ପୁରୀ: ଆସନ୍ତା ୨୮ତାରିଖ ଦିନ (କୁମାର ପୂର୍ଣ୍ଣିମା) ଅବସରରେ ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ରଗ୍ରହଣ ପଡୁଛି। ଏଥିପାଇଁ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତି ଅନୁଷ୍ଠିତ ହେବ। ଏହି ଦିନ ଚକ୍ରରାଜ ସୁଦର୍ଶନ ଚାରିଆଶ୍ରମ ପରିକ୍ରମା କରି ରତ୍ନସିଂହାସନରେ ବିଜେ କରିବେ ଯାହା ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ପାକତ୍ୟାଗ ସମୟ ଦିନ ୪ଟା ୪ମିନିଟ ୫୫ସେକେଣ୍ଡ ପୂର୍ବରୁ ସମ୍ପନ୍ନ ହେବ। ସେଥିପାଇଁ ସମସ୍ତ ପାଳିଆ ସେବକଙ୍କର ସହଯୋଗ କାମନା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୂ ନିଆଯାଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଅନ୍ୟପଟେ ୧ଘଣ୍ଟା ୧୯ ସେକଣ୍ଡର ଚନ୍ଦ୍ର ଗ୍ରହଣକୁ ଦେଖିବାରେ ସୁଯୋଗ ରହିଛି। ୬ଟି ରାଶି ପାଇଁ ଅଶୁଭ ଥିବାବେଳେ ଅନ୍ୟ ୬ଟି ରାଶି ପାଇଁ ଶୁଭଫଳ ରହିଛି ବୋଲି କହିଛନ୍ତି ଜ୍ୟୋତିର୍ବିଦ।
ଚଳିତ ବର୍ଷ କୁମାର ପୂର୍ଣ୍ଣିମାରେ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବ। ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତ୍ରି ୧ଘଣ୍ଟା ୪ ମିନିଟ୍ ୫୫ସେକେଣ୍ଡ। ଗ୍ରହଣ ସର୍ବମୋକ୍ଷ ରାତ୍ରି ୨ଟା ୨୪ ମିନିଟ୍ ୨ ସେକେଣ୍ଡ। ଅର୍ଥାତ ଗ୍ରହଣର ଅବଧି ୧ଘଣ୍ଟା ୧୯ମିନିଟ ୭ସେକେଣ୍ଡ। ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ୪ ଘଣ୍ଟା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ରାତ୍ର ୨ଟା ୨୪ମିନିଟି ୨ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ, ଅନ୍ନ ଭୋଜନ ଓ ଦେବନୀତି ନିଷିଦ୍ଧ। କିନ୍ତୁ ଶ୍ରୀମନ୍ଦିରରେ ଗ୍ରହଣ ସ୍ପର୍ଶ ହେବା ମାତ୍ରେ ନୀତିକାନ୍ତି ଆରମ୍ଭ ହୋଇଥାଏ। ଏହା ଶ୍ରୀମନ୍ଦିରର ସ୍ଵତନ୍ତ୍ରତା। ଏହି ଦିନ ଚକ୍ରରାଜ ସୁଦର୍ଶନ ଚାରିଆଶ୍ରମ ପରିକ୍ରମା କରିଥାନ୍ତି। ପ୍ରଥମେ ମାର୍କେଣ୍ଡେୟ ଆଶ୍ରମ, ଅଙ୍ଗିରା, ଭୃଗୁ ଶେଷରେ କଣ୍ଡୁ ଆଶ୍ରମ ବିଜେ କରିଥାନ୍ତି। ଚକ୍ରରାଜ ସୁଦର୍ଶନ ମଧ୍ୟାହ୍ନ ଧୂପ ପରେ ରତ୍ନ ସିଂହାସନରୁ ଆସି ଚଉଦୋଳରେ ବିଜେ ହୋଇ ପରିକ୍ରମା କରିବା ପରେ ପାକତ୍ୟାଗ ପୂର୍ବରୁ ରତ୍ନସିଂହାସନ ରେ ବିଜେ କରିବେ। ନିତି ସବକମିଟି ବୈଠକରେ ଗ୍ରହଣକୁ ନେଇ ଆଲୋଚନା ହୋଇଛି। ସେବାୟତ ମାନେ ନିତି ଶୃଙ୍ଖଳିତ କରିବାକୁ ପରାମର୍ଶ ଦିଆଯାଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ।
ଜ୍ୟୋତିର୍ବିଦ୍ ପଣ୍ଡିତ ପଦ୍ମନାଭ ତ୍ରିପାଠୀ କହିଛନ୍ତି, ଗ୍ରହଣ ସ୍ପର୍ଶ ସମୟରୁ ହିଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସ୍ନାନ, ଗ୍ରହଣ ଖଇକୋରା ଭୋଗ ନୀତି ସମ୍ପନ୍ନ ହେବ। ୬ଟି ରାଶି ପାଇଁ ଶୁଭ ହୋଇଥିବା ବେଳେ ୬ଟି ରାଶି ପାଇଁ ଅଶୁଭ ଫଳଦାୟକ ହୋଇଥାଏ। ମେଷ, ବୃଷ, କର୍କଟ, ସିଂହ, କନ୍ୟା ତୁଳା ପାଇଁ ଅଶୁଭ ଥିବା ବେଳେ ମିଥୁନ, ବିଛା, ଧନୁ, ମକର, କୁମ୍ଭ ଓ ମୀନପାଇଁ ଶୁଭ ଫଳଦାୟକ। ସେପଟେ କୁମାର ପୂର୍ଣ୍ଣିମାର ଠିକ ପରଦିନ କାର୍ତ୍ତିକ ବ୍ରତ ଧାରିଣି ହବିଷ୍ୟାଳୀମାନେ ବ୍ରତ ସଂକଳ୍ପ କରିବେ ଓ ସେହିଦିନ ଚକ୍ରରାଜ ସୁଦର୍ଶନ ମହାପ୍ରଭୁ ଚାରିଆଶ୍ରମ ବିଜେ କରିବେ ସେଥିପାଇଁ ପାଳିଆ ମାନେ ତ୍ବାରାନବିତ ନୀତିକାନ୍ତି କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/f00a43cf-7193-4eb8-ba08-4541fb3b64e6.jpeg)