୨୦୨୨ ଜୁନ୍ ସୁଦ୍ଧା ଲୋୟର୍ ସୁକ୍‌ତେଲ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ

ଭୁବନେଶ୍ବର : ବଲାଙ୍ଗୀର ଜିଲ୍ଲାର ଦୁଇଟି ବହୁ ପ୍ରତୀକ୍ଷିତ ବୃହତ ଜଳସେଚନ ପ୍ରକଳ୍ପକୁ ଶେଷ କରିବା ପାଇଁ ସରକାର ସମୟସୀମା ଧାର୍ଯ୍ୟ କରିଛନ୍ତି। ଲୋୟର୍ ସୁକ୍‌ତେଲ ପ୍ରକଳ୍ପର କାମ ଆରମ୍ଭ ହୋଇ ନ ଥିଲେ ବି ୨୦୨୨ ଜୁନ୍ ମାସ ‌େଶଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ନିର୍ମାଣାଧୀନ ଲୋୟର୍ ଇନ୍ଦ୍ର ପ୍ରକଳ୍ପ ୨୦୨୦ ମାର୍ଚ୍ଚ ସୁଦ୍ଧା ସରିବ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି ସମୟସୀମା ସମ୍ପର୍କରେ ସୂଚନା ଦେଇଛନ୍ତି। ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି, ଲୋୟର୍ ଇନ୍ଦ୍ର ପ୍ରକଳ୍ପର ମୂଳ ଅଟକଳ ମୂଲ୍ୟ ଥିଲା ୨୧୧ କୋଟି ୭୦ ଲକ୍ଷ ଟଙ୍କା। ବର୍ତ୍ତମାନ ଏହାର ଅଟକଳ ମୂଲ୍ୟ ୧୬୫୩ କୋଟି ୬୪ ଲକ୍ଷ ଟଙ୍କାରେ ପହଞ୍ଚିଛି। ସେହିପରି ଲୋୟର୍‌ ସୁକ୍‌ତେଲ ପ୍ରକଳ୍ପର ମୂଳ ଅଟକଳ ମୂଲ୍ୟ ୨୧୭ କୋଟି ୧୩ ଲକ୍ଷ ଟଙ୍କା ଥିଲା ବେଳେ ବର୍ତ୍ତମାନ ତାହାର ଅଟକଳ ମୂଲ୍ୟ ୨୪୪୮ କୋଟି ୯ ଲକ୍ଷ ଟଙ୍କାରେ ପହଞ୍ଚିଛି।

ଲୋୟର୍ ଇନ୍ଦ୍ର ପ୍ରକଳ୍ପ ଦ୍ବାରା ଖରିଫରେ ୨୬ ହଜାର ୯୧୦ ହେକ୍ଟର ଓ ରବିରେ ୧୧ ହଜାର ୯୬୦ ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ସୃଷ୍ଟି କରାଯାଇପାରିବ। ସେହିପରି ଲୋୟର୍ ସୁକ୍‌ତେଲ ପ୍ରକଳ୍ପ ଦ୍ବାରା ଖରିଫରେ ୨୭ ହଜାର ୦୫୫ ହେକ୍ଟର ଓ ରବିରେ ୧୩ ହଜାର ୩୬୮ ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ସୃଷ୍ଟି କରାଯାଇପାରିବ ବୋଲି ମନ୍ତ୍ରୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର