ନବୀନଙ୍କ ଆମନ୍ତ୍ରଣ ରକ୍ଷା କରି ମଧ୍ୟାହ୍ଣ ଭୋଜନରେ ଏକାଠି ହେଲେ ଅମିତ ଶାହା, ନୀତୀଶ କୁମାର, ମମତା ବାନାର୍ଜୀ ଓ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ବର: ରାଜନୈତିକଭାବେ ଭିନ୍ନମତ ପୋଷଣ କରୁଥିବା ଦେଶର ୪ ଜଣ ଜଣାଶୁଣା ନେତା ଗୋଟିଏ ଟେବୁଲରେ ଏକାଠି ବସି ମଧ୍ୟାହ୍ନ ଭୋଜନ କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଆମନ୍ତ୍ରଣ କ୍ରମେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୂର୍ବାଞ୍ଚଳ ପରିଷଦ ବୈଠକ ପରେ ନବୀନ ନିବାସରେ ଏକତ୍ର ମଧ୍ୟାହ୍ନ ଭୋଜନ କରିଛନ୍ତି। ସ୍ବତନ୍ତ୍ର ଭାବେ ମଧ୍ୟାହ୍ଣ ଭୋଜନକୁ ନିମନ୍ତ୍ରିତ ହୋଇଥିଲେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ତଥା ଓଡ଼ିଶାରେ ବିଜେପିର ତୁଙ୍ଗ ନେତା ଧର୍ମେନ୍ଦ୍ର ପ୍ରଧାନ।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ସ୍ପଷ୍ଟ କରୁଛି ଯେ ଯଦିଓ ରାଜନୈତିକ ବିଚାରଧାରା ଓ ଅଭିବ୍ୟକ୍ତି ଦୃଷ୍ଟିରୁ ୩ ମୁଖ୍ୟମନ୍ତ୍ରୀ ଓ ୨ କେନ୍ଦ୍ରମନ୍ତ୍ରୀଙ୍କର କୌଣସି ସାମଞ୍ଜସ୍ୟ ନାହିଁ କିନ୍ତୁ ବ୍ୟକ୍ତିଗତ ସ୍ତରରେ ଏକତ୍ରିତ ହେବାରେ ବି କୌଣସି ଅସୁବିଧା ନାହିଁ। ସାଧାରଣ ଭାବେ ସାମାଜିକ ଉତ୍ସବରେ ଏହା ଦେଖିବାକୁ ମିଳିଥାଏ, ମାତ୍ର ଆଜି ଏକ ସରକାରୀ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଆମନ୍ତ୍ରଣ କ୍ରମେ ତାଙ୍କ ବାସଭବନରେ ଭୋଜନ କରିବା ସହ ବେଶ୍ କିଛି ସମୟ ଅତିବାହିତ କରିଛନ୍ତି ନବୀନ, ନୀତୀଶ, ମମତା, ଅମିତ ଶାହା ଓ ଧର୍ମେନ୍ଦ୍ର।
ସିଏଏ ପ୍ରସଙ୍ଗକୁ ନେଇ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ତୀବ୍ର ବିରୋଧ କରୁଥିବା ବେଳେ ଓଡ଼ିଶା ଓ ବିହାରର ମୁଖ୍ୟମନ୍ତ୍ରୀ ସେମାନଙ୍କ ରାଜ୍ୟରେ ଏନପିଆର୍ ଲାଗୁକୁ ଗ୍ରହଣ କରିନାହାନ୍ତି। କୌତୁହଳର ବିଷୟ ହେଲା, ନିର୍ବାଚନ ସମୟରେ ନବୀନଙ୍କୁ କଡା ସମାଲୋଚନା କରୁଥିବା ଅମିତ ଶାହା ତାଙ୍କ ସହ ମଧ୍ୟାହ୍ନ ଭୋଜନ କରିବାରେ ଆଦୌ ଅସହଜ ହୋଇନାହାନ୍ତି। ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ଅମିତ ଶାହାଙ୍କ କଠୋର ସମାଲୋଚକ ଭାବେ ଜଣାଶୁଣା। ସିଏଏକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ମୂଳରୁ କଡା ବିରୋଧ କରି ଆସିଛନ୍ତି, କିନ୍ତୁ ସେ ବି ବିନା ଦ୍ବିଧାରେ ଅମିତ ଶାହାଙ୍କ ସହ ଭୋଜନରେ ଏକତ୍ରିତ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, ନବୀନଙ୍କ ସହ ମଧ୍ୟାହ୍ନ ଭୋଜନ କରିବା ପରେ ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସ୍ତରୀୟ ସିଏଏ ସମର୍ଥନ ସମାବେଶରେ ଯୋଗ ଦେବେ। ସେହିପରି କେନ୍ଦ୍ର ସରକାରଙ୍କ ନୀତିର କଡ଼ା ସମାଲୋଚନା କରୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିହାର ବିଧାନସଭାରେ ଏନପିଆର ଲାଗୁକୁ ବିରୋଧ ଲାଗି ପ୍ରଥମ ଏନଡିଏ ରାଜ୍ୟ ଭାବେ ସଂକଳ୍ପ ପାରିତ କରିଛନ୍ତି। ତାଙ୍କର ମଧ୍ୟ କେନ୍ଦ୍ରସରକାର ଓ ଗୃହମନ୍ତ୍ରୀଙ୍କ ସହ ରାଜନୈତିକସ୍ତରରେ ମଧୁର ସଂପର୍କ ନ ଥିବା ଜଣାଶୁଣା କଥା। ଏତେ ସବୁ ରାଜନୈକ ବିରୋଧାଭାସ ପରେ ବି ମଧ୍ୟାହ୍ନ ଭୋଜନ ଟେବୁଲରେ ଦେଶର ତୁଙ୍ଗ ରାଜନେତାମାନେ ଏକତ୍ରିତ ହେଇଛନ୍ତି।