ରାଜ୍ୟ ଖାଉଟି କମିସନରେ ଏପ୍ରିଲ ୩୦ ପର୍ଯ୍ୟନ୍ତ କଟକଣା, ଇ-ଫାଇଲିଂ ମାଧ୍ୟମରେ ଦାଖଲ ହେବ ମାମଲା

କଟକ: ‘କରୋନା’ ଭୂତାଣୁ ସଂକ୍ରମଣ ବିପଦକୁ ଦୃଷ୍ଟିରେ ରଖି ତଥା ଲକ୍‌ଡାଉନ୍‌ ଅବଧି ବୃଦ୍ଧିକୁ ଆଧାର କରି କଟକସ୍ଥିତ ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଜିଲ୍ଲା ଫୋରମ (ଖାଉଟି ଅଦାଲତ) ଗୁଡିକରେ ପୂର୍ବରୁ ଜାରି କରାଯାଇଥିବା କଟକଣା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଲକ୍‌ଡାଉନ ଅବଧି ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ନେଇ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ସହିତ ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ଖାଉଟି କମିସନ ତରଫରୁ ଏ ନେଇ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି।
ଏଥିରେ ଉଲ୍ଲେଖ କରାଯାଇଛି ଯେ, ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଖାଉଟି କମିସନ୍‌ରେ ସ୍ବାଭାବିକ୍ କାର୍ଯ୍ୟ ହେବ ନାହିଁ। ଜରୁରୀ ମାମଲା ‌କ୍ଷେତ୍ରରେ ମାମଲା ନମ୍ବର, ଅନ୍ତରୀଣ ପିଟିସନ୍, ମେମୋ, ମିସ୍‌କେସ୍ ପିଟିସନ୍, ଜରୁରୀ ମାମଲାର କାରଣ, ମୋକଦ୍ଦମାର ସଂକ୍ଷିପ୍ତ ସୂଚନା, ନଥିପତ୍ରର ସ୍କାନ କପି, କମିସନଙ୍କ ମାଧ୍ୟମରେ ମାମଲାରେ ଦାବି କରାଯାଉଥିବା ପ୍ରତିକାର(ପ୍ରାର୍ଥନା) ସଂପର୍କରେ ଇ-ମେଲ୍ ମାଧ୍ୟମରେ କମିସନଙ୍କୁ ଅବଗତ କରାଯିବ। ଜରୁରୀ କ୍ଷେତ୍ରରେ ନୂଆ ମାମଲା ଇ-ଫାଇଲିଂ ମାଧ୍ୟମରେ ଦାଖଲ ହେବ। ଏଥିପାଇଁ ଆଇନଜୀବୀ ଓ ପକ୍ଷମାନେ ପିଟିସନ, ନଥିପତ୍ର, ଭକାଲତନାମାର ସ୍କାନ କପି ସହିତ ମୋବାଇଲ ଫୋନ୍, ଇ-ମେଲ୍ ଆଇଡି, ଜରୁରୀ ପ୍ରସଂଗ ସଂପର୍କିତ ଆବେଦନ କମିସନଙ୍କ ଇ-ମେଲ ଆଇଡି ([email protected])ରେ ଦାଖଲ କରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
ଏଥି ସହିତ ମାର୍ଚ୍ଚ ୨୩ରେ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିବା ନିୟମାବଳୀ ଏପ୍ରିଲ ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଖାଉଟି କମିସନ ପକ୍ଷରୁ ଆଜି ଜାରି କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଏହି ଲକ୍‌ଡାଉନ୍ ସମୟରେ କମିସନଙ୍କ ଅଧିକାରୀ, ସଦସ୍ୟ ଓ କର୍ମଚାରୀ ନିଜ ଘରେ ରହିବେ ଓ ମୁଖ୍ୟାଳୟ ଛାଡିବେ ନାହିଁ। ଆବଶ୍ୟକସ୍ଥଳେ କାର୍ଯ୍ୟରେ ଯୋଗଦେବା ପାଇଁ ସବୁ କର୍ମଚାରୀ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି। ଯଦି ମାମଲାର ଶୁଣାଣି ସମୟରେ କୌଣସି ଆଇନଜୀବୀ ବା ପକ୍ଷ ଅନୁପସ୍ଥିତ ରୁହନ୍ତି ତେବେ କୌଣସି ପ୍ରତିକୂଳ ନିର୍ଦ୍ଦେଶ ପ୍ରଦାନ କରାଯିବ ନାହିଁ। ଜନସାଧାରଣଙ୍କୁ କମିସନଙ୍କ ନିକଟକୁ ଆସିବାକୁ ଅନୁମତି ଦିଆଯିବ ନାହିଁ। କମିସନ୍ ସଭାପତି ଡକ୍ଟର ଜଷ୍ଟିସ ଡି.ପି. ଚୌଧୁରୀଙ୍କ ନିର୍ଦ୍ଦେଶରେ କରୋନା ପ୍ରତିଷେଧକ ବ୍ୟବସ୍ଥା ସଂପର୍କିତ ଖାଉଟି କମିସନଙ୍କ ସାନି ବିଜ୍ଞପ୍ତିରେ ଏଭଳି ନିଷ୍ପତ୍ତି ସଂପର୍କରେ ଉଲ୍ଲେଖ କରାଯାଇଛି।
ଏଥି ସହିତ ଖାଉଟି କମିସନ୍ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଫୋରମଗୁଡିକ ପାଇଁ ମଧ୍ୟ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲା ଫୋରମରେ ସ୍ବାଭାବିକ କାର୍ଯ୍ୟ ବନ୍ଦ ରହିବ। ଯଥାସମ୍ଭବ କମ୍ କର୍ମଚାରୀଙ୍କୁ ନେଇ ଜିଲ୍ଲା ଫୋରମଗୁଡିକର କାର୍ଯ୍ୟାଳୟ କାର୍ଯ୍ୟ କରିବ। ଅତି ଜରୁରୀ ମାମଲାଗୁଡିକ ଜିଲ୍ଲା ଫୋରମ ସଭାପତିଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।
ସମ୍ବନ୍ଧିତ ଖବର