ଲୋୟର ସୁକତେଲ ପାଇଁ ପୁଣି ପାଗ ଭିଡ଼ିଲେ : ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ, ୨୦୧୩ ଆଇନ ଓ ଏକ୍ସଗ୍ରାସିଆର ଫରକ କହିବ ପ୍ରଶାସନ

ବଲାଙ୍ଗୀର : ଲୋୟର ସୁକତେଲ ପ୍ରକଳ୍ପର କାମ ଦୀର୍ଘଦିନ ହେଲା ବନ୍ଦ ହୋଇ ପଡ଼ିରହିଛି। ନିର୍ବାଚନ ପୂର୍ବରୁ ବନ୍ଦ ହୋଇ ରହିଥିବା ଏହି ପ୍ରକଳ୍ପ କାମ ଆରମ୍ଭ କରିବାକୁ ପୁଣି ଥରେ ଉଦ୍ୟମ ଆରମ୍ଭ ହୋଇଛି। ଶୁକ୍ରବାର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ଅଧ୍ୟକ୍ଷତାରେ ବୈଠକ ବସି ପ୍ରକଳ୍ପ କାମ କିଭଳି ଶୀଘ୍ର ଆରମ୍ଭ ହେବ ସେ ନେଇ ଆଲୋଚନା ହୋଇଛି। ମିଳିତ ମଂଚ ଓ ବୁଡ଼ି ଅଂଚଳର ଯେଉଁ ଗ୍ରାମବାସୀ କାମକୁ ବନ୍ଦ କରାଇଛନ୍ତି ସେହି ଗାଁର ପ୍ରତିନିଧିଙ୍କୁ ଡାକି ଆଲୋଚନା ହୋଇଛି। ତେବେ ବୈଠକରେ ୨୦୧୩ ଆଇନ ଓ ଏକ୍ସଗ୍ରାସିଆରେ କଣ ଫରକ ରହିଛି ସେ ନେଇ ପୁଣି ୧୦ ଦିନ ପରେ ଆଉ ଏକ ବୈଠକରେ ଆଲୋଚନା କରାଯିବ ଓ କାମ ଆରମ୍ଭ ନେଇ ଉଦ୍ୟମ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

ସୂଚନାଯୋଗ୍ୟ ଯେ, ବୁଡ଼ି ଅଂଚଳବାସୀ ଗତ ଏକବର୍ଷ ହେଲା ପ୍ରକଳ୍ପର କାମ ବନ୍ଦ କରାଇଛନ୍ତି। ବିସ୍ଥାପିତ ହେବାକୁ ଥିବା ଲୋକେ ସେମାନଙ୍କୁ ଉଚିତ କ୍ଷତିପୂରଣ କିମ୍ବା ଥଇଥାନ କରାଯାଉ ନଥିବା ଅଭିଯୋଗ କରି କାମ ବନ୍ଦ କରିଛନ୍ତି। ଏପଟେ ପ୍ରକଳ୍ପ କାମ ବନ୍ଦ ହେବା ପରେ ବଲାଙ୍ଗୀର ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ବଲାଙ୍ଗୀରର ବିଭିନ୍ନ ସଂଗଠନ ମିଶି ମିଳିତ ମଂଚ ଗଠନ କରି କାମ ଆରମ୍ଭ କରିବାକୁ ବୁଡ଼ିଅଂଚଳ ଗସ୍ତ କରିଥିଲେ। ସେଠାରେ ବିସ୍ଥାପିତମାନଙ୍କ ସହ ଆଲୋଚନା କରିବା ପରେ ଜିଲ୍ଲାପାଳଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ନିର୍ବାଚନ ପରେ କାମ ଆରମ୍ଭ କରିବାକୁ ଉଦ୍ୟମ ହେବ ବୋଲି ଜିଲ୍ଲାପାଳ କହିଥିଲେ। ଏବେ ନିର୍ବାଚନ ସରିବା ପରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବୈଠକ ବସିଥିଲା। ବୈଠକରେ ପ୍ରକଳ୍ପର ମୁଖ୍ୟନିର୍ମାଣ ଯନ୍ତ୍ରୀ ଇଂ.ପ୍ରଭାତ ରଂଜନ ରାଉତ, ବଲାଙ୍ଗୀର ତହସିଲଦାର, ସମାଜସେବୀ ଲଳିତ କୁମାର ନାୟକ, ନାଗରିକ କମିଟିର ସଭାପତି ବିକ୍ରମାନନ୍ଦ ବହିଦାର, ସଂପାଦକ ବିଷ୍ଣୁପ୍ରସାଦ କେଡ଼ିଆ, ଡ. ଶ୍ରୀକର ମିଶ୍ର, ଆଇନଜୀବୀ ଭବାନୀଶଙ୍କର ଶତପଥୀ, ରତନ ମହାରଣା, ପ୍ରଭାକର ମିଶ୍ର, କିଶୋର ମୋହନ ମିଶ୍ର, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ବୁଡ଼ି ଅଞ୍ଚଳ ପରଧିଆପାଲିର ରବୀନ୍ଦ୍ର ଗଡ଼ତ୍ୟା, ଲଳିତ ଗଡ଼ତ୍ୟା, ଶ୍ରୀବତ୍ସ ସାହୁ, ବିନୋଦ ସାହୁ, ଗୁଣ ପଧାନ, ପକ୍ଷୀରାଜ ବାରିକ, ସଞ୍ଜୟ ଗଡ଼ତ୍ୟା, ମଣ୍ଟୁ ଅଦାବରିଆ, ସୁରଞ୍ଚି ମହାନନ୍ଦ, କଇଣ୍ଡାପାଲିର ବିଶ୍ୱାମିତ୍ର ପଧାନ, ଖୁଣ୍ଟପାଲିର ଉମାକାନ୍ତ ଖୁଆସ, ସୁଧୀର ଖୁଆସ, ମହେନ୍ଦ୍ର ଖୁଆସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବଲାଙ୍ଗୀରର ବୁଦ୍ଧିଜୀବୀମାନେ ବୁଡ଼ି ଅଞ୍ଚଳବାସୀ କାମ ବନ୍ଦ ନ କରି କାମ ଆରମ୍ଭ କରିବାକୁ ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ। କିନ୍ତୁ ବିସ୍ଥାପିତ ହେବାକୁ ଥିବା ଲୋକେ ଆଗ ସମସ୍ତଙ୍କୁ ୨୦୧୩ ଆଇନରେ କ୍ଷତିପୂରଣ ଦିଆଯାଉ ଓ ପରେ କାମ କରିବାକୁ ଦିଆଯିବ ବୋଲି ଜିଦ୍‌ ଧରିଥିଲେ।

ବୁଡ଼ିଅଂଚଳରୁ ଆସିଥିବା ଲୋକ କହିଥିଲେ, ନୂତନ ଜମି ଅଧିଗ୍ରହଣ ଆଇନରେ ବିସ୍ଥାପିତଙ୍କୁ ବହୁତ ଟଙ୍କା ମିଳୁଥିବା ବେଳେ ପୂର୍ବରୁ କ୍ଷତିପୂରଣ ନେଇଥିବା ଲୋକ କ୍ଷତିରେ ରହୁଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ପ୍ରକଳ୍ପର ସମସ୍ତ ବିସ୍ଥାପିତଙ୍କୁ ସମାନ ଆଇନରେ ସମାନ କ୍ଷତିପୂରଣ ମିଳିବା କଥା। କିନ୍ତୁ ଗୋଟିଏ ଗାଁରେ ଦୁଇରୁ ତିନିଟି ଆଇନରେ କ୍ଷତିପୂରଣ ଦିଆଯାଉଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ତେବେ ପୂର୍ବରୁ କ୍ଷତିପୂରଣ ଗ୍ରହଣ କରିଥିବା ଲୋକଙ୍କୁ ଏକ୍ସଗ୍ରାସିଆ ଆକାରରେ ଅଧିକ କ୍ଷତିପୂରଣ ଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି। ତେଣୁ ସେହି ଏକ୍ସଗ୍ରାସିଆ କେତେ ଟଙ୍କା ମିଳିବ ଓ ୨୦୧୩ ଆଇନ ହେଲେ କେତେ ଟଙ୍କା ମିଳିବ ସେନେଇ ଆସନ୍ତା ୧୦ଦିନ ମଧ୍ୟରେ ଆକଳନ କରି ରିପୋର୍ଟ ଦେବାକୁ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ ଆସନ୍ତା ୧୮ ତାରିଖରେ ପୁଣି ଏକ ବୈଠକ ବସିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୩ ମସିହାରେ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ପ୍ରବଳ ବିରୋଧ ସତ୍ୱେ କାମ ଚାଲିଥିଲା। ଯେଉଁ ଗ୍ରାମବାସୀ ସେହି ସମୟରେ ପ୍ରକଳ୍ପ କାମକୁ ସମର୍ଥନ ଜଣାଇଥିଲେ ସେମାନେ ଏବେ ବିରୋଧ କରୁଛନ୍ତି। ୨୦୧୩ ଜମି ଅଧିଗ୍ରହଣ ଆଇନ ନେଇ ବହୁ ଆନ୍ଦୋଳନ ମଧ୍ୟ ହେଲାଣି। ପରେ ରାଜ୍ୟ ସରକାର ଏକ୍ସଗ୍ରାସିଆ ଘୋଷଣା କରିଥିଲେ। କିଛି ପରିବାର ଏକ୍ସଗ୍ରାସିଆ ନେଇ ଗାଁ ମଧ୍ୟ ଛାଡ଼ିଛନ୍ତି। ହେଲେ ଏବେ ଅନେକ ପରିବାର ସିଧା ୨୦୧୩ ଆଇନରେ ହିଁ କ୍ଷତିପୂରଣ ଦେବାକୁ ଦାବି କରି କାମ ବନ୍ଦ କରାଇଛନ୍ତି। ତେବେ ୨୦୧୩ ଆଇନ ଓ ଏକ୍ସଗ୍ରାସିଆରେ ବେଶି ଫରକ ନାହିଁ ବୋଲି ପ୍ରଶାସନ କହୁଛି। ଆସନ୍ତା ୧୦ ଦିନ ପରେ ହେବାକୁ ଥିବା ବୈଠକରେ ହିଁ ଜଣାପଡ଼ିବ ପ୍ରକଳ୍ପ କାମ ପୁଣି ଆରମ୍ଭ ହେବ ନା ଝୁଲି ରହିବ।

ସମ୍ବନ୍ଧିତ ଖବର