ମଧ୍ୟବିତ ଓ ଗରିବଙ୍କ ଆଖିରେ ଲୁହ ଆଣିଲାଣି ରନ୍ଧନ ଗ୍ୟାସ ମୂଲ୍ୟ‌

ଧୂଆଁ ମୂକ୍ତ ଗ୍ରାମୀଣ ଭାରତ ବାଟବଣା

କୋରାପୁଟ: ସମ୍ମାନର ସହ ବଞ୍ଚୁଥିବା ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଗରିବଙ୍କ ଆଖିରେ ଲୁହ। ପୂର୍ବରୁ ଯେପରି ଚୁଲିରେ ରୋଷ‌େଇ କରୁଥିଲେ ଏବେ ପୁଣି ଥରେ ସେହି ଚୁଲିକୁ ଭରଷା କରୁଛନ୍ତି। ଗ୍ୟାସ ରିଫିଲ କରିବାକୁ ପାଖରେ ସମ୍ବଳ ନ ଥିବ‌ାରୁ ପୂର୍ବରୁ ଯେପରି ଚୁଲି ଫୁଙ୍କୁଥିଲେ ଏବେ ପୁଣି ସେହି ଅବସ୍ଥାକୁ ଫେରିଲେଣି ଲୋକେ। ଧୂଆ ମୁକ୍ତ ଗ୍ରାମୀଣ ଭାରତ ଲକ୍ଷ୍ୟ ନେଇ ୨୦୧୬ରେ ମୋଦୀ ସରକାର ଏହି‌ ଯୋଜନାକୁ ପ୍ରଣୟନ କରିଥିଲେ ତାହା ଏବେ ବାଟ ହୁଡ଼ିଛି।

ମିଳିଥିବା ସୂଚନା ମୁତାବକ, କୋରାପୁଟ ଜିଲ୍ଲାରେ ଗତ ତିନିମାସ ମଧ୍ୟରେ ରନ୍ଧନ ଗ୍ୟାସ ଦର ୮୪୭ ଟଙ୍କା ୫୦ ପଇସା ରହିଥିବାବେଳେ ଗତମାସରେ ୫୦ଟଙ୍କା ବୃଦ୍ଧି ପାଇଥିଲା। ସେହିପରି ଫେବ୍ରୁଆରିରେ ୭୫ଟଙ୍କା, ଜାନୁଆରିରେ ଟଙ୍କାଟିଏ ବି ବୃଦ୍ଧି ପାଇ ନଥିବାବେଳେ ଡିସେମ୍ବରରେ ୧୦୦ଟଙ୍କା ବୃଦ୍ଧି ପାଇଥିଲା। କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରେ ଲକ୍ଷ ଲକ୍ଷ ବିପିଏଲ ଶ୍ର‌େଣୀୟ ପରିବାର ରହୁଛନ୍ତି। ପୂର୍ବରୁ ଏହି ପରିବାର ଚୂଲିରେ ରୋଷେଇ କରୁଥିବାବେଳେ ୨୦୧୬ ମେ ୧ରେ ମୋଦୀ ସରକାର ୨୦୧୧ ଜନସଂଖ୍ୟା ଆଧାରରେ ଅର୍ଥନୈତିକ ପଛୁଆବର୍ଗର ତାଲିକାରେ ରହିଥିବା ମହିଳାଙ୍କୁ ଉଜ୍ଜ୍ବଳା ଯୋଜନାରେ ସାମିଲ କରିବାକୁ ଯୋଜନା କରିଥିଲେ।

ସେହି ସମୟରେ ପ୍ରତି ମହିଳାଙ୍କୁ ୪ଟି ଲକ୍ଷ ନେଇ ଏହି ଯୋଜନା ଆରମ୍ଭ ହୋଇଥିଲା। ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କର ସ୍ୱାସ୍ଥ୍ୟ ରକ୍ଷା କରିବା, ଜୀବାଶ୍ମ ଇନ୍ଧନ ଉପରେ ଆଧାର କରି ରୋଷେଇ ସହିତ ଜଡ଼ିତ ଗୁରୁତର ସ୍ୱାସ୍ଥ୍ୟ ବିପଦକୁ ହ୍ରାସ କରିବା, ଅପରିଷ୍କାର ରନ୍ଧନ ଇନ୍ଧନ ଯୋଗୁଁ ଭାରତରେ ମୃତ୍ୟୁ ସଂଖ୍ୟା ହ୍ରାସ କରିବା, ଜୀବାଶ୍ମ ଇନ୍ଧନକୁ ଜାଳି ଘର ଭିତରର ବାୟୁ ପ୍ରଦୂଷଣ ହେତୁ ଛୋଟ ପିଲାମାନଙ୍କୁ ବହୁଗୁଡ଼ିଏ ତୀବ୍ର ଶ୍ବାସକ୍ରିୟା ରୋଗରୁ ରକ୍ଷା କରିବା ଉଜ୍ଜ୍ବଳା ଯୋଜନା ଲକ୍ଷ୍ୟ ରହିଥିଲା। ଏବେ ହୁ ହୁ ହୋଇ ଗ୍ୟାସ ଦର ବୃଦ୍ଧି ପାଉଥିବାରୁ ଗରିବ ଆଦିବାସୀ ଗ୍ୟାସ ରିଫିଲ କରି ପାରୁ ନ ଥିବା ଜଣାପଡିଛି। ଗୋଟିଏ ପଟେ କରୋନା ପରବର୍ତ୍ତୀ ଆର୍ଥିକ ସମସ୍ୟା ହେତୁ କାମ ମିଳୁ ନଥିବାବେଳେ ଏହି ଦର ବୃଦ୍ଧି ପାଇବା ଯୋଗୁଁ ରିଫିଲ କରାଇପାରୁ ନାହାନ୍ତି ଲୋକେ ।

ଜିଲ୍ଲାରେ ମୋଟ ୩୩୪୭୯୮ଟି ସାମାଜିକ ଅର୍ଥନୈତିକ ଓ ଜାତି ଜନଗଣନା(ଏସଇସିସି) ପରିବାର ରହିଥିବାବେଳେ ଗ୍ରାମାଞ୍ଚଳରେ ୨୮୭୮୪୪ଜଣ ଓ ୪୬୯୫୪ଟି ପରିବାର ରହୁଛନ୍ତି। କୋଟପାଡ ତହସିଲ ଅଧନୀରେ ୨୯୧୦୬, ବୋରିଗୁମ୍ମାରେ ୨୩୨୫୪, ବି.ସିଂହପୁରରେ ୧୬୭୭୮, ଦଶମନ୍ତପୁରରେ ୧୨୮୧୦, ଲକ୍ଷ୍ମୀପୁରରେ ୯୩୩୫, ନାରାୟଣପାଟଣାରେ ୮୯ ୫୭, ବନ୍ଧୁଗାଁରେ ୧୩୯୮୬, କାକିରିଗୁମ୍ମାରେ ୬୨୭୯, କୋରପୁଟ(ଗ୍ରାମଞ୍ଚଳ)ରେ ୧୭୫୨୬, କୋରାପୁଟ  (ଟାଉନ)ରେ ୧୨୮୮୭, ଜୟପୁରରେ ୪୩୧୮୬, କୁନ୍ଦୁରାରେ ୧୪୨୬୯, ବୈପାରିଗୁଡାରେ ୩୦୭୮୧, ମାଛକୁଣ୍ଡରେ ୧୦୭୬୪, ପାଡୁଆ ୧୩୫୨୮, ନନ୍ଦପୁରରେ ୧୯୩୧୪, ସେମିଳିଗୁଡାରେ ୫୮୯୧, ସୁନାବେଢାରେ ୧୬୦୨୧, ଦାମନଯୋଡିରେ ୬୬୭୭, ପଟାଙ୍ଗୀରେ ୨୦୯୨୧ ଓ କୋଟିଆରେ ୨୫୨୮ ପରିବାର ରହିଥିଲେ।

ସମ୍ବନ୍ଧିତ ଖବର