ଲୁଲୁ ମହାପାତ୍ରଙ୍କ ପତ୍ନୀ ନମିତା ଅସୁସ୍ଥ, ଦୁଇ ମାସ ‌ହେବ ଡାକ୍ତରଖାନାରେ

ପୁରୀ: ଓଡ଼ିଶାର ଚର୍ଚ୍ଚିତ କଂଗ୍ରେସ ‌ନେତା ତଥା ବ୍ରହ୍ମଗିରିରୁ ତିନି ଥର ବିଧାୟକ ହୋଇଥିବା ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର(ଲୁଲୁ)ଙ୍କ ଧର୍ମପତ୍ନୀ ନମିତା ସାହୁ( ମହାପାତ୍ର) ଆଜିକୁ ଦୁଇ ମାସ ହେବ ଅସୁସ୍ଥ ଥିବା ଜଣାପଡ଼ିଛି। ଶ୍ରୀମତୀ ମହାପାତ୍ର ଦୁଇମାସ ହେବ ଭୁବନେଶ୍ବରର କିମ୍‌ସ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି। ତେବେ ଶ୍ରୀମତୀ ମହାପାତ୍ରଙ୍କ ଅସୁସ୍ଥତା ‌ଯେତିକି ଚିନ୍ତାଜନକ ନୁହେଁ, ହସ୍ପିଟାଲ ଭିତରେ ତାଙ୍କ ଅସହାୟତା ଓ ନିସଙ୍ଗତାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ମେଡିକାଲ ୱାର୍ଡରେ ନମିତା ଏକା ଏକା ଦିନ କାଟୁଛନ୍ତି। ଆ‌ହା ପଦେ କହିବାକୁ ତାଙ୍କ ପାଖରେ କେହି ନାହାନ୍ତି। ବିନା ଆଟେଣ୍ଡାଣ୍ଟରେ ରହି ଚିକିତ୍ସିତ ହେଉଛନ୍ତି। ବିଳାସରେ ଦିନ କାଟୁଥିବା ନମିତା ଏବେ ପରିସ୍ଥିତିର ଦାସ ହୋଇପଡ଼ିଛନ୍ତି। ହସ୍ପିଟାଲରେ ରୋଗୀଙ୍କ ଦିଆ ଯାଉଥିବା ଖାଦ୍ୟ ହିଁ ତାଙ୍କ ଜୀବନ ଆଧାର ହୋଇଛି। ଭଲ, ମନ୍ଦ ବୁଝିବାକୁ ପରିବାର ଲୋକ ମଧ୍ୟ ତାଙ୍କ ପାଖକୁ ଆସୁନାହାନ୍ତି।

ଏ ପ୍ରସଙ୍ଗରେ ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଶ୍ବଶୁର ତଥା ପୂର୍ବତନ ସାଂସଦ ନାରାୟଣ ସାହୁ କହିଛନ୍ତି, ଝିଅର ଦେହ ଖରାପ ଅଛି। ଅତ୍ୟାଧିକ ସୁଗାର ବଢ଼ିଯାଇଛି। ତାଙ୍କ ଝିଅଙ୍କ ସହିତ ସେ କଥା ହେଉଛନ୍ତି। ‌ହେଲେ ତାଙ୍କ ପାଖକୁ ଯାଇପାରିନାହାନ୍ତି। ତାଙ୍କ ଝିଅ ଅସହାୟତା ପ୍ରକାଶ କରିଛନ୍ତି। ଖାଲି ଏତିକି କହୁଛନ୍ତି, ସେ ଆଉ ଘରକୁ ଫେରିବାକୁ ଚାହୁଁନାହାନ୍ତି। ଘରେ ରହିଲେ ତାଙ୍କୁ ଅଣନିଶ୍ବାସୀ ଲାଗୁଛି। ଏହି ହସ୍ପିଟାଲରେ ହିଁ ତାଙ୍କୁ ଶାନ୍ତି ମିଳୁଥିବା ସେ କହିଛନ୍ତି। ଶ୍ରୀ ସାହୁ ଆହୁରି କହିଛନ୍ତି, ନମିତା ଜଣେ ରାଜନୈତିକ ପରିବାର ଲୋକ। ତେଣୁ ସେ ଅଧିକ କିଛି କହିବାକୁ ଚାହୁଁନାହ‌ାନ୍ତି। ନମିତାଙ୍କର ରାଜନୀତିରେ ରୁଚି ଥିଲା। ସେ ଶୈଳବାଳା ମହିଳା ମହାବିଦ୍ୟାଳୟରେ ସଭାନେତ୍ରୀ ଥିଲେ। ଲୁଲୁଙ୍କୁ ବିବାହ କଲେ। ସେ ରାଜନୀତି କରୁ ଚାହୁଁଥିଲେ। ମାତ୍ର ତାଙ୍କୁ ଲୁଲୁ ସୁଯୋଗ ଦେଇ ନ ଥିଲେ। ଏବେ ସେ ମାନସିକସ୍ତରରେ ଭାଂଗିପଡ଼ିଛି। କ‌ାହିଁକି ତ‌ା’ର ଏ ଅବସ୍ଥା ତାହ‌ା ଆପଣମାନେ ଖୋଜନ୍ତୁ ବୋଲି ଶ୍ରୀ ସାହୁ ଓଲଟା କହିଥିଲେ। ତେବେ ଶ୍ରୀମତୀ ମହାପାତ୍ରଙ୍କ ଏ ଅବସ୍ଥା ହଠାତ୍ କାହିଁକି ‌ହେଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ୬ ମାସ ତଳେ ସବୁ କିଛି ଠିକଠାକ୍ ଥିବା ନମିତାଙ୍କ ଏଭଳି ଅବସ୍ଥା କାହିଁକି ବିଗିଡ଼ିଗଲା? ମାନସିକସ୍ତରରେ ସେ କାହିଁକି ଭାଂଗି ପଡ଼ିଛନ୍ତି ? ତାଙ୍କ ବିରୋଧରେ କିଛି ଷଡ଼୍‌ଯନ୍ତ୍ର ହୋଇନାହିଁ ତ? ତାକୁ ନେଇ ଏବେ ଭୁବନେଶ୍ବରରୁ ବ୍ରହ୍ମଗିରି ଲୁଲୁ ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା।

ସୂଚନାଯୋଗ୍ୟ, ଲୁଲୁଙ୍କ ମୃତ୍ୟୁ ପରେ ଲୁଲୁଙ୍କ ପରିବାର କଂଗ୍ରେସ ଛାଡ଼ିଥିଲେ ଏବଂ ବିଜେପି ତାଙ୍କ ଭାଇ ଲଲିତେନ୍ଦୁଙ୍କୁ ବ୍ରହ୍ମଗିରିରୁ ଦଳୀୟ ଟିକେଟ ଦେଇଥିଲା। ନିର୍ବାଚନ ପ୍ରଚାର ବେଳେ ଲୁଲୁଙ୍କ ପତ୍ନୀ ନମିତା ମଧ୍ୟ ଅକ୍ଳାନ୍ତ ପରିଶ୍ରମ କରିଥିଲେ। ଗାଁ ଗାଁ ବୁଲି ଲଳିତେନ୍ଦୁଙ୍କ ପାଇଁ ଭୋଟ ମାଗିଥିଲେ। ତେବେ ଏବେ କେଉଁ ପରିସ୍ଥିତି ଉପୁଜିଲା ଯେ, ଗତ ୫ ମାସ ତ‌ଳେ ନିର୍ବାଚନ ପ୍ରଚାରକୁ ଯାଇଥିବା ଶ୍ରୀମତୀ ମହାପାତ୍ରଙ୍କ ହଠାତ ଏଭଳି ମାନସିକ ଆଘାତ ପାଇଲେ? ଏ ସଂପର୍କରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ପଚାରିବା‌ରେ ଏହା ତାଙ୍କର ପରିବାରର କଥା, ଏଥିରେ ନ ପଶିବାକୁ ନିବେଦନ କରିଛନ୍ତି। ତେବେ ସେ ଅସୁସ୍ଥ ଥିବା କଥାକୁ ସ୍ବୀକାର କରିଛନ୍ତି। ଅଧିକ କିଛି କହିବାକୁ ମନା କରିଦେଇଛନ୍ତି।

ସମ୍ବନ୍ଧିତ ଖବର