ଜଳେଶ୍ୱର: ଜଣେ ମହିଳା ୭ ବର୍ଷ ହେଲା ପଲିଥିନ୍‌ ତଳେ ମୁଣ୍ଡ ଗୁଞ୍ଜିଛନ୍ତି। ତଥାପି ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁନି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଆରୁହା ପଞ୍ଚାୟତର ୫୫ ବର୍ଷ ବୟସ୍କ ଲୁଡଗୀ ସିଂ। ଲୁଡଗୀ ମାତ୍ର ୧୫ ବର୍ଷ ହୋଇଥିବା ବେଳେ ବାପା ଆରପାରିକୁ ଚାଲିଗଲେ। ଜନ୍ମରୁ ରୋଗଗ୍ରସ୍ତ ଲୁଡଗୀ ବିବାହ କରି ନଥିବା ବେଳେ ମାଆ ଭରସାରେ ହିଁ ସେ ଜୀବନ ଜିଉଥିଲେ। ତେବେ ଝିଅକୁ ଏକା କରି ମାଆ ବି ୧୫ ବର୍ଷ ତଳେ ଆରପାରିକୁ ଚାଲିଗଲେ। ଭୂମିହୀନ ଲୁଡଗୀଙ୍କ ଦୁଇ ଭାଇ ଥିଲେ ମଧ୍ୟ ତାଙ୍କୁ ଆଡ଼ଆଖିରେ ଦେଖନ୍ତି ନାହିଁ। ରୋଗଗ୍ରସ୍ତ ଶରୀର ପାଇଁ କାମ କରି ପାରୁ ନଥିବା ଲୁଡଗୀ ଅନ୍ୟମାନଙ୍କ ସହାୟତାରେ ଜୀବନ ବିତାଉଛନ୍ତି। ତଥାପି କେଉଁଦିନ ଖାଇବାକୁ ମିଳେ ତ ଆଉ କେଉଁଦିନ ଉପବାସ ରହିବାକୁ ପଡ଼େ। ଏପରି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ଲୁଡଗୀଙ୍କୁ ଆଜିପର୍ଯ୍ୟନ୍ତ ଭତ୍ତା ମିଳିପାରି ନାହିଁ। ସେହିପରି ବାପାଙ୍କ ପୁରୁଣା ଝାଟିମାଟି ଘର ଭାଙ୍ଗିଯିବା ପରେ ଗତ ୭ ବର୍ଷ ହେଲା ଲୁଡଗୀ ପଲିଥିନ୍‌ ତଳେ ସେ ମୁଣ୍ଡ ଗୁଞ୍ଜିଛନ୍ତି।

Advertisment

ପ୍ରତିବର୍ଷ ପଲିଥିନ୍‌ ଘର ଭାଙ୍ଗିଯାଉଥିବା ବେଳେ ତାଙ୍କର ଜଣେ ପୁତୁରା ବୋହୂ ଓ ଆଉ କିଛି ସମ୍ପର୍କୀୟଙ୍କ ସହାୟତାରେ ସେହି ଘର କେବଳ ସଜଡ଼ା ହେଉଛି। ପ୍ରଧାନମନ୍ତ୍ରୀ ଆବାସ ପାଇଁ ଲୁଡଗୀ ଅନେକଥର ଆବେଦନ କରିଛନ୍ତି। ହେଲେ କିଛି ଫଳ ମିଳିନି। ତେବେ ଏଥର ଆଶା ରଖିଥିଲେ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବ। ହେଲେ ସରକାରଙ୍କ ଦ୍ବାରା ଗତକାଲି ପ୍ରକାଶ ପାଇଥିବା ତାଲିକାରେ ‌ଲୁଡଗୀଙ୍କ ନାମ ନାହିଁ। ଏପରି ସମୟରେ ଜଳେଶ୍ବର ସମ୍ବାଦ ପ୍ରତିନିଧି ଲୁଡଗୀଙ୍କ ଘରକୁ ଯାଇ ସ୍ଥିତି ଦେଖିଥିଲେ। ଲୁଡଗୀ ଶୀତ, କାକର ଓ ଖରାରେ କିପରି ପଲିଥିନ୍‌ ଘର ଭିତରେ ବର୍ଷ ବର୍ଷ ଧରି ରହୁଛନ୍ତି, ସେକଥା କହି କାନ୍ଦି ପକାଇଥିଲେ। କେବଳ ଲୁଡଗୀ ନୁହଁନ୍ତି, ଜଳେଶ୍ୱର ବ୍ଲକ୍‌ରେ ଏମିତି ହଜାର ହଜାର ଯୋଗ୍ୟ ହିତାଧିକାରୀ ଅଛନ୍ତି, ଯେଉଁମାନେ ଗରିବୀ କାରଣରୁ ଭଙ୍ଗାଦଦରା କଚ୍ଚାଘରେ ରହୁଛନ୍ତି। ହେଲେ ଆବାସ ଘର ଖଣ୍ଡେ ମିଳିପାରୁନି। ଫଳରେ ଆବାସ ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।