନ୍ୟପଟେ ଫେବ୍ରୁଆରି ମାସରୁ ହିଁ ବିସ୍ଥାପନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଥିଲା। କ୍ଷତିପୂରଣ ଦେଇ ବିସ୍ଥାପିତମାନଙ୍କୁ ବିସ୍ଥାପନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୫ଟି ଗାଁର ଲୋକଙ୍କୁ ଫୋକସ୍ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। କାରଣ ସେମାନେ ପୂର୍ବରୁ ପୁରୁଣା ଜମିଅଧିଗ୍ରହଣ ଆଇନରେ ଆଂଶିକ କ୍ଷତିପୂରଣ ନେଇଥିଲେ। ଏଣୁ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରି କ୍ଷତିପୂରଣ ଓ ଥଇଥାନ ଟଙ୍କା ପ୍ରଦାନ କରିବା ଦିଗରେ ପ୍ରଶାସନ କାମ ଆରମ୍ଭ କରିଥିଲା। ମିଳିଥିବା ସୂଚନା ଅନୁସାରେ, ପରଧିଆପାଲି ଗାଁ ୯୦ ପ୍ରତିଶତ, କଏଣ୍ଡାପାଲି ୯୦ ପ୍ରତିଶତ , ଖୁଣ୍ଟପାଲି ୮୦ ପ୍ରତିଶତ, କୁଟେମସିଲେଟ ୮୦ ପ୍ରତିଶତ, ସାନତେଲେନପାଲି ୩୦ ପ୍ରତିଶତ, ପୋଢ଼ମୁଣ୍ଡ ୧୦ ପ୍ରତିଶତ ବିସ୍ଥାପିତଙ୍କୁ କ୍ଷତିପୂରଣ ଓ ଥଇଥାନ ଟଙ୍କା ସଂପୂର୍ଣ୍ଣ ପ୍ରଦାନ କରାଯାଇଛି। ହେଲେ ଅନ୍ୟ ଗାଁଗୁଡ଼ିକୁ କ୍ଷତିପୂରଣ ଓ ଥଇଥାନ ଟଙ୍କା ବଣ୍ଟନ ଏଯାଏ ହୋଇପାରିନି। ଏଭଳି ପରିସ୍ଥିତିରେ ଆଗକୁ ପୁଣି ପଂଚାୟତ ଓ ପୌର ନିର୍ବାଚନ ଆସୁଛି। ଅଧିକାରୀମାନେ ନିର୍ବାଚନରେ ବ୍ୟସ୍ତ ରହିବା ଥୟ। ସେହିପରି ପ୍ରକଳ୍ପରେ ଭୂତଳ କେନାଲ କରିବାକୁ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କ ନାଲିଫିତା ତଳେ ଚାପି ହୋଇ ରହିଛି। କେନାଲ କାମ ପାଇଁ ମଧ୍ୟ କୌଣସି କାଗଜପତ୍ର କାମ ଆଗେଇ ନାହିଁ। ଏଭଳି ସ୍ଥିତିରେ ପ୍ରକଳ୍ପ କାମ ବିଳମ୍ବ ହେବନି ତ? ଏହିଭଳି ଏକ ପ୍ରଶ୍ନ ଉଠିଛି।
ତେବେ, କ୍ଷତିପୂରଣ ଓ ଥଇଥାନ ପ୍ରସଙ୍ଗରେ ଲୋୟର ସୁକତେଲ ପୁନର୍ବାସ ଓ ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମହାପାତ୍ର କହିଛନ୍ତି, ବିସ୍ଥାପିତମାନଙ୍କୁ କ୍ଷତିପୂରଣ ବଣ୍ଟନ ପ୍ରକ୍ରିୟା ଚାଲୁ ରହିଛି। ସେମାନଙ୍କୁ କିଛି ସମୟ ଦିଆଯାଉଛି। ୫ଟି ଗାଁରେ ଟଙ୍କା ବଣ୍ଟନ ଚାଲିଛି। ନିଜେ ନିଜେ ଅନେକ ଘର ଛାଡୁଛନ୍ତି। ଆସନ୍ତା ସପ୍ତାହରୁ ଆଉ କିଛି ଗାଁରେ କ୍ଷତିପୂରଣ ଟଙ୍କା ବଣ୍ଟନ ହେବ ବୋଲି ସେ ସୂଚନା ଦେଇଛନ୍ତି। ମୋଟାମୋଟି ଲୋକଙ୍କୁ ଉଚିତ ଥଇଥାନ କରାଯାଉଛି ବୋଲି ସେ କହିଛନ୍ତି।