ଏଣିକି ହାଇସ୍କୁଲ ପିଲାଙ୍କୁ ମଧ୍ୟାହ୍ନଭୋଜନ, କେନ୍ଦୁଝରରେ ସହାୟତାର ହାତ ବଢ଼ାଇଲା ଡିଏମ୍‌ଏଫ୍‌

କେନ୍ଦୁଝର: ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠି (ଡିଏମ୍‌ଏଫ୍‌) ସହାୟତାରେ ଏଣିକି ଜିଲ୍ଲାର ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନଭୋଜନ। ସେମାନଙ୍କୁ ବି ମିଳିବ ପୋଷାକ ଏବଂ ପାଠ୍ୟ ପୁସ୍ତକ। ଏହାଦ୍ବାରା ଜିଲ୍ଲାର ବହୁ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ଡିଏମ୍‌ଏଫ୍‌ ପକ୍ଷରୁ ଓଡ଼ିଶା‌ରେ ପ୍ରଥମଥର ପାଇଁ ଏଭଳି ବ୍ୟବସ୍ଥା ହୋଇଛି ବୋଲି ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି।

ଦଶମ ଶ୍ରେଣୀ ପରେ ସେମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇଦେବା ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ସାଧାରଣତଃ ଜିଲ୍ଲାରେ ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ୧୦୦ ପିଲା ମଧ୍ୟରୁ ୬୦ ରୁ କମ୍ ପିଲା ଦଶମ ଶ୍ରେଣୀ ପରେ ପାଠପଢା ଜାରି ରଖିଥାଆନ୍ତି। ଏହାର ମୁଖ୍ୟ କାରଣ ହେଉଛି – ଅଷ୍ଟମ ଶ୍ରେଣୀ ପରେ ପିଲା ମାଗଣାରେ ପାଠ୍ୟପୁସ୍ତକ, ୟୁନିଫର୍ମ ପୋଷାକ ଏବଂ ମଧ୍ୟାହ୍ନ ଭୋଜନ ସୁବିଧା ପାଇ ନଥା’ନ୍ତି। କେନ୍ଦୁଝର ପରି ସାମାଜିକ ଏବଂ ଆର୍ଥିକ କ୍ଷେତ୍ରରେ ପଛୁଆ ଜିଲ୍ଲାରେ ୫୫ ପ୍ରତିଶତ ଜନସଂଖ୍ୟା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର। ଡିଏମ୍‌ଏଫ୍‌ ଆନୁକୂଲ୍ୟରେ ଏହି ପଦକ୍ଷେପ ଆଗାମୀ ଦିନରେ ଜିଲ୍ଲାରେ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବ ବୋଲି ଜିଲ୍ଲାପାଳ ଶ୍ରୀ ଠାକରେ କହିଥିଲେ। ଜିଲ୍ଲାପାଳଙ୍କ ଦରବାର ହଲ୍‌ଠାରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଠାକରେ କହିଥିଲେ ଯେ, ଅଷ୍ଟମ ଶ୍ରେଣୀ ପରେ ପାଠ ଛାଡୁଥିବା ପିଲାଙ୍କୁ ନବମ ଓ ଦଶମ ଶ୍ରେଣୀରେ ପଢିବା ପାଇଁ ଏହି ଯୋଜନା ପ୍ରୋତ୍ସାହିତ କରିବ। କେବଳ ସେତିକି ନୁହେଁ କିଶୋର ଅବସ୍ଥାରେ ଆବଶ୍ୟକୀୟ ପୁଷ୍ଟିସାଧନ ଏବଂ ସେମାନଙ୍କୁ ହାଇସ୍କୁଲ ପାଠପଢା ସଫଳତାର ସହ ସମ୍ପୂର୍ଣ୍ଣ କରିବା ପାଇଁ ଏହି ଯୋଜନା କରାଯାଇଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡ. ଉଦ୍ଧବଚନ୍ଦ୍ର ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷାର ଗୁଣାତ୍ମକ ବିକାଶ ପ୍ରକ୍ରିୟାକୁ ଏହା ତ୍ୱରାନ୍ୱିତ କରିବ ବୋଲି ସେ କହିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର, ଡିଏମ୍‌ଏଫ୍‌ର ବରିଷ୍ଠ ପ୍ରକଳ୍ପ ଅଧିକାରୀ ଫରହାନ୍ ଶେଖ୍ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ ମାଧ୍ୟମରେ ଡିଏମ୍‌ଏଫ୍ ସୌଜନ୍ୟରେ ମଧ୍ୟାହ୍ନ ଭୋଜନ, ପୋଷାକ ଓ ପାଠ୍ୟ ପୁସ୍ତକ ପ୍ରଦାନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ଡିଏମ୍‌ଏଫ୍‌ର ଟିମ୍ ଲିଡର୍ ପ୍ରସନ୍ନା କ୍ରିଷ୍ଣନ୍‌ଙ୍କ ନେତୃତ୍ୱରେ କମ୍ୟୁନିକେସନ୍ ଅଫିସର ସୁମନ୍ତ କୁମାର ମୁଦୁଲି ଏବଂ ଡିଏମ୍‌ଏଫ୍‌ର ଅନ୍ୟ କର୍ମକର୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଜିଲ୍ଲା କଲ୍ୟାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାଶ ଧନ୍ୟବାଦ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ , ଜାତୀୟ ଶିକ୍ଷା ନୀତି ୨୦୧୯ ଆଧାରରେ ଏହି ପଦକ୍ଷେପ ନିଆଯାଇଛି ଏବଂ ଏହା କାର୍ଯ୍ୟକାରୀ କରିବା ପାଇଁ ଡିଏମ୍‌ଏଫ୍‌ ତରଫରୁ ବାର୍ଷିକ ୨୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ଜିଲ୍ଲାରେ ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ପ୍ରାୟ ୫୦ ହଜାର ପିଲା ପ୍ରତିବର୍ଷ ଉପକୃତ ହେବେ । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷାରେ ଉତ୍ତମ ଫଳାଫଳ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ଡିଏମ୍‌ଏଫ୍ ତରଫରୁ ଛାତ୍ରବୃତ୍ତି ପ୍ରଦାନ ସେମାନଙ୍କର ଉଚ୍ଚ ଶିକ୍ଷାରେ ସହାୟକ ହେବ।

ସମ୍ବନ୍ଧିତ ଖବର