ରାଇରଙ୍ଗପୁର: ପ୍ରଧାନମନ୍ତ୍ରୀଙ୍କ ଉଜ୍ବଳା ଯୋଜନା ସ୍ବଚ୍ଛ ଇନ୍ଧନ ସୁଖୀ ଜୀବନ ଏକଯୁଗାନ୍ତକାରୀ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମନ୍ତ୍ରୀଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିଲା। ମହିଳା ହେଉଛନ୍ତି ଘରର ଆର୍ଥିକ ପ୍ରଗତିର ମେରୁଦଣ୍ଡ। ସେମାନଙ୍କ ସୁରକ୍ଷା, ସେମାନଙ୍କ ସ୍ବାସ୍ଥ୍ୟ, ସେମାନଙ୍କ ସମୟ ଅତି ମୂଲ୍ୟବାନ। ଏଲପିଜିର ବ୍ୟବହାର ଉପରେ ସମସ୍ତେ ସଚେତନ ହେବା ଦରକାର। ଏହାକୁ ନେଇ ରାଇରଙ୍ଗପୁରସ୍ଥ ଗଣେଶ ଭାରତ ଗ୍ୟାସ ଏଜେନ୍ସିର ପ୍ରୋପାଇଟର ଦମ୍ପତି ଲାଲମୋହନ ହାଁସଦା, ମିନତୀ ହାଁସଦା ଓ ବାବୁ ହାଁସଦାଙ୍କ ବଳିଷ୍ଠ ଉଦ୍ୟମରେ ରାଇରଙ୍ଗପୁରସ୍ଥ ପିସିଏମ କଲ୍ୟାଣ ଭବନ ପରିସରରେ ଭାରତ ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଏଲିପିଜି ବ୍ୟବହାର ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଭାରତ ଗ୍ୟାସର ରାଜ୍ୟର ମୁଖ୍ୟ ମାନସ ରଞ୍ଜନ ମହାନ୍ତି, ଆଂଚଳିକ ପ୍ରବନ୍ଧକ ଗିରିଶ ସୋନାଓ୍ବେନେ, ବିପଣୀ ମେନେଜର ସୁଭମ କୁମାର ସିଂ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ କହିଥିଲେ ମଣିଷ ଜୀବନ ଦୁର୍ଲଭ ଓ ଅମୂଲ୍ୟ। ଘରର ମେରୁଦଣ୍ଡ ହେଉଛନ୍ତି ମହିଳା।
ସେମାନଙ୍କ ଅମୂଲ୍ୟ ଜୀବନ ଗ୍ୟାସ ଦୁର୍ଘଟଣାରେ ନଷ୍ଟ ହେଲେ ସେ ପରିବାର ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଏ। ପରିବାରର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଏ। ତେଣୁ ସେମାନଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ। ଗ୍ୟାସ ଚୁଲା ଓ ବ୍ୟବହାର ନେଇ ଶତକଡା ୮୦ ଭାଗ ମହିଳା ଅସଚେତନ। ତେଣୁ ସେମାନଙ୍କୁ ସଚେତନ କରାଇବା ପ୍ରାଥମିକ କର୍ତ୍ତବ୍ୟ ବୋଲି ଅତିଥିଗଣ କହିଥିଲେ। ଗ୍ୟାସ୍ ସିଲିଣ୍ଡର ବ୍ୟବହାର, ସତର୍କତା ଉପରେ ଉପସ୍ଥିତ ଗ୍ରାହକମାନଙ୍କୁ ବୁଝାଇଥିଲେ। ଦୁର୍ଘଟଣା ଜନିତ କ୍ଷତିପୂରଣ, ବୀମା ଉପରେ ଆଲୋକପାତ କରିଥିଲେ। ତଦସହ ଡେମୋ ଦେଖାଇଥିଲେ। ବିଶେଷତଃ ଗ୍ୟାସ ବ୍ୟବହାର ସମୟରେ ସିଲିଣ୍ଡରକୁ ଠିଆ କରି ରଖିବା, ପବନ ଯିବା ଆସିବା ସ୍ଥାନରେ ଗ୍ୟାସ୍ ସିଲିଣ୍ଡର ନ ରଖିବା, ଦିଆସିଲି ଦ୍ଵାରା ଗ୍ୟାସ ଅନ୍ କରିବା,ସିଲିଣ୍ଡର ପାଖରେ ଅନ୍ୟ ଜ୍ବଳନଶୀଳ ବସ୍ତୁ ନ ରଖିବା, ସୂତା ବସ୍ତ୍ର ପିନ୍ଧି ରୋଷେଇ କରିବା, ରାତିରେ ଶୋଇଲା ବେଳେ ରେଗୁଲେଟର ଵନ୍ଦ କରିବା, ଗ୍ୟାସର ଗନ୍ଧ ଆସିଲେ ଲାଇଟର କିମ୍ବା ସୁଇଚ ବନ୍ଦ କରିବା, ଗ୍ୟାସ୍ ଲିକ୍ ହେଲେ ଏଲପିଜି ବିତରକଙ୍କ ୧୯୦୬ ନମ୍ବରକୁ ଫୋନ କରିବା, ପ୍ରତ୍ୟେକ ୫ ବର୍ଷରେ ଗ୍ୟାସ ପାଇପ ପରିବର୍ତ୍ତନ କରିବା, ଇତ୍ୟାଦି ଉପରେ ଉପଭୋକ୍ତାମାନଙ୍କୁ ସୂଚନା ଦିଆଯାଇଥିଲା। ଆଖପାଖ ଅଂଚଳରୁ ଶତାଧିକ ମହିଳା ଉପଭୋକ୍ତା ଏହି ସଚେତନ ଶିବିରରେ ଯୋଗଦେଇ ଦେଇଥିଲେ ।