ଲୋୟର ସୁକତେଲ ସ୍ପିଲ୍‌ୱେ କାମ ସରିଲା, ଜୀବନ ପାଇବ ଜୀବନରେଖା

ସ୍ୱପ୍ନ ସାକାର ହେବ: ମନ୍ତ୍ରୀ ଟୁକୁନୀ ସାହୁ

ବଲାଙ୍ଗୀର : ବଲାଙ୍ଗୀରର ଜୀବନରେଖା ଲୋୟର ସୁକତେଲ ପ୍ରକଳ୍ପ ଖୁବ୍‌ଶୀଘ୍ର ଜୀବନ ପାଇବା ଆଶା ଉଜ୍ବଳ ହୋଇଛି। ଏହ‌ାର ସ୍ପିଲ୍‌ୱେ କାମ ୯୯.୮୪ ପ୍ରତିଶତ ସରିଯାଇଛି। ପ୍ରକଳ୍ପର ଅନ୍ୟ କାମ ବି ତ୍ବରାନ୍ବିତ ହୋଇଥିବାରୁ ଚଳିତ ବର୍ଷ ଶେଷସୁଦ୍ଧା ପ୍ରାୟ କାମ ଶେଷ ହୋଇଯିବ ବୋଲି ଆଶା କରାଯାଉଛି।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୨୩ ଡିସେମ୍ବର ସୁଦ୍ଧା ପ୍ରାୟତଃ କାମ ସରିଯିବ। ୨୦୨୪ ଜାନୁଆରି ମାସରେ ପ୍ରକଳ୍ପ କାମ ସଂପୂର୍ଣ୍ଣ ହେବ ବୋଲି ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଏପରିକି କେନାଲ କାମ ପାଇଁ ଟେଣ୍ଡର ଆହ୍ୱାନ ସରିଯାଇଛି ଓ ସେହି କାମ ବି ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ସେ କହିଛନ୍ତି।

ସ୍ପିଲୱେ କାମ ଆଉ ମାତ୍ର ୦.୧୬ ପ୍ରତିଶତ ବାକି ରହିଛି। କେବଳ ଗେଟ କାମ ଚାଲୁ ରହିଛି। ଯାହାକି ଖୁବ୍‌ଶୀଘ୍ର ସରିବ। ସେହିପରି ମାଟିବନ୍ଧ କାମ ୯୦ ପ୍ରତିଶତ ସରିଗଲାଣି। ଆଗକୁ ଅଣ୍ଡରଗ୍ରାଉଣ୍ଡ ପାଇପଲାଇନ କାମ ପାଇଁ ଟେଣ୍ଡର ଆହ୍ୱାନ ହୋଇଛି। ବାମ ପାର୍ଶ୍ବ କେନାଲ ସହ ଡାହାଣ ପାର୍ଶ୍ବ କେନାଲ କାମ ଆରମ୍ଭ ହେବ। ବାମ ପାର୍ଶ୍ୱ କେନାଲରେ ୧୩ ହଜାର ହେକ୍ଟର ଜମିକୁ ପାଣି ମାଡ଼ିବ। ସେହିପରି ଡାହାଣ ପାର୍ଶ୍ୱ କେନାଲ କାମ ହେଲେ ୨୭ ହଜାର ହେକ୍ଟର ଜମିକୁ ପାଣି ମାଡ଼ିବ। ଏଥିପାଇଁ ଦୁଇଟି ନିର୍ମାଣକାରୀ ସଂସ୍ଥାକୁ କାମ ଦିଆସରିଛି। ଅନ୍ୟପଟେ ଏଯାଏଁ ୨୬୪୦ ପରିବାର ବିସ୍ଥାପିତ ହୋଇସାରିଲେଣି। ବିସ୍ଥାପନ ପ୍ରକ୍ରିୟା ଚାଲୁ ରହିଛି ବୋଲି ବିଭାଗ କହିଛି।


ସ୍ୱପ୍ନ ସାକାର ହେବ: ମନ୍ତ୍ରୀ ଟୁକୁନୀ ସାହୁ
ସରକାର ଓ ପ୍ରଶାସନ ଦ୍ୱାରା ବିସ୍ଥାପିତ ଲୋକଙ୍କ ସବୁ ସମସ୍ୟାର ସମାଧାନ କରିବା ସହିତ ସେମାନଙ୍କୁ ଥଇଥାନ କରିବା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଅପରପକ୍ଷେ ସ୍ପିଲୱେ ଓ ମାଟିବନ୍ଧର କାମ ପ୍ରାୟ ପ୍ରାୟ ସରିବା ଉପରେ। ତେଣୁ ସ୍ଥାନୀୟ ଅଞ୍ଚଳର ସାମାଜିକ ଓ ମାନବିକ ସମସ୍ୟାକୁ ସମାଧାନ କରିବା ସହିତ ବଲାଙ୍ଗୀର ଜିଲ୍ଲାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଯେତେ ଶୀଘ୍ର ହେବ ଜିଲ୍ଲାର ଜୀବନରେଖା ଲୋୟର ସୁକତେଲକୁ ଜୀବନ ଦେବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ଆଶା ଏ ବର୍ଷ ଶେଷ କିଂବା ଆସନ୍ତା ବର୍ଷ ଆରମ୍ଭରୁ ଲୋୟର ସୁକତେଲ କାର୍ଯ୍ୟକ୍ଷମ ହେବ ଓ ଲୋକଙ୍କ ସ୍ୱପ୍ୱ ସାକାର ହେବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଜଳସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନୀ ସାହୁ।

ସମ୍ବନ୍ଧିତ ଖବର