କୋରାପୁଟ: କରୋନା ସଂକ୍ରମଣ ବଢିବା ପରେ କୋରାପୁଟ ଜିଲ୍ଲାକୁ ଫେରିଛି ଲକଡାଉନ। କୋରାପୁଟ ସହର ସମେତ ଜୟପୁର, ସୁନାବେଡା ଓ କୋଟପାଡ ସହରାଞ୍ଚଳରେ ଆଜି ରାତିରୁ ସପ୍ତାହକ ପାଇଁ ଏହି ଲକଡାଉନ ଲାଗୁ କରାଯାଇଛି। ୫ଟି ପଞ୍ଚାୟତ ମଧ୍ୟ ତାଲାବନ୍ଦରେ ରହିବ। ଏହି ସମୟ ଭିତରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଆଉ ସବୁ କିଛି ବନ୍ଦ ରହିବ। ଗାଡି ଚଳାଚଳ ଉପରେ କଟକଣା ଲଗା ଯାଇଥିଲାବେଳେ ବିନା କାରଣରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ପ୍ରଶାସନ।
କିଛି ଦିନ ହେଲା କୋରାପୁଟ ଜିଲ୍ଲାରେ କରୋନା ସଂକ୍ରମଣ ଦୃତଗତିରେ ବଢି ଚାଲିଛି। ଜିଲ୍ଳାରେ ସଂକ୍ରମଣ ୩ ଶହ ପାର କରିଥିଲାବେଳେ ନିତି ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ବିଶେଷକରି ସହରାଞ୍ଚଳ ଓ କିଛି ନିର୍ଦ୍ଦିଷ୍ଟ ପଞ୍ଚାୟତରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହି ଥିବାରୁ ଜିଲ୍ଲାରେ ଲକଡାଉନ ଘୋଷଣା କରିଛି ପ୍ରଶାସନ। ଆଜି ରାତିରୁ ଏହା ଲାଗୁ ହୋଇଛି। କୋରାପୁଟ, ଜୟପୁର ଓ ସୁନାବେଡା ପୌରାଞ୍ଚଳ ସହ କୋଟପାଡ ବିଜ୍ଞପିତ ଅଂଚଳ ପରିଷଦକୁ ଲକ୍ଡାଉନ କରାଯାଇଛି। ସେହିପରି ଲକ୍ଷ୍ମୀପୁର ବ୍ଲକ ସଦର ପଞ୍ଚାୟତ, ସେମିଳିଗୁଡା ବ୍ଲକର ଚାରାଙ୍ଗୁଲ ପଞ୍ଚାୟତ, ପଟାଙ୍ଗୀ ବ୍ଲକର ସଦର ପଞ୍ଚାୟତ, କୋରାପୁଟ ବ୍ଲକର ମାଥାଲପୁଟ ପଞ୍ଚାୟତ ଓ ବୋରିଗୁମ୍ମା ବ୍ଲକର ସଦର ପଞ୍ଚାୟତକୁ ତାଲାବନ୍ଦରେ ରଖାଯିବ। ଏହି ସମୟ ଭିତରେ ବିଭିନ୍ନ କଟକଣା ଲଗାଯାଇଛି। କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଲେ ଆଉ ସମସ୍ତ ଦୋକାନ, ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିବ। ସପ୍ତାହେ ପର୍ଯ୍ୟନ୍ତ ଏହି ସବୁ ଅଂଚଳ ଲକଡାଉନ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଲକଡାଉନ ସମୟରେ ଫଳ, ପନିପରିବା ଓ ରାସନ ଦୋକାନ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ। ବିଭିନ୍ନ ଜରୁରୀ ସେବାକୁ କଟକଣାରୁ ବାଦ ଦିଆଯାଇଛି। ସାର, ବିହନ, କୃଷି ଯନ୍ତ୍ରପାତି, ଆଦି ଦୋକାନ କଟକଣା ମୁକ୍ତ ରହିବ। ସେହିପରି ଗାଡି ମରାମତି ଓ ସ୍ପେୟାର ପାର୍ଟସ ଦୋକାନ ମଧ୍ୟ ଖୋଲିବ ବୋଲି ଜଣାପଡିଛି। ଅପରପକ୍ଷରେ ଜରୁରୀ ସେବା ଯୋଗାଉଥିବା ସରକାରୀ କାର୍ଯ୍ୟାଳୟ ସବୁ ଖୋଲା ରହିବ। ବ୍ୟାଙ୍କଗୁଡିକ ସକାଳ ୮ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ହେବ। ତେବେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଏହା କାର୍ଯ୍ୟ କରିବ। ପୋଷ୍ଟ ଅଫିସ ମଧ୍ୟ ଖୋଲା ରହିବ। ସ୍ବାସ୍ଥ୍ୟ ସେବା ପ୍ରଦାନ କରୁଥିବା ସଂସ୍ଥା, ଔଷଧ ଦୋକାନ, ପାଥୋଲାବ, ଜଳଯୋଗାଣ, ବିଦ୍ୟୁତ ଯୋଗାଣ ଆଦି ସେବା ସ୍ବାଭାବିକ ଭାବେ ଚାଲିବ ବୋଲି ପ୍ରଶାସନ କହିଛି। ମାଲ ପରିବହନ ଓ ରେଳ ଷ୍ଟେସନକୁ ଯିବା ପାଇଁ ଗାଡି ବ୍ୟବହାର ଉପରେ କଟକଣା ରହିବ ନାହିଁ। ମଦ ଦୋକାନ ବନ୍ଦ ରହୁଥିଲେ ମଧ୍ୟ ହୋମ ଡେଲିଭରି ଉପରେ କଟକଣା ନାହିଁ। ଇଲେକ୍ଟ୍ରିକାଲ ଦୋକାନ ସକାଳ ୮ଟାରୁ ୧ଟା ପର୍ଯ୍ୟନ୍ତ ଖୋଲା ରହିବ।
ଜାତୀୟ ରାଜପଥ କଡରେ ଥିବା ଢାବାଗୁଡିକ ଖୋଲିବ। ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଦୋକାନ ଖୋଲିବା ନେଇ କୌଣସି କଟକଣା ନାହିଁ। ତେବେ ସବୁଠି କୋଭିଡ କଟକଣା ପାଳନ ପାଇଁ ନିର୍ଦେଶ ଦିଆଯାଇଛି। ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ବ ଦିଆଯିବ। ଆଇନ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିନେଇ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି ଯେ, ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ଓ ଭବିଷ୍ୟତରେ ଏଥିରେ ରୋକ ଲଗାଇବା ପାଇଁ ୪ଟି ସହରାଞ୍ଚଳ ଓ ୫ଟି ପଞ୍ଚାୟତକୁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏ ଭିତରେ ଅତ୍ୟାବଶ୍ୟକ ସେବା ଜାରି ରହିବ। ଜରୁରୀ ନ ଥିଲେ ଘରୁ କେହି ବାହାରିବା ଉପରେ କଟକଣା ଲାଗିଛି। ବିନା କାରଣରେ ଦୁଇଚକିଆ ଯାନ ଧରି ଘୁରି ବୁଲିବାକୁ ଅନୁମତି ଦିଆଯିବନି। ଲୋକମାନେ ଏହି କଟକଣାକୁ ମାନିବା ସହ ମାସ୍କ ପିନ୍ଧି ଘରୁ ବାହାରିବାକୁ ଜିଲ୍ଲାପାଳ ପରମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/Luck-Down.jpg)