ଅଗଷ୍ଟ ୩୧ ଯାଏଁ କଣ୍ଟେନମେଣ୍ଟ ଜୋନରେ ଲାଗୁ ହେବ ଲକଡାଉନ; ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ସିନେମା ହଲ ଓ ସୁଇମିଂ ପୁଲ ବନ୍ଦ ରହିବ

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଅଗଷ୍ଟ ମ‌ାସ ଲାଗି ଗାଇଡଲାଇନ୍ ଜାରି କରିଛନ୍ତି। ସମଗ୍ର ରାଜ୍ୟରେ କଟକଣା କୋହଳ ହୋଇଥିବା ବେଳେ କେବଳ କଣ୍ଟେନମେଣ୍ଟ ଜୋନରେ ସଂପୂର୍ଣ୍ଣ ଭାବେ ଲକଡାଉନ ଜାରି ରହିବ ବୋଲି ଘୋଷଣା କରାଯାଇଛି । ଯେଉଁ ଅଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ହେବେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ହେବ।  କିନ୍ତୁ କଣ୍ଟେନମେଣ୍ଟ ଜୋନ ବାହାରେ କଟକଣା କୋହଳ କରାଯିବା ସହ ନିର୍ଦ୍ଦିଷ୍ଟ କଟକଣା ବଳବତ୍ତର ରହିବ  । ଅଗଷ୍ଟ ୧ ତାରିଖଠାରୁ ୩୧ ତାରିଖ ଯାଏଁ ଗାଇଡଲାଇ ଜାରି କରିବା ଅବସରରେ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ସାମ୍ବାଦିକ ସମ୍ମିଳନୀରେ ଆଜି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କଣ୍ଟେନମେଣ୍ଟ ଜୋନରୁ ପ୍ରବେଶ-ପ୍ରସ୍ଥାନ ଉପରେ ପୂରା କଟକଣା ରହିବ।  ଏଠାରେ ରହୁଥିବା ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ।

ଶ୍ରୀ ଜେନା କହିଛନ୍ତି, ଆସନ୍ତାକାଲି ଠାରୁ ଅଗଷ୍ଟ ୩୧ ତାରିଖ ଯାଏଁ ଧାର୍ମାନୁଷ୍ଠାନରେ ନୀତି ଚାଲିବ କିନ୍ତୁ ସାଧାରଣ ଲୋକଙ୍କ ପ୍ରବେଶକୁ ଅନୁମତି ଦିଆଯିବ ନାହିଁ । ସେହିଭଳି ଅନ୍ତର୍ଜାତୀୟ ବିମାନ ମଧ୍ୟ ଚଳାଚଳ କରିବ ନାହିଁ । ସାମାଜିକ କାର୍ଯ୍ୟକ୍ରମ, ରାଜନୈତିକ ସଭା, ଖେଳକୁଦ, ମନୋରଂଜନ କାର୍ଯ୍ୟକ୍ରମ ବନ୍ଦ ରହିବ । ସିନେମା ହଲ ଓ ସୁଇମିଂ ପୁଲ ବନ୍ଦ ରହିବ ।ସେହିପରି ଅଗଷ୍ଟ ୩୧ ଯାଏଁ ସ୍କୁଲ ଓ କଲେଜ ଏବଂ କୋଚିଂ ସେଣ୍ଟରଗୁଡ଼ିକ ବନ୍ଦ ରହିବ । କିନ୍ତୁ ଶିକ୍ଷାନୁଷ୍ଠାନରେ ପରୀକ୍ଷା କରାଯିବା ସହ ଖାତା ଦେଖାଯାଇପାରିବ । ତେବେ ଅଗଷ୍ଟ ୫ ତାରିଖ ଠାରୁ ଯୋଗ ପ୍ରଶିକ୍ଷଣ କେନ୍ଦ୍ର ଖୋଲା କରାଯାଇପାରିବ ।  ଜିମ ଗୁଡ଼ିକ ଖୋଲିବା ପାଇଁ ମଧ୍ୟ ଅନୁମତି ମିଳିବ । ତେବେ ଏଥିଲାଗି ଏସଓପି ଜାରି କରାଯିବ।

ଅନ୍ୟ ପକ୍ଷରେ  ରାତି ୯ଟାରୁ ସକାଳ ୫ଟା ଯାଏଁ ରାତ୍ରିକାଳିନ କର୍ଫ୍ୟୁ ଜାରି ରହିବ ଓ ଦିନବେଳା ପୂର୍ବ ପରି ସମସ୍ତ ବ୍ୟାବସାୟିକ ଅନୁଷ୍ଠାନ, ସରକାରୀ-ବେସରକାରୀ ଅଫିସ, ଶିଳ୍ପ ଅନୁଷ୍ଠାନ ଖୋଲା ରହିବ। କିନ୍ତୁ ସେଠାରେ ସାମାଜିକ ଦୂରତ୍ବକୁ କଡ଼ାକଡ଼ି ଲାଗୁ କରାଯିବ । ତେବେ ରାତିରେ  ଜରୁରୀକାଳୀନ ସେବା ପାଇଁ ଅନୁମତି ମିଳିବ । ଅର୍ଥାତ ସ୍ୱାସ୍ଥ୍ୟ ଜନିତ ଯାତାୟତ ପାଇଁ ଯାତାୟତ କରିବାରେ କୌଣସି ଅସୁବିଧା ନାହିଁ । ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀମାନେ ମଧ୍ୟ ଯାତାୟତ କରିପାରିବେ । ପ୍ରିଣ୍ଟ ଓ ଇଲେକଟ୍ରୋନିକ ଗଣମାଧ୍ୟମର ପ୍ରତିନିଧିମାନେ ଅଫିସ ଯାଇପାରିବେ । ଅଗଷ୍ଟ ୧ ଓ ୨ ତାରିଖରେ ସଟଡାଉନ ସାମାନ୍ୟ କୋହଳ କରି ଦିଆଯାଇଛି । ଏହି ୨ ଦିନ ଦିନ ୧ଟାରୁ ରାତି ୯ଟା ଯାଏଁ ସଟଡାଉନ ରହିବ । ଅର୍ଥାତ ଦିନ ଗୋଟିଏ ଯାଏଁ ସବୁ ଖୋଲା ରହିବ ।

ଶ୍ରୀ ଜେନା କହିଛନ୍ତି, ଗଂଜାମ, ଖୋର୍ଦ୍ଧା, ଗଜପତି, କଟକ ଓ ରାଉରକେଲା ମହାନଗର ନିଗମରେ ସପ୍ତାହନ୍ତ ସଟଡାଉନ କଟକଣା ରହିବ । ଶିଳ୍ପ ଓ କାରଖାନା ଓ ନିର୍ମାଣ କାମ ପୂର୍ବଭଳି ଚାଲୁ ରହିବ । ଜାତୀୟ ରାଜପଥ କଡ଼ ଢାବାରୁ ଖାଦ୍ୟ ପୁଡ଼ିଆ ନେଇହେବ । ସଟଡାଉନରେ ପୂର୍ବର କଟକଣା ଜାରି ରହିବ ।

ସେହିଭଳି ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତି ୩ ଦିନରୁ ଅଧିକ ସମୟ ରହିଲେ କ୍ୱାରେଣ୍ଟାଇନରେ ରହିବେ । ନିୟମ ନ ମାନିଲେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ । କୋଭିଡ ନିୟମ ପାଳନ କରି ସେଲୁନ ଓ ସ୍ପା ଖୋଲାଯାଇପାରିବ । ବାହଘରରେ କୌଣସି ପ୍ରକାରରେ ୫୦ରୁ ଅଧିକ ଲୋକ ରହିପାରିବେ ନାହିଁ । ବର, କନ୍ୟା ପକ୍ଷ ସମସ୍ତଙ୍କୁ ମିଶାଇ ୫୦ ଜଣ ଲୋକ ଉପସ୍ଥିତ ରହିପାରିବେ । ଶୁଦ୍ଧିକ୍ରିୟା କାର୍ଯ୍ୟରେ ୨୦ରୁ ଅଧିକ ଲୋକଙ୍କୁ ଏକତ୍ର ହେବା ପାଇଁ ଅନୁମତି ମିଳିବ ନାହିଁ । ବାହାଘର ଓ ଶୁଦ୍ଧିକ୍ରିୟାରେ ନିୟମ ଉଲ୍ଲଂଘନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପାଇଁ ମଧ୍ୟ ଗାଇଡଲାଇନ ଜାରି ହୋଇଛି । କାର୍ଯ୍ୟାଳୟରେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ପାଳନ କରି କାମ କରିବାକୁ ହେବ । ନିୟମ ବିରୋଧରେ ଗଲେ ଅଫିସର ମୁଖ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିଭଳି ଅଗଷ୍ଟ ମାସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରାଯିବ । ଗ୍ରୁପ-ଏ ସହ ସମସ୍ତ କର୍ମଚାରୀଙ୍କୁ ମିଶାଇ ୫୦ ପ୍ରତିଶତ ହେବା ଦରକାର । କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ପ୍ରତି ସପ୍ତାହର ଶନିବାର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ।

ସମ୍ବନ୍ଧିତ ଖବର