କୁସୁମା ଶିଶୁ ଉଦ୍ୟାନ ସ୍ଥାନରେ ବିଳାସପୂର୍ଣ୍ଣ ବଙ୍ଗଳା: ପୌରପାଳିକା ନିକଟରେ ଉତ୍ତର ନାହିଁ

ଯାଜପୁର: ଯାଜପୁର ସହର ବିକାଶ‌କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଉଥିଲା। ସହରର କୁସୁମା ସୌନ୍ଦର୍ଯ୍ୟକରଣକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା। ବିଭିନ୍ନ ସଭାସମିତିରେ ନେତାମାନେ ଏହାର ଦୃଷ୍ଟାନ୍ତ ଦେଉଥିଲେ। କୁସୁମା ଭିତରେ ଥିବା ଶିଶୁ ଉଦ୍ୟାନ ଶିଶୁ ଓ ଅଭିଭାବକଙ୍କ ପାଇଁ ଆକର୍ଷଣୀୟ ଥିଲା। ହେଲେ ଏହି ଶିଶୁ ଉଦ୍ୟାନକୁ ନଷ୍ଟ କରି ସେହି ସ୍ଥାନରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ନିର୍ମାଣ କରାଯାଇଛି। ପର୍ଯ୍ୟଟକଙ୍କ ପାଇଁ ଫାଟକ ବନ୍ଦ ରଖି ଗୋପନରେ ନିର୍ମାଣ କରାଯାଇଥିବା ଜଣାପଡ଼ିଛି। ଏଠାରେ ଏଭଳି ଏକ ବିଳାଶପୂର୍ଣ୍ଣ ବଙ୍ଗଳା କାହିଁକି କରାଗଲା? କେଉଁ ନିର୍ଦ୍ଦେଶ ବଳରେ ଏଭଳି ନିର୍ମାଣ ହୋଇଛି? ଏହା ପର୍ଯ୍ୟଟକଙ୍କ ପାଇଁ କିଭଳି କାମରେ ଆସିବ? ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ଯାଜପୁର ପୌରପାଳିକା ପାଖରେ ଏହାର କୌଣସି ଉତ୍ତର ନାହିଁ।

୨୦୧୮ ମାର୍ଚ୍ଚ ୨୫ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା କୁସୁମା ଲୋକାର୍ପିତ ହୋଇଥିଲା। ଏହାର ଫୁଲ ବଗିଚା, ଶିଶୁ ଉଦ୍ୟାନ, ବୋଟିଂ ଏବଂ ଭଳିକି ଭଳି ଚିତ୍ରକଳା ଲୋକମାନଙ୍କୁ ଆକୃଷ୍ଟ କରୁଥିଲା। ଏହା ପରେ କୁସୁମାର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଆଗଲା। କୁସୁମା କେତେକ ମୁଷ୍ଟିମେୟ ରାଜନେତା ଓ ପ୍ରଶାସକଙ୍କ ଚିତ୍ତବି ନୋଦନ କେନ୍ଦ୍ର ପାଲଟିଗଲା। ଏବେ ଶିଶୁଉଦ୍ୟାନର ସ୍ଥାନରେ ବହୁ କୋଟି ଟଙ୍କା ବ୍ୟୟରେ ଅଟ୍ଟାଳିକା ନିର୍ମାଣ କରାଯାଇଛି। ନବୀକରଣ ଆଳରେ ୫ମାସ ଧରି କୁସୁମା ଭିତରକୁ ପର୍ଯ୍ୟଟକଙ୍କୁ ଛଡ଼ାଯାଇ ନଥିଲା। ଫାଟକ ବନ୍ଦ ରଖି ଏହା ଭିତରେ ବିଳାଶପୂର୍ଣ୍ଣ ବଙ୍ଗଳା ନିର୍ମାଣ ହୋଇଛି। ଏହାକୁ କିଏ କେଉଁ ଉଦେଶ୍ୟରେ କରିଛି ସେ ସଂପର୍କରେ ପୌରପାଳିକା ଅଧିକାରୀ ମୁହଁ ଖୋଲୁନାହାନ୍ତି। ପାଖାପାଖି ୫୦ କୋଟିରୁ ଅଧିକ ଟଙ୍କା ମୂଲ୍ୟରେ ଏହି ବଙ୍ଗଳା ନିର୍ମାଣ ହୋଇଥିବା କେତେକ ଠିକାଦାର ଓ ଯନ୍ତ୍ରୀ ଆକଳନ କରିଛନ୍ତି। ଏହି ବଙ୍ଗଳାରେ ରହିବା ପାଇଁ କେତେ ଟଙ୍କା ଦେବାକୁ ପଡୁଛି? କେଉଁମାନେ ଏଠାରେ ରହିପାରିବେ? ଆଜି ପର୍ଯ୍ୟନ୍ତ କେତେ ଜଣ ଏଠାରେ ରହିଛନ୍ତି? ସେ ସଂପର୍କରେ ମଧ୍ୟ ପୌର କର୍ତ୍ତୃପକ୍ଷ କୌଣସି ସୂଚନା ଦେଇପାରୁ ନାହାନ୍ତି।

ସମ୍ବନ୍ଧିତ ଖବର