୫୦୯ ଶିକ୍ଷା ସହାୟକଙ୍କୁ ଛଟେଇ

ପ୍ରତିବାଦରେ ଲୋୟର ପିଏମ୍‌ଜିରେ ଗଣଧାରଣା

ଭୁବନେଶ୍ୱର : ୨୦୦୩-୦୪ରେ ନିଯୁକ୍ତି ପାଇଥିବା ଶିକ୍ଷା ସହାୟକଙ୍କ ଚାକିରି ନିୟମିତ କରିବା ଏବଂ ଛଟେଇ ପାଇଁ ଦିଆଯାଇଥିବା ନୋଟିସ୍‌କୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ୨୦୦୩-୦୪ ଶିକ୍ଷା ସହାୟକ ସଂଘ। ଦୁଇ ଦିନ ହେଲା ଶିକ୍ଷକମାନେ ଲୋୟର ପିଏମ୍‌ଜିରେ ଆନ୍ଦୋଳନ ଜାରି ରଖିଥିଲେ ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ବିଭାଗୀୟ ମନ୍ତ୍ରୀ ବଦ୍ର୍ରି ନାରାୟଣ ପାତ୍ରଙ୍କ ସହ ସଂଘର ଆଲୋଚନା ମଧ୍ୟ ବିଫଳ ହୋଇଛି।

ସଂଘ ପକ୍ଷରୁ କୁହାଯାଇଛି ଯେ ୨୦୦୩ରେ ରାଜ୍ୟ ସରକାରଙ୍କ ଦ୍ୱାରା ୯୫୪୧ ଶିକ୍ଷା ସହାୟକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରବର୍ତୀ ସମୟରେ ଏହି ସଂଖ୍ୟାକୁ ବୃଦ୍ଧି କରାଯାଇଥିଲା। ପର୍ଯ୍ୟାୟକ୍ରମେ ଶିକ୍ଷା ସହାୟକଙ୍କୁ ବି ନିଯୁକ୍ତି ଦିଆଯାଇଥିଲା। ହେଲେ ୨୦୦୩ ସେପ୍ଟେମ୍ବର ୨୬ରେ ନିଯୁକ୍ତି ପ୍ରକ୍ରିୟାରେ ଅସଫଳ ହୋଇଥିବା ଏନ୍‌ଏଫ୍‌ଇ ଶିକ୍ଷକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ହାଇକୋର୍ଟ ନିଯୁକ୍ତି ପ୍ରକ୍ରିୟାକୁ ଅବୈଧ ଘୋଷଣା କରିଥିଲେ। ହେଲେ ପରବର୍ତୀ ସମୟରେ ସେମାନଙ୍କୁ କାର୍ଯ୍ୟରୁ ନିବୃତ୍ତ କରା ଯାଇ ନ ଥିଲା। କାର୍ଯ୍ୟ ଜାରି ରଖିବା ଲାଗି ନିର୍ଦେଶ ଦେଇଥିଲେ। ପରବର୍ତୀ ସମୟରେ ୨୦୦୫,୨୦୦୭,୨୦୧୧, ୨୦୧୨ ଏବଂ ୨୦୧୫ରେ କିଛି ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି। ତଥାପି ଏବେ ବି ୫୦୯ ଶିକ୍ଷକ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି। ମାତ୍ର ପରିତାପର ବିଷୟ ହେଉଛି ସରକାରଙ୍କ ଭିନ୍ନ ଭିନ୍ନ ଚିଠି ଓ ହାଇକୋର୍ଟଙ୍କ ନିର୍ଦେଶ ଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ସେମାନଙ୍କୁ ନିୟମିତ କରିବା ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଗତ ଅକ୍ଟୋବର ୧୬ ତାରିଖରେ ବିଭାଗ ପକ୍ଷରୁ ଚିଠି ଲେଖାଯାଇ ୫୦୯ ଶିକ୍ଷା ସହାୟକଙ୍କୁ ଛଟେଇ କରାଯାଇଛି। ଏହା ବିରୋଧରେ ଏହି ଛଟେଇ ଶିକ୍ଷକମାନେ ଗତକାଲିଠାରୁ ଲୋୟର ପିଏମ୍‌ଜିରେ ଧାରଣାରେ ବସିଛନ୍ତି। ଯଦି ଦୁଇଟି ଯାକ ଦାବି ପୂରଣ କରିବା ଦିଗରେ ପଦକ୍ଷେପ ନିଆ ନ ଯାଏ ତେବେ ଶିକ୍ଷକମାନେ ସମୂହ ଆତ୍ମାହୁତି ଦେବେ ବୋଲି ସଂଘ ସଭାପତି ସୂର୍ଯ୍ୟ ନାରାୟଣ ନାୟକ କହିଛନ୍ତି।

 

ଶିକ୍ଷକ ସଙ୍ଗଠନ ପ୍ରତିନିଧିଙ୍କ ଉପରେ ଲଗାମ : ଗଣଶିକ୍ଷା ବିଭାଗ ଦ୍ୱାର ମାଡ଼ିବା ମନା

ଭୁବନେଶ୍ୱର : ଶିକ୍ଷକ ସଙ୍ଗଠନ ପ୍ରତିନିଧିଙ୍କ ଉପରେ ଲାଗିଲା ଲଗାମ। ବିଭିନ୍ନ ଦାବି ନେଇ ସେମାନେ ଆଉ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭାଗ ଅଧୀନରେ ଥିବା ନିର୍ଦେଶାଳୟରେ ଚକ୍କର କାଟିପାରିବେ ନାହିଁ। ପ୍ରତିଦିନ ଏକାଧିକ ଶିକ୍ଷକ ସଙ୍ଗଠନର ପ୍ରତିନିଧି ନିର୍ଦେର୍ଶାଳୟଗୁଡ଼ିକରେ ବୁଲୁଥିବା ଦେଖିବାକୁ ମିଳୁଛି। ତାହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ପ୍ରାଥମିକ ଶିକ୍ଷକଙ୍କ ସମସ୍ୟାର ସମାଧାନ ଲାଗି ଏକ କମିଟି ଗଠିତ ହୋଇଛି। ଉକ୍ତ କମିଟି ଶିକ୍ଷକ ସଙ୍ଗଠନର ପ୍ରତିନିଧିଙ୍କ ସହ ଆଲୋଚନା କରିବା ସହ ଦାବି ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବେ।

ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ମାଧ୍ୟମିକ ଶିକ୍ଷା ଉପ ନିର୍ଦେଶକ ପ୍ରଶାନ୍ତ କୁମାର ସ୍ୱାଇଁ ଆବାହକ ରହିଛନ୍ତି। ଏମାନଙ୍କ ବ୍ୟତୀତ ଓପେପା ଏସ୍‌ପିଡି, ବିଭାଗୀୟ ସ୍ୱତନ୍ତ୍ର ସଚିବ ବିଶ୍ୱନାଥ ପ୍ରଧାନ, ଯୁଗ୍ମ ସଚିବ ଇନ୍ଦ୍ରମଣି ତ୍ରିପାଠୀ, ପ୍ରାଥମିକ ଶିକ୍ଷା ଯୁଗ୍ମ ନିର୍ଦେଶକ କେଦାରନାଥ ଆଚାର୍ଯ୍ୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ଯୁଗ୍ମ ନିର୍ଦେଶକ ପ୍ରଦୀପ କୁମାର ନାୟକ, ମାଧ୍ୟମିକ ଶିକ୍ଷା ଉପ ନିର୍ଦେଶକ ସତ୍ୟମୋହନ ସେନାପତି, ଜଗତ୍‌ସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର, ଖୋର୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବୃନ୍ଦାବନ ଶତପଥୀ, ବରଗଡ଼ ଡିପିସି ସୁଶାନ୍ତ କୁମାର ଚୋପଦାର ସଦସ୍ୟ ରହିଛନ୍ତି। ପ୍ରାଥମିକ ଶିକ୍ଷକଙ୍କ ଯେକୌଣସି ସମସ୍ୟା ରହିଥିବ ତାହା ଉପରେ କମିଟି ଆଲୋଚନା କରିବ। ଦାବି ଅନୁଧ୍ୟାନ କରିବା ପରେ ପରବର୍ତୀ ପଦକ୍ଷେପ ଲାଗି ସରକାରଙ୍କୁ ପ୍ରସ୍ତାବ ଦେବ। ଶିକ୍ଷକ ସଙ୍ଗଠନଗୁଡ଼ିକର ପ୍ରତିନିଧି ଏବଂ ଶିକ୍ଷକ ପ୍ରତିନିଧିଙ୍କୁ ଡାକି କମିଟିର ସଦସ୍ୟମାନେ ଆଲୋଚନା କରିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର