ଲକଡାଉନକୁ ପୂରିଲା ୧ ମାସ: ଗ୍ରୀନ୍ ଜୋନରେ ରାୟଗଡ଼ା, ଚର୍ଚ୍ଚାରେ ପ୍ରଶାସନର କରୋନା ମୁକାବିଲା ପଦକ୍ଷେପ

ଆକ୍ସନ୍ ମୁଡ଼ରେ ପ୍ରଶାସନ, ସଚେତନ ହୋଇଛନ୍ତି ଜନତା, ୧୪୪ ଧାରା ସହ କଟକଣା ଜାରିରେ ପ୍ରଶଂସା ସାଉଁଟିଛନ୍ତି ଜିଲ୍ଲାପାଳ

ରାୟଗଡ଼ା: କରୋନା ମୁକାବିଲା ଲାଗି ଚାଲିଥିବା ଲକଡାଉନକୁ ଆସନ୍ତାକାଲି ୧ ମାସ ପୂରୁଛି। ଗ୍ରୀନ୍ ଜୋନରେ ଥିବା ରାୟଗଡ଼ାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସର୍ତକତା କ୍ଷେତ୍ରରେ ଜିଲ୍ଲାପାଳଙ୍କ ଆଗୁଆ ପଦକ୍ଷେପ ଓ ଆକ୍ସନ୍ ମୁଡ଼ ଯୋଗୁ ହିଁ ଏହା ସମ୍ଭବ ହୋଇପାରିଛି। ଏଯାବତ୍ ପରୀକ୍ଷା ହୋଇଥିବା ୨୨୬ ନମୁନାରୁ ୨୨୫ ନମୁନା ରିପୋର୍ଟ ନ‌େଗେଟିଭ୍ ଆସିଛି। ସେହିପରି ହୋମ୍ କ୍ବାରାଣ୍ଟାଇନରେ ଥିବା ୯୩୯ ଗ୍ରାମର ୩ ହଜାର ଲୋକଙ୍କ ମଧ୍ୟରୁ ପାଖାପାଖି ୨୮୦୦ ଲୋକଙ୍କ ନିକଟରେ କରୋନା ଲକ୍ଷଣ ନାହିଁ। ଘରୋଇ ହିଂସା, ଚୋରି ମାମଲାରେ ବ୍ୟାପକ ହ୍ରାସ ପାଇଥିବା ବେଳେ ମାସକରେ କେବଳ ଗୋଟିଏ ଦୁର୍ଘଟଣା ଘଟିଛି। ଯାହା ପ୍ରଶାସନର କାର୍ଯ୍ୟଶୈଳୀକୁ ନେଇ ଚର୍ଚ୍ଚା ସୃଷ୍ଟି କରିଛି।

ଓଡ଼ିଶାରେ କରୋନା ପଜିଟିଭ୍ ଚିହ୍ନଟ ପୂର୍ବରୁ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଏ ଦିଗରେ ଠୋସ୍ ପଦକ୍ଷେପ ଗ୍ରହଣ କରିଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରଥମ ଜିଲ୍ଲା ଭାବେ (ଗଞ୍ଜାମ ପୂର୍ବରୁ ମଧ୍ୟ) ମାର୍ଚ୍ଚ ୧୩ ତାରିଖରେ ୧୪୪ (୨) ଧାରାକୁ ଜିଲ୍ଲାପାଳ ଶ୍ରୀ ବେହେରା କାର୍ଯ୍ୟକାରୀ କରିଥିଲେ। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ଧାରାକୁ ବଳବତ୍ତର ରଖିବା ସହିତ ଶହେରୁ ଉର୍ଧ୍ବ ଲୋକଙ୍କ ସମାଗମ ଉପରେ ଲାଗିଥିଲା କଟକଣା। ଫଳରେ ବିବାହ, ଭ‌ୋଜି, ସାମାଜିକ କାର୍ଯ୍ୟକ୍ରମ ବନ୍ଦ ରହିଥିଲା। ଯେଉଁଥି ପାଇଁ ବିଭିନ୍ନ ଜିଲ୍ଲା ଓ ପଡୋଶୀ ରାଜ୍ୟରୁ ରାୟଗଡ଼ାକୁ ଲୋକ ଆସିବା ଉପରେ କଟକଣା ଲାଗିଥିଲା। ବହୁ ଚର୍ଚିତ ଚଇତି ଯାତ୍ରା, ଆରାଧ୍ୟ ଦେବୀ ମା’ ମଝିଘରିଆଣୀ ମନ୍ଦିର ଓ ମୁଣ୍ଡନ କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଥିଲା।

କେବଳ ଏତିକି ନୁହେଁ, ସିନେମା ହଲ୍, ପାର୍କ, ସପିଂ ମଲ୍, ଘରୋଇ ସ୍କୁଲ୍ ଗୁଡ଼ିକ ବନ୍ଦ ରଖିବା ଦିଗରେ ମଧ୍ୟ ଜିଲ୍ଲାପାଳ ପଦକ୍ଷେପ ନେଇଥିଲା। ସୋସିଆଲ୍ ମିଡ଼ିଆରେ ଗୁଜବ କରୁଥିବା ଅଭିଯୋଗରେ ରାଜ୍ୟର ପ୍ରଥମ ମାମଲା ମୁନିଗୁଡ଼ା ଥାନାରେ ରୁଜୁ ହେବା ସହ ଜଣଙ୍କୁ ଗିରଫ କରିଥିଲା ପୁଲିସ୍। ସେହିପରି ପ୍ରତି ପଞ୍ଚାୟତରେ ଖୋଲିଥିବା ଆଶ୍ରୟସ୍ଥଳୀ ଦାୟିତ୍ବରେ ରହି କାର୍ଯ୍ୟରେ ଅବହେଳା ଅଭିଯୋଗରେ ଶିକ୍ଷକ ମହେନ୍ଦ୍ର ତ୍ରିପାଠୀଙ୍କୁ ଜିଲ୍ଲାପାଳ ନିଲମ୍ବନ କରିବା ମଧ୍ୟ ଅବିଭକ୍ତ କ‌ୋରାପୁଟରେ ପ୍ରଥମ।

ସାମାଜିକ ଦୂରତା ରକ୍ଷା କରିବା, ନିୟମିତ ଭାବେ ହାତ ଧୋଇବା ପାଇଁ ଗୋଟିଏ ଦିନରେ ୨୬୭୯ ଗ୍ରାମର ୪ ଲକ୍ଷ ଲୋକଙ୍କୁ ସଚେତନ କରାଯିବା ସହ ତାଲିମ୍ ପ୍ରଦାନ କରାଯାଇଥିଲା। ୩ ପ୍ରମୁଖ କଂପାନି ଉତ୍କଳ ଆଲୁମିନା, ଇମ୍ଫା, ଜେକେ କାଗଜକଳକୁ ସର୍ବନିମ୍ନ କର୍ମଚାରୀରେ ଚଲାଇବାକୁ ଜିଲ୍ଲାପାଳ ନିର୍ଦେଶ ଦେବା ସହିତ ଆବଶ୍ୟକ ନଥିବା ସମସ୍ତ ଛୋଟ ବଡ଼ କ୍ଷୁଦ୍ର ଶିଳ୍ପ ଓ କପା ମିଲ୍ ଗୁଡ଼ିକୁ ବନ୍ଦ ରଖିବାକୁ ହୋଇଥିଲା ନିର୍ଦେଶ। ଗୋଟିଏ ସ୍ଥାନରେ ୭ରୁ ଅଧିକ ଲୋକଙ୍କ ସମାଗମ ବାରଣ କରାଯିବା ସହ ବିନା କୌଣସି କାମରେ ବାହାରେ ବୁଲୁଥିବା ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସର୍ବସାଧାରଣ ଲୋକଙ୍କ ପ୍ରବେଶ ଉପରେ ଲାଗିଥିଲା କଟକଣା।

ବସ୍ ଯାତ୍ରା ସମୟରେ ସତର୍କ ରହିବା ସହ ପ୍ରତ୍ୟେକ ଟ୍ରିପ୍ ଷ୍ଟାର୍ଟ ପୂର୍ବରୁ ଗାଡ଼ିକୁ ସାନିଟାଇଜ୍ କରିବାକୁ ସଚେତନତା ସୃଷ୍ଟି କରିବା ସହ ଜିଲ୍ଲାପାଳ ନିଜେ ବସ୍ ଧୋଇଥିଲେ। ଏପରିକି ଜିଲ୍ଲା ସୀମାନ୍ତରେ ଖୋଲିଥିବା ଆଶ୍ରୟସ୍ଥଳୀ ପରିଦର୍ଶନରେ ଯାଇ ଜିଲ୍ଲାପାଳ ଅନ୍ତେବାସୀଙ୍କୁ ନିଜେ ଖାଦ୍ୟ ପରସିଥିଲେ। ନିୟମିତ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ସ୍ଥିତି ସମୀକ୍ଷା, ପରିବା ଓ ଆମିଷ ବଜାର ସ୍ଥାନାନ୍ତର, ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଏବଂ ୩୦ କଏଦୀଙ୍କୁ ପାରୋଲରେ ଛାଡ଼ିବା କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ନେଇଛି ପଦକ୍ଷେପ। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମଙ୍କ ତତ୍ତ୍ବାବଧାନରେ ଲକଡାଉନ୍ ସମୟରେ ଘରୋଇ ହିଂସା, ଚୋରି ଓ ଆଇନଶୃଂଖଳା ପରିସ୍ଥିତିରେ ବ୍ୟାପକ ସୁଧାର ଆସିଛି। ମାସକରେ ଗୋଟିଏ ଦୁର୍ଘଟଣା ହୋଇଥିବା ବେଳେ ମଦ ଧରପଗଡ଼ ଓ ଆଇନ ଉଲ୍ଲଂଘନ କରି ବାଇକ୍ ଚଳାଚଳ ରୋକିବା ଦିଗରେ ହୋଇଛି କଡ଼ା କାର୍ଯ୍ୟାନୁଷ୍ଠାନ।

 

ସମ୍ବନ୍ଧିତ ଖବର