ଶ୍ରାଦ୍ଧ ଦିବସରେ ଲୁଲୁୁଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଆଜି ଇଡ୍‌କଲ୍‌ ଅଡିଟୋରିୟମ୍‌ରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ କଂଗ୍ରେସ ସଫଳତା ହାସଲ କଲେ, ତାହା ହିଁ ହେବ ଲୁଲୁବାବୁଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ଏଥିରେ ଯୋଗ ଦେଇଥିବା ଦଳୀୟ ନେତାମାନେ ଏହି ମର୍ମରେ ମତବ୍ୟକ୍ତ କରିଥିଲେ।

ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ ଲୁଲୁବାବୁଙ୍କୁ ଝଡ଼ର ଇଗଲ ସହ ତୁଳନା କରିଥିଲେ। ସେ ପ୍ରତିକୂଳ ପରିସ୍ଥିତିକୁ ପ୍ରତିହତ କରିବା ପାଇଁ ଧୈର୍ଯ୍ୟ ଓ ଅଦମ୍ୟ ସାହସର ଅଧିକାରୀ ଥିଲେ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଲୁଲୁବାବୁଙ୍କର ଛାତ୍ର ଓ ଯୁବ ସମାଜ ପ୍ରତି ଥିବା ଅଶେଷ ଶ୍ରଦ୍ଧା ସଂପର୍କରେ ଆଲୋକପାତ କରି କହିଲେ ଯେ ଛାତ୍ର ଓ ଯୁବକମାନେ ସଚେତନ ହେଲେ ସମାଜର ପରିବର୍ତ୍ତନ ହୋଇପାରିବ। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଥିଲେ ଯେ ଲୁଲୁବାବୁ ସଦାସର୍ବଦା ସକରାତ୍ମକ ଚିନ୍ତାଧାରା ପୋଷଣ କରୁଥିଲେ। ସିପିଆଇ ନେତା ତଥା ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ ଲୁଲୁ ମହାପାତ୍ରଙ୍କୁ ଜଣେ ବିପ୍ଳବୀ ବୋଲି ବର୍ଣ୍ଣନା କରିଥିଲେ। ପିସିସି ସାଧାରଣ ସଂପାଦକ ଶୁଭେନ୍ଦୁ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏବଂ ସ୍ମୃତି କମିଟି ସଭାପତି ଚିନ୍ମୟ ବେହୁରାଙ୍କ ସଭାପତିତ୍ୱରେ ଏହି ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁରେଶ କୁମାର ରାଉତରାୟ, ଅନନ୍ତ ପ୍ରସାଦ ସେଠୀ, ଗଣେଶ୍ୱର ବେହେରା, ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ, ନିମାଇଁ ସରକାର, ବିଜୟଲକ୍ଷ୍ମୀ ସାହୁ, ସନ୍ଧ୍ୟା ମହାପାତ୍ର, ଶିବାନନ୍ଦ ରାୟ, ଆଲୋକ ମିଶ୍ର, ବିରେନ୍‌ ସେନାପତି, ସଂଗ୍ରାମ କେଶରୀ ଜେନା, ଚିନ୍ମୟ ସୁନ୍ଦର ଦାସ, ହେମନ୍ତ ବିଶ୍ୱାଳ, ଗୌରପ୍ରସାଦ ନନ୍ଦ, ଅମୀୟ ଦାସ, ଆଦିତ୍ୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର