ଭୁବନେଶ୍ବର: ଆସନ୍ତା ୨ ତାରିଖରୁ ପ୍ରାଥମିକ ବିଦ୍ୟାଳୟରେ ‘ଶିଶୁ ବାଟିକା’ ଖୋଲିବାକୁ ଯାଉଛି। ୫ରୁ ୬ ବର୍ଷ ବୟସର ପିଲାଙ୍କ ନାମଲେଖା ଶିଶୁ ବାଟିକାରେ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପିଲାଙ୍କୁ ଅଧିକ ପୁଷ୍ଟିସାର ଖାଦ୍ୟ ଯୋଗାଇବା ପାଇଁ ସପ୍ତାହର ସୋମବାର, ବୁଧବାର ଓ ଶୁକ୍ରବାର ଗୋଟିଏ ଲେଖାଁଏ ଅଣ୍ଡା ଏବଂ ମଙ୍ଗଳବାର, ଗୁରୁବାର ଓ ଶନିବାର ମାଣ୍ଡିଆ ଲଡ଼ୁ ଖାଇବାକୁ ଦିଆଯିବ ବୋଲି ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ଦିଆଯିବାକୁ ଥିବା ମଧ୍ୟାହ୍ନଭୋଜନ ବାବଦରେ ‘ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା’ ବଜେଟ୍ରୁ ୫୭୦ କୋଟି ୭୧ ଲକ୍ଷ ଟଙ୍କା ବ୍ୟୟ କରାଯିବ।
ଅନ୍ୟପକ୍ଷରେ ଏଣିକି ମଧ୍ୟାହ୍ନଭୋଜନରେ ପିଲାମାନଙ୍କୁ ସପ୍ତାହକୁ ଆଉ ଗୋଟିଏ ଲେଖାଁଏ ଅଣ୍ଡା ଦିଆଯିବ। ଏବେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଗ୍ରହଣ କରୁଥିବା ପିଲାମାନଙ୍କୁ ସପ୍ତାହକୁ ଦୁଇ ଦିନ ଅର୍ଥାତ୍ ବୁଧବାର ଓ ଶନିବାର ଗୋଟିଏ ଲେଖାଁଏ ଅଣ୍ଡା ଦିଆଯାଉଛି। ଆଗକୁ ୯ମ ଓ ୧୦ମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନଭୋଜନ ଦିଆଯିବ। ତେଣୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାମାନଙ୍କୁ ଏପ୍ରିଲ ମାସରୁ ସପ୍ତାହକୁ ତିନି ଦିନ ଅଣ୍ଡା ଖାଇବାକୁ ଦିଆଯିବ। ଶୁକ୍ରବାର ଦିନ ପିଲାଙ୍କୁ ମଧ୍ୟାହ୍ନଭୋଜନରେ ଅଣ୍ଡା ପ୍ରଦାନ ଦିଗରେ ସ୍କୁଲଗୁଡ଼ିକ ପଦକ୍ଷେପ ନେବେ। ଏ ସମ୍ପର୍କରେ ପିଏମ୍ ପୋଷଣର ରାଜ୍ୟ ନୋଡାଲ୍ ଅଧିକାରୀ ଗିରିଶ ଚନ୍ଦ୍ର ସିଂ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/mid-day-meal.jpg)