୧୪ ଦିନିଆ ଆଂଶିକ ଲକ୍‌ଡାଉନ ଘୋଷଣା କଲେ ରାଜ୍ୟ ସରକାର

ମର୍ଣ୍ଣିଂ ୱାକ୍‌ରେ ୩ ଘଣ୍ଟା ବୁଲିପାରିବେ ଲୋକେ, ଖୋଲିବ ମିଠା ଦୋକାନ

ଭୁବନେଶ୍ୱର: ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ନେଇ ରାଜ୍ୟ ସରକାର ବୁଧବାର ବଡ଼ ଘୋଷଣା କରିଛନ୍ତି । କରୋନା ସଂକ୍ରମଣ ପାଇଁ ରାଜ୍ୟରେ ଲାଗୁ ହୋଇଥିବା ଲକ୍‌ଡାଉନ୍ କଟକଣା ପୂର୍ବ ଅପେକ୍ଷା ଅଧିକ କୋହଳ ହୋଇଛି । କଟକଣା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ରାଜ୍ୟରେ ଆସନ୍ତା ୧୪ ଦିନ ପାଇଁ ଆଂଶିକ ଲକଡାଉନ ଲାଗୁ କରାଯାଇଛି । ଏହା ଆସନ୍ତାକାଲି ସକାଳ ୫ଟା ଠାରୁ ଜୁଲାଇ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ରହିବ ।

ମୁଖ୍ୟ ଶାସନ ସଚିବ କହିଛନ୍ତି, ରାଜ୍ୟ ସରକାର ଏହି ଆଂଶିକ ଲକଡାଉନକୁ ୨ଟି ବର୍ଗରେ ଭାଗ କରିଛନ୍ତି । ଏହା କାଟାଗୋରୀ-ଏ ଓ କାଟାଗୋରୀ-ବିରେ ଭାଗ କରାଯାଇଛି । ସୁନ୍ଦରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଂଗପୁର, ମାଲକାନଗିରି, କନ୍ଧମାଳ, ବୌଦ୍ଧ, ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା ଆଦି ୧୭ଟି ଜିଲ୍ଲାରେ କୋଭିଡ ସଂକ୍ରମଣ ହ୍ରାସ ପାଇଛି । ତେଣୁ ରାଜ୍ୟ ସରକାର ଏହି ଜିଲ୍ଲା ଗୁଡ଼ିକରେ ଲକଡାଉନକୁ ଅଧିକ କୋହଳ କରିଛନ୍ତି । ଏହି ସବୁ ଜିଲ୍ଲାଗୁଡ଼ିକରେ ସକାଳ ୬ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲା ରହିବ । ରାଜ୍ୟ ସରକାର ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରଖିବା ପାଇଁ ଆଦେଶ ଦେଇଛନ୍ତି । ଏହି ସମୟ ମଧ୍ୟରେ ଆବଶ୍ୟକ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ଗୁଡ଼ିକ ଖୋଲା ରହିବ ।

ଜାଣନ୍ତୁ କେଉଁ ୧୭ ଜିଲ୍ଲା କାଟାଗୋୀ-‘ଏ’

ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା

ଟିକାକରଣ ଓ ନମୁନା ପରୀକ୍ଷାକୁ ଗୁରୁତ୍ୱ ଦିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ହସ୍‌ପିଟାଲ, ବ୍ୟାଙ୍କିଙ୍ଗ, କୃଷି କାର୍ଯ୍ୟ ଗତିବିଧି ଚାଲୁ ରହିବ । ଶିଳ୍ପ ସଂସ୍ଥାଗୁଡ଼ିକ ପରିଚାଳିତ ହେବ । ନିର୍ମାଣ କାର୍ଯ୍ୟ ଜାରି ରହିବ । ମିଠା ଦୋକାନ ଗୁଡ଼ିକ ଖୋଲିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଜନସାଧାରଣଙ୍କ ସୁବିଧା ପାଇଁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ୩ ଘଣ୍ଟା ପାଇଁ ମର୍ଣ୍ଣିଂ ୱାକ, ଜଗିଂ କରିପାରିବେ । ରାତ୍ରୀକାଳୀନ ପୂର୍ବଭଳି ସବୁଦିନ ରହିବ । ସାପ୍ତାହାନ୍ତ ସଟଡାଉନ ପୂର୍ବଭଳି ରହିବ । ବିବାହ, ବ୍ରତ ଘର ଭୋଜି ପାଇଁ ପୂର୍ବରୁ ଯାହା କଟକଣା ଥିଲା, ତାହା ଜାରି ରହିବ । ରାଜନୈତିକ ସମାରୋହ ହୋଇପାରିବ ନାହିଁ । ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିବ କିନ୍ତୁ ନୀତି ବନ୍ଦ ହେବ ନାହିଁ । କ୍ରୀଡ଼ାସ୍ଥଳ, ଜିମ, ସୁଇମିଂପୁଲ ବନ୍ଦ ରହିବ । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଚାଲିବ । ପାର୍କ, ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସେହିପରି ବସ୍ ଚଳାଚଳ କରିବ ନାହିଁ ।

ଜାଣନ୍ତୁ କେଉଁ ୧୩ ଜିଲ୍ଲା କାଟାଗୋରୀ-‘ବି’

ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା।

ରାଜ୍ୟରେ କୋଭିଡ ସଂକ୍ରମଣ ହ୍ରାସ ପାଇଛି । ପୂର୍ବରୁ ଯାହା ୧୫ ପ୍ରତିଶତ ଥିଲା, ଏବେ ତାହା ୬ ପ୍ରତିଶତକୁ ହ୍ରାସ ପାଇଛି । ଏଥି ପାଇଁ ରାଜ୍ୟବାସୀ ବହୁ ସହଯୋଗ କରିଛନ୍ତି । ଓଡ଼ିଶାରେ କୋଭିଡ ପିକ୍‌ସ୍ତରରେ ଥିଲା । ଲୋକେ ସତର୍କ ରହିଲେ ଏହା ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଉପକୂଳ ଓଡ଼ିଶାର କିଛି ଜିଲ୍ଲା ଗୁଡ଼ିକରେ ଶହ ଶହ ସଂକ୍ରମିତ ଚିହ୍ନଟ ହେଉଛନ୍ତି ବୋଲି ମୁଖ୍ୟ ସଚିବ କହିଛନ୍ତି ।

ସୂଚନାଯୋଗ୍ୟ, କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ହେବା ପରେ ରାଜ୍ୟ ସରକାର ଗତ ମେ’ ମାସ ୫ ତାରିଖ ଠାରୁ ୩ଟି ପର୍ଯ୍ୟାୟରେ ଲକ୍‌ଡାଉନ୍ ଘୋଷଣା କରିଥିଲେ । ୩ୟ ପର୍ଯ୍ୟାୟରେ ଲକ୍‌ଡାଉନ କଟକଣା ଜୁନ ୧୭ ତାରିଖ ସକାଳ ୫ଟା ଯାଏଁ ଥିଲା । ସେହିପରି ୨ ଦିନିଆ ସପ୍ତାହାନ୍ତ ସଟ୍‌ଡାଉନ ମଧ୍ୟ ସାମିଲ ଥିଲା, ଯାହାକି ଏବେ ବି ଜାରି ରହିବ । ରାଜ୍ୟ ଲକ୍‌ଡାଉନ୍ ହେବାପରେ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ଅତ୍ୟାବଶ୍ୟକ ଦୋକାନ ଖୋଲା ରହୁଥିଲା ।

ସମ୍ବନ୍ଧିତ ଖବର