ବଲାଙ୍ଗୀର: ବାହାର ଲୋକ କହୁଛନ୍ତି ଲୋୟର ସୁକତେଲ ବଲାଙ୍ଗୀର ଜିଲ୍ଲାର ଜୀବନରେଖା। ଆଉ ଏହି ଜୀବନରେଖା ପାଇଁ ବଳି ପଡ଼ିଥିବା ବିସ୍ଥାପିତ ଭାଗ୍ୟକୁ ସୁମରି କାନ୍ଦୁଛନ୍ତି। ବାପ-ଅଜା ଅମଳର ଭିଟାମାଟିକୁ ଛାଡ଼ି କାନ୍ଦି କାନ୍ଦି ଅନ୍ୟତ୍ର ଚାଲି ଯାଉଥିବା ସମୟର କୋହଭରା ଦୃଶ୍ୟ ଯେକୌଣସି ବ୍ୟକ୍ତିର ହୃଦୟକୁ ତରଳାଇ ଦେବା ସ୍ବା‌ଭାବିକ। ଯେଉଁ ମାଟିରେ ଶୈଶବରୁ ପରିଣତ ବୟସ ଯାଏ ବିତିଛି। ଯେଉଁ ଗାଁ ସୁଖ ଦୁଃଖର ସାକ୍ଷୀ ହୋଇ ରହିଥିଲା। ସେଇ ଗାଁ ମାଟିକୁ ସବୁଦିନ ପାଇଁ ହରାଇ ଅନ୍ୟତ୍ର ଜୀବନଯାପନ କରିବା ଦୁଃଖଦାୟକ ହେଲେ ମଧ୍ୟ ସାମୂହ ସ୍ବାର୍ଥ ପାଇଁ ଏହି ତ୍ୟାଗକୁ ଆଜି ସ୍ବୀକାର କରିଛନ୍ତି ଲୋୟର ସୁକତେଲ ବୁଡ଼ି ଅଞ୍ଚଳର ହଜାର ହଜାର ବାସିନ୍ଦା। ଆଉ କିଛିଦିନ ପରେ ଗାଁରେ ଥିବା ଷଠିଘର, ତୁଳସୀ ଚଉଁରା, ଗ୍ରାମ୍ୟଦେବତୀ, ଗାଁ ମନ୍ଦିର, ଶହ ଶହ ବର୍ଷର ସ୍ମୃତି ଅତଳ ଜଳରାଶିରେ ଲୀନ ହୋଇଯିବ। ଏହି ବେଦନା ସହ୍ୟ କରି କୋହ ଚାପି ରହୁଥିବା ବେଳେ ଘର ମୁହଁରେ ଡୋଜର୍‌ ଘର ଭାଙ୍ଗିବା ପାଇଁ ଠିଆ ହେଲାଣି। ଘରେ ଥିବା ରୋଗଣା ବାପା-ମା’, ଛୋଟ ପିଲାଛୁଆ ଘରକରଣା ସାମଗ୍ରୀ ନେଇ ଅସହାୟ ଅଞ୍ଚଳବାସୀ ଏବେ ଥଇଥାନ କେନ୍ଦ୍ରମୁହାଁ ହୋଇଛନ୍ତି।

Advertisment

ବିସ୍ଥାପନକୁ ବିରୋଧ କରି ଆନ୍ଦୋଳନର ନେତୃତ୍ବ ନେଇଥିବା ଗଡ଼ଶଙ୍କର ଡୁଙ୍ଗୁରିପାଲି ଗ୍ରାମର ୭୫୦ ପରିବାରର ସବୁ ଘର ଏବେ ବୁଲଡୋଜର ଶୁଣ୍ଢରେ ମାଟିରେ ମିଶି ଯାଇଛି। ଅସହାୟ ବିସ୍ଥାପିତ ଏବେ ଝାଙ୍କରପାଲି ଥଇଥାନ କେନ୍ଦ୍ରରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛନ୍ତି। ଗାଁ ଭାଙ୍ଗି ଗୁଣ୍ଡ ହୋଇଯିବା ପରେ ଗ୍ରମାବାସୀ ତାଙ୍କ ଆରାଧ୍ୟ ଦେବତୀ ଓ ଦେବତାମାନଙ୍କୁ ମଧ୍ୟ ନେଇ ଥଇଥାନ କେନ୍ଦ୍ରକୁ ଯାଇଛନ୍ତି। ଗାଁରେ ଥିବା ମନ୍ଦିରରୁ ଜଗନ୍ନାଥଙ୍କୁ ବାହାର କରି ଗ୍ରମାବାସୀ ଶନିବାର ଥଇଥାନ କଲୋନିକୁ ନେଇଥିଲେ। କେଉଁ କାଳରୁ ମନ୍ଦିର ମଧ୍ୟରେ ପୂଜା ପାଉଥିବା ପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ସବୁଦିନ ପାଇଁ ସେହି ଗାଁ ମନ୍ଦିରରୁ ବିସ୍ଥାପିତ ହେବାକୁ ପଡ଼ିଥିବାରୁ ଗ୍ରାମବାସୀ କୋହ ସମ୍ଭାଳି ପାରିନଥିଲେ। ଗାଁରେ ଥିବା ଲୋକଙ୍କ ମଧ୍ୟରେ କାନ୍ଦବୋବାଳି ପଡ଼ିଯାଇଥିଲା। ମନ୍ଦିର ପୂଜକ ରାମପ୍ରସାଦ ଚାନ୍ଦ ମନ୍ଦିର ମଧ୍ୟରେ ଶେଷଥର ପାଇଁ ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ପରେ ଲୋତକଭରା ନୟନରେ ଠାକୁରଙ୍କୁ ମନ୍ଦିରରୁ ବାହାର କରିଥିଲେ। ପୂର୍ବରୁ ପ୍ରସ୍ତୁତ ଥିବା ଏକ ସୁସଜ୍ଜିତ ଗାଡ଼ି‌ରେ ଘଣ୍ଟ ଶଙ୍ଖ, କୀର୍ତ୍ତନ ମଧ୍ୟରେ ଜଗନ୍ନାଥଙ୍କୁ ଥଇଥାନ କେନ୍ଦ୍ରରେ ଏକ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ପ୍ରତିଷ୍ଠା କରାଯାଇଥିଲା। ମନ୍ଦିରରୁ ବାହାରି ଠାକୁର ‌ଏବେ ବିସ୍ଥାପିତଙ୍କ ସହିତ ଥଇଥାନ କଲୋନିର ଅସ୍ଥାୟୀ ଟିଣଘରେ ଆଶ୍ରୟ ନେଇଛନ୍ତି।