ଗଞ୍ଜାମ ଜିଲ୍ଲାରେ ଶହେ ଠିପିବନ୍ଦ ବିଦେଶୀ ମଦ ଦୋକାନ, ଲଟେରି ଜରିଆରେ ମିଳିବ ଲାଇସେନ୍ସ୍

ବ୍ରହ୍ମପୁର : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ରାଜସ୍ବ ଆଦାୟକୁ ବେଶ୍‌ ଗୁରୁତ୍ବ ଦେଉଛନ୍ତି। କରୋନା ଜନିତ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ପାଇଁ ରାଜସ୍ବ ଆଦାୟ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଏହାର ଭରଣା ପାଇଁ ବର୍ତ୍ତମାନ ରାଜ୍ୟ ସରକାର ବହୁ ଚିନ୍ତା କରିଛନ୍ତି। ରାଜସ୍ବ ଆଦାୟ କ୍ଷେତ୍ରରେ ମଦରୁ ସରକାର ବିପୁଳ ରାଜସ୍ବ ଆଦାୟ କରିଥାନ୍ତି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଅବକାରୀ କ୍ଷେତ୍ରରେ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ବର୍ଷ ରାଜ୍ୟର ସମସ୍ତ ଠିପିବନ୍ଦ ବିଦେଶୀ ମଦ ଦୋକାନ ପାଇଁ ଲଟେରି ବ୍ୟବସ୍ଥା କରାଯିବ ଏବଂ ଏହି ମାଧ୍ୟମରେ ଲାଇସେନ୍ସ ପ୍ରଦାନ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।
ଲଟେରି ଜରିଆରେ ଲାଇସେନ୍ସ୍ ପ୍ରଦାନ କରାଗଲେ ବହୁ ନୂଆ ଆବେଦନକାରୀ ଏଥିରେ ସାମିଲ ହୋଇପାରିବେ ଏବଂ ରାଜ୍ୟ ରାଜକୋଷକୁ ଅଧିକା ରାଜସ୍ବ ଆସିପାରିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଏହି ନୂଆ ପ୍ରକ୍ରିୟାରେ ରାଜ୍ୟ ସରକାର ଅଧିକା ରାଜସ୍ବ ପାଇବେ ସତ, କିନ୍ତୁ ଯେଉଁମାନେ ଦୀର୍ଘ ଦିନ ଧରି ଏହି ବ୍ୟବସାୟ ସହ ସଂପୃକ୍ତ ସେମାନେ ଏବେ ଅଡ଼ୁଆରେ ପଡିଯାଇଛନ୍ତି। ଦୀର୍ଘ ବର୍ଷ ଧରି ଯେଉଁ ଠିପିବନ୍ଦ ମଦ ଦୋକାନର ଲାଇସେନ୍ସ୍ ପାଇ ବ୍ୟବସାୟ କରୁଥିଲେ ଚଳିତ ବ୍ୟବସ୍ଥା ଅର୍ଥାତ୍ ଲଟେରିରେ ପାଇବେ ନା ଅନ୍ୟ କେହି ପାଇଯିବ ସେଥିନେଇ ଅକଳରେ ପଡ଼ିଯାଇଛନ୍ତି। ମଦ ଦୋକାନର ଲାଇସେନ୍ସ୍ ପାଇବା ପାଇଁ ଜଣେ ଜଣେ ବ୍ୟବସାୟୀ ଏକାଧିକ ନାମରେ ଆବେଦନ କରିବାର ସମ୍ଭାବନା ରହିଛି।
Amar Ujala
ଗଞ୍ଜାମ ଜିଲ୍ଲାରେ ମୋଟ ୧୦୦ଟି ଠିପିବନ୍ଦ ବିଦେଶୀ ମଦ ଦୋକାନ ରହିଛି। ଲଟେରି ପ୍ରକ୍ରିୟାରେ ଭାଗ ନେବା ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଧାରିତ ଫର୍ମ ସହିତ ୧ଲକ୍ଷ ଟଙ୍କା ପୈଠ କରିବାକୁ ପଡ଼ିବ। ଏହି ଟଙ୍କା ଆଉ ଫେରସ୍ତ କରାଯିବ ନାହିଁ। ଏଣୁ ୧୦୦ ଦୋକାନ ପାଇଁ ଅତି କମ୍‌ରେ ଜଣେ ଲେଖାଏଁ ଆବେଦନ କଲେ ରାଜ୍ୟ ରାଜକୋଷକୁ ସିଧାସଳଖ ୧କୋଟି ଟଙ୍କା ଯିବ। କେବଳ ଗଞ୍ଜାମ ଜିଲ୍ଲାରୁ ସର୍ବନିମ୍ନ ୧କୋଟି ଆଦାୟ ହେଉଥିବା ବେଳେ ରାଜ୍ୟର ଅନ୍ୟ ଜିଲ୍ଲାରୁ ମଧ୍ୟ ଏଭଳି ରାଜସ୍ବ ଆଦାୟ ହେବ। ପ୍ରଥମଥର ପାଇଁ ରାଜ୍ୟରେ ଏହି ଲଟେରି ବ୍ୟବସ୍ଥା ଲାଗୁ କରାଯାଇଛି। ବିଗତ ବର୍ଷରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ବିଭିନ୍ନ କାରଣ ଯୋଗୁଁ ତାହା ସମ୍ଭବ ହୋଇ ନଥିଲା। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଏହା କଡ଼ାକଡ଼ି ଭାବେ ଲାଗୁ କରାଯାଇଛି।
ଗଞ୍ଜାମ ଜିଲ୍ଲାକୁ ଦୁଇଟି ଅବକାରୀ ଜିଲ୍ଲାରେ ବିଭକ୍ତ କରାଯାଇଛି। ଗୋଟିଏ ଗଞ୍ଜାମ ଓ ଦ୍ବିତୀୟଟି ବ୍ରହ୍ମପୁର। ଗଞ୍ଜାମ ଅବକାରୀ ଜିଲ୍ଲା ଅଧୀନରେ ରହିଛି ୬୪ଟି ଠିପିବନ୍ଦ ବିଦେଶୀ ମଦ ଦୋକାନ। ସେହିପରି ବ୍ରହ୍ମପୁର ଅବକାରୀ ଜିଲ୍ଲାରେ ରହିଛି ୩୬ଟି ମଦ ଦୋକାନ। ଗଞ୍ଜାମ ଜିଲ୍ଲାର ମୋଟ ଶହେଟି ମଦ ଦୋକାନର ଲାଇସେନ୍ସ୍  ପ୍ରଦାନ ପାଇଁ ଲଟେରି କରାଯିବ। ଏଥିପାଇଁ ଅବକାରୀ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବ୍ରହ୍ମପୁର ଅବକାରୀ ଜିଲ୍ଲା ପାଇଁ ଗତ ୧୭ତାରିଖରୁ ଅନ୍‌ଲାଇନ୍‌ ଆବେଦନ ଗ୍ରହଣ ଆରମ୍ଭ ହୋଇଛି। ଅବକାରୀ ବିଭାଗର ଏକ ନିର୍ଦ୍ଦିଷ୍ଟ ୱେବ୍‌ସାଇଟ୍‌ରେ ଆବେଦନାକରୀ ତାଙ୍କର ଆବେଦନପତ୍ର ଦାଖଲ କରିପାରିବେ। ସେହିପରି ଅନ୍‌ଲାଇନ୍‌ରେ ୧ଲକ୍ଷ ଟଙ୍କା ଆବେଦନ ଫି’ ଦାଖଲ କରିବେ ବୋଲି କୁହାଯାଇଛି। ଆସନ୍ତା ୩୦ତାରିଖ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଆବେଦନକାରୀ ତାଙ୍କର ଫର୍ମ ଦାଖଲ କରିପାରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।
India Today
ବ୍ରହ୍ମପୁର ଅବକାରୀ ଜିଲ୍ଲା ପାଇଁ ଆସନ୍ତା ଏପ୍ରିଲ୍‌ ୭ତାରିଖରେ ଛତ୍ରପୁର ସ୍ଥିତ ଡିଆର୍‌ଡିଏର ପୁରୁଣା ସମ୍ମିଳନୀ କକ୍ଷରେ ଲଟେରି ଉଠାଣ ହେବ। ସେହିପରି ଗଞ୍ଜାମ ଜିଲ୍ଲା ପାଇଁ ୮ ଓ ୯ତାରିଖରେ ଲଟେରି ଉଠାଣ କରାଯିବ ବୋଲି ସୂଚନା ମିଳିଛି। ଉଭୟ ଜିଲ୍ଲାରେ ଯେତିକି ଜଣ ଆବେଦନ କରିବେ ସମସ୍ତଙ୍କୁ ‌ଗୋଟିଏ ଲେଖାଏଁ ନମ୍ବର ଦିଆଯିବ। ଏହି ନମ୍ବରଗୁଡ଼ିକ ଏକ ବକ୍ସରେ ରଖି ଆବେଦନକାରୀଙ୍କ ଉପସ୍ଥିତିରେ ଲଟେରି ଉଠାଣ କରାଯିବ ବୋଲି ସୂଚନା ଦିଆଯାଇଛି।
ଏହି ନୂତନ ବ୍ୟବସ୍ଥାରେ ଯେ କୌଣସି ବ୍ୟକ୍ତି ଅଂଶଗ୍ରହଣ କରିପାରିବେ। ଫଳରେ ନୂତନ ବେପାରୀଙ୍କୁ ମଧ୍ୟ ସୁଯୋଗ ମିଳିବ। ସେପଟେ ଯେତେ ଅଧିକ ଲୋକ ଅଂଶଗ୍ରହଣ କରିବେ ସରକାରଙ୍କୁ ସେତେ ଅଧିକ ରାଜସ୍ବ ମିଳିବ। ଅନ୍ୟପଟେ ଯେଉଁ ବେପାରୀ ଦୀର୍ଘବର୍ଷ ହେଲା ବେପାର କରୁଛନ୍ତି ସେମାନେ ଏଭଳି ଲଟେରି ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଲଟେରି ବ୍ୟବସ୍ଥାରେ ଯଦି ତାଙ୍କର ନମ୍ବର ନଆସିବ ତେବେ ତାଙ୍କୁ ଆଉ ଲାଇସେନ୍ସ୍  ମିଳିବ ନାହିଁ। କିନ୍ତୁ ରାଜ୍ୟ ସରକାର ଲଟେରି ବ୍ୟବସ୍ଥା ବ୍ୟତୀତ ଅନ୍ୟ କୌଣସି ଉପାୟରେ ଲାଇସେନ୍ସ୍  ପ୍ରଦାନ କରାଯିବ ନାହିଁ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି।
ସମ୍ବନ୍ଧିତ ଖବର