ଅଂଜନ ପ୍ରଧାନ 

Advertisment

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜୀବନଧାରା ଲୋୟର ସୁକତେଲ୍‌ ସବୁବେଳେ ଚର୍ଚ୍ଚାରେ ରହିଛି। ନିର୍ବାଚନ ପୂର୍ବରୁ ଏହି ପ୍ରକଳ୍ପ ରାଜନୈତିକ ଏଜେଣ୍ଡା ପାଲଟିଥିଲା। ନିର୍ବାଚନ ସରିଥିଲେ ହେଁ ଲୋୟର୍‌ ସୁକ୍‌ତେଲ୍‌ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତର୍କବିତର୍କର କେନ୍ଦ୍ରବିନ୍ଦୁ ସାଜିଛି। ପ୍ରଥମତଃ ପ୍ରକଳ୍ପ ଲୋକାର୍ପଣ ହୋଇଥିଲେ ହେଁ ଚାଷୀ ଜଳସେଚନ ପାଇଁ ପାଣି ପାଇନାହାନ୍ତି। ୨୦୨୪ ଖରିଫ ବେଳକୁ ଜଳଭଣ୍ଡାରରୁ ପାଖାପାଖି ୫୦ହଜାର ଏକର ଜମିକୁ ପାଣି ମାଡ଼ିବ ବୋଲି ତତ୍କାଳୀନ ବିଜେଡି ସରକାର ଘୋଷଣା କରିଥିଲେ। କିନ୍ତୁ ପ୍ରୋଟୋକଲ୍‌ ଦେଖିଲେ ୨୦୨୬ ବେଳକୁ ହିଁ ଜଳଭଣ୍ଡାରରୁ ଜଳସେଚନ ସୁବିଧା ମିଳିବ। ଯାହା ବିଧାନସଭାରେ ଉଭୟ ଶାସକ ଏବଂ ବିରୋଧୀ ଦଳର ତର୍କବିତର୍କ ବେଳେ ସାମନାକୁ ଆସିଛି। ଅନ୍ୟପକ୍ଷରେ ଜଳଯୋଗାଣ ହେଲେ ତଳମୁଣ୍ଡକୁ ପର୍ଯ୍ୟାପ୍ତ ପାଣି ପହଞ୍ଚିବ ନା ନାହିଁ, ତାକୁ ନେଇ ଆଶଙ୍କା ଲାଗି ରହିଛି। ଅନ୍ୟପକ୍ଷରେ ଠିକ୍‌ ହିସାବରେ କ୍ଷତିପୂରଣ ମିଳିନଥିବା ବହୁ ବିସ୍ଥାପିତ ଅଭିଯୋଗ କରିଛନ୍ତି।

କିଏ ଜଳଭଣ୍ଡାର ପାଇଁ ହରାଇଥିବା ଗଛର ଟଙ୍କା ପାଇନାହିଁ, ତ କିଏ ନିୟମାନୁସାରେ କମ୍‌ ଟଙ୍କା ପାଇଛି। ସରକାରୀ ରିପୋର୍ଟ ମୁତାବକ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ବଲାଙ୍ଗୀର ସଦର ବ୍ଲକ୍‌ର ୧୭ଟି ଗ୍ରାମରୁ ୩୫୩୫ ଜଣ ଏବଂ ଲୋଇସିଂହା ବ୍ଲକ୍‌ର ୧୧ଟି ଗ୍ରାମରୁ ୩୧୮୪ଜଣ ବିସ୍ଥାପିତ ହୋଇଛନ୍ତି। ସର୍ବମୋଟ ୨୯ଖଣ୍ଡ ଗ୍ରାମର ମୋଟ ୫୩୩୯ ରୟତି ଖାତାଦାରଙ୍କ ୯୮୫୦.୫୬ ଏକର ଜମି ଅଧିଗ୍ରହଣ କରାଯାଇଛି। ୬୭୧୯ଟି ବିସ୍ଥାପିତ ପରିବାରଙ୍କୁ ଥଇଥାନ କରାଯାଇଛି। ମୃତ୍ୟୁ ଓ ଅନ୍ୟାନ୍ୟ କାରଣ ହେତୁ ୨୫୩ଜଣଙ୍କ ସହାୟତାକୁ ନାମଞ୍ଜୁର କରାଯାଇଛି। ୨୪୦  ବିସ୍ଥାପିତ ପରିବାରଙ୍କୁ ବାରମ୍ବାର ନୋଟିସ ପରେ ବି ଥଇଥାନ ସହାୟତା ରାଶି ସେମାନେ ଗ୍ରହଣ କରୁନାହାନ୍ତି। ୨୫୫ ଭୂମିହୀନ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇଛି। ୧୩ ଭୂମିହୀନ ପରିବାର ବାରମ୍ବାର ନୋଟିସ ସତ୍ତ୍ବେ ସହାୟତା ରାଶି ଗ୍ରହଣ କରିନାହାନ୍ତି। ସେହିପରି ଭୂମିହରା ପ୍ରଜାଙ୍କ ମଧ୍ୟରୁ ୧୧୨୪ ଖାତାଦାର ତାଙ୍କ କ୍ଷତିପୂରଣ ରାଶି ଗ୍ରହଣ କରିନାହାନ୍ତି। ଖାତାଦାର ପ୍ରଜାଙ୍କ ଅଂଶୀଦାରମାନଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇପାରୁନଥିବାରୁ ତଥା ଅଦାଲତରେ ମାମଲା ଚାଲୁଥିବାରୁ ସହାୟତା ରାଶି ପ୍ରଦାନ କରାଯାଇ ପାରୁନାହିଁ ବୋଲି କୁହାଯାଉଛି। ଏପଟେ କ୍ଷତିପୂରଣ ଗ୍ରହଣ କରୁନଥିବା ବିସ୍ଥାପିତଙ୍କ ଅଭିଯୋଗ ହେଲା, ସେମାନଙ୍କ ଜମିର ଅନୁପାତ ଏବଂ ମାନ ଅନୁସାରେ କ୍ଷତିପୂରଣ ରାଶି ଧାର୍ଯ୍ୟ କରାଯାଇନାହିଁ। ଜମିର କିସମ ଅନୁସାରେ କ୍ଷତିପୂରଣ ରାଶି ସ୍ଥିର ହେବା ବଦଳରେ ମନଇଚ୍ଛା ଆକଳନ କରି କ୍ଷତିପୂରଣ ରାଶି ଧାର୍ଯ୍ୟ କରାଯାଇଛି। ଏଭଳି ବାଦବିବାଦ ଏବଂ ଆଇନଗତ କସରତ ଭିତରେ ବହୁ ବିସ୍ଥାପିତଙ୍କୁ କ୍ଷତିପୂରଣ ରାଶି ମିଳିନାହିଁ। ଯାହା ଆଗାମୀ ଦିନରେ ବି‌ସ୍ଫୋରକ ରୂପ ନେବା ଆଶଙ୍କା ରହିଛି।