କରୋନାକୁ ‘ନକ୍ ଡାଉନ୍’ କରିବା ପାଇଁ ଏହି ‘ଲକ୍ ଡାଉନ୍’ : ସୁବ୍ରତ ବାଗ୍ଚୀ
ନିଜକୁ, ପରିବାରକୁ ଓ ଜାତିକୁ ବଞ୍ଚାଇବା ନାଗରିକଙ୍କ ଦାୟିତ୍ୱ ହେଉ
ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସକୁ ‘ନକ୍ ଡାଉନ୍’ (ଧୂଳି ଚଟାଇବା) ପାଇଁ ଏହି ‘ଲକ୍ ଡାଉନ୍’( ତାଲା ବନ୍ଦ) ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ବରର ଗୀତଗୋବିନ୍ଦ ସଦନରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ଏହା କହିଛନ୍ତି। ସେ କହିଛନ୍ତି, ନିଜକୁ, ପରିବାରକୁ ଓ ଜାତିକୁ ବଞ୍ଚାଇବା ସବୁ ନାଗରିକଙ୍କ ଦାୟିତ୍ୱ। ଆମେ ନିଜ କଥା ଚିନ୍ତା କରିବା ପୂର୍ବରୁ ପରିବାର ଲୋକଙ୍କ କଥା ବୁଝିବା ଦରକାର। ତେଣୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ବାଗ୍ଚୀ ଜନତା କର୍ଫ୍ୟୁ ଓ ଲକ୍ଡାଉନ ମଧ୍ୟରେ ପାର୍ଥକ୍ୟ କ’ଣ ତାହା ସରଳତାର ସହିତ ବୁଝାଇ ଦେଇଛନ୍ତି। ଜନତା କର୍ଫ୍ୟୁ ୧୪ ଘଣ୍ଟା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ଵାନ କରିଛନ୍ତି। ଏହି ସମୟ ମଧ୍ୟରେ ଟ୍ରେନ, ବସ ଓ ବିମାନ ସେବା ବନ୍ଦ ରହିବ। କିନ୍ତୁ ଲକ୍ଡାଉନ୍ ୧୮୨ ଘଣ୍ଟା ପାଇଁ ବଳବର୍ତ୍ତର ରହିବ। ଏହି ସମୟ ମଧ୍ୟରେ ରେଳ, ବିମାନ, ବସ ଚାଲିବ। ଆମେରିକାର ଅନ୍ୟତମ ବଡ଼ ରାଜ୍ୟ କାଲିଫର୍ଣ୍ଣିଆରେ ଲକଡାଉନ୍ ଆରମ୍ଭ ହୋଇଯାଇଛି। ଏହି ରାଜ୍ୟ ବିଶ୍ୱ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରଖିଥାଏ। କାଲିଫର୍ଣ୍ଣିଆର ଲେକ ସଂଖ୍ୟା ସହ ଓଡ଼ିଶାର ଜନସଂଖ୍ୟା ପ୍ରାୟ ସମାନ। ସେଠାରେ ଲୋକଙ୍କୁ ଘରୁ ବାହାରକୁ ଯିବା ପାଇଁ ମନା କରାଯାଇଛି।
ରାଜ୍ୟ ସରକାର ଘରୋଇ ସଂସ୍ଥାମାନଙ୍କୁ କହିଛନ୍ତି ଯେ ସେମାନେ ଅଫିସ ଆସି ନଥିବା ହେତୁ କୌଣସି ବ୍ୟକ୍ତିଙ୍କ ଦରମା କାଟନ୍ତୁ ନାହିଁ । ଜୀବନରେ ଆମେ ପୁଣ୍ୟ କରିବାକୁ ଚାହିଁଥାଉ। ଆଜି ଭଗବାନ ଆମର ପରୀକ୍ଷା ନେଉଛନ୍ତି। ତେଣୁ ପୁଣ୍ୟ କାମ କରିବା ପାଇଁ ସମସ୍ତେ ଭାବିବା ଉଚିତ। ସଂକ୍ରମଣ ହେଲେ କୌଣସି ସରକାର ସମ୍ଭାଳି ପାରିବେ ନାହିଁ। ପ୍ରତ୍ୟେକ ବ୍ୟକ୍ତି ସଂକ୍ରମଣରୁ ବର୍ତ୍ତିବା ପାଇଁ ସଚେତନ ରହିବା ଦରକାର ବୋଲି ବାଗ୍ଚୀ କହିଛନ୍ତି।
ଶ୍ରୀ ବାଗ୍ଚୀ କହିଛନ୍ତି ଯେ, ରବିବାର ସକାଳ ୭ଟାରୁ ମାର୍ଚ୍ଚ ୨୯ ଯାଏଁ ଲକ୍ ଡାଉନ୍ ହେବ। ଏହି ସମୟରେ ଲୋକେ ଘରେ ରହିବେ। ଏଥି ପାଇଁ ରାଜ୍ୟ ସରକାର ପରାମର୍ଶ ଜାରି କରିଛନ୍ତି। ଅତ୍ୟାବଶ୍ୟକ ହେଲେ ବାହାରକୁ ଯାଇପାରିବେ। ଗ୍ରୋସରୀ, ପରିବା, ମାଛ, ମାଂସ, ଅଣ୍ଡା ଦୋକାନ ଖୋଲା ରହିବ। ସେହିପରି ଓଡ୍ରାଫ, ଦୂରସଂଚାର, ପେଟ୍ରୋଲ ପମ୍ପ, ରେଳ ଷ୍ଟେସନ, ବିମାନବନ୍ଦର ଖୋଲା ରହିବ। ହସ୍ପିଟାଲ, ବ୍ୟାଙ୍କ, ଏଟିଏମ୍, ପୌର ସେବା ଜାରି ରହିବ। ପୁଲିସ, ଅଗ୍ନିଶମ, ପାନୀୟ ଜଳ, ବିଦ୍ୟୁତ ସେବା ବନ୍ଦ ରହିବ ନାହିଁ ବୋଲି ବାଗ୍ଚୀ କହିଛନ୍ତି। କଟକଣା ଉଲଂଘନକାରୀଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ।