ସୌଖୀନ ଘର ସାଜିଲା କାଳ, ପୁରୀ ଓ ଭୁବନେଶ୍ବରରେ ଅନେକ କୋଠା ପ୍ରଭାବିତ

ଭୁବନେଶ୍ବର: ବାସଗୃହ ହେଉ ଅଥବା ହୋଟେଲ ବା କୌଣସି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ। ସବୁପ୍ରକାର କୋଠାକୁ ସୌଖୀନ ରୂପ ଦେବା ଏକ ଟ୍ରେଣ୍ଡରେ ପରିଣତ ହୋଇଛି। ଭୁବନେଶ୍ବରଠାରୁ ଆରମ୍ଭ କରି ପୁରୀ ହେଉ କି କଟକରୁ କୋରାପୁଟ; ଗାଁ ଗହଳିର ଲୋକେ ବି ସୌଖୀନ କୋଠା ନିର୍ମାଣ କରି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଲାଗି ପଡ଼ିଛନ୍ତି। କିଏ ଘର ବାହାରେ କାଚ ଲଗାଇ ସୌନ୍ଦର୍ଯ୍ୟ ବଢ଼ାଉଛନ୍ତି ତ ଆଉ କିଏ ମାର୍ବଲ ଲଗାଇ ଶୋଭା ବଢ଼ାଉଛନ୍ତି। ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ତେବେ ଏହି ସୌଖୀନ ଘର କେମିତି ବିପଦ ସୃଷ୍ଟି କରିପାରେ ତାହା ବାତ୍ୟା ‘ଫନି’ ପରେ ଦେଖିବାକୁ ମିଳୁଛି। ବାତ୍ୟାରେ କ୍ଷତିଗ୍ରସ୍ତ ପୁରୀ, ଭୁବନେଶ୍ବରର ଗ୍ରାଉଣ୍ଡ ଜିରୋ ସ୍ଥିତି ଅନୁଧ୍ୟାନ କରିବା ସମୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ରାଜପ୍ରାସାଦ ପରି କୋଠା ୫ ଘଣ୍ଟାର ବର୍ଷା ପବନ ମାଡ଼ରେ ଛାରଖାର ହୋଇଯାଇଛି। କୋଠାଗୁଡ଼ିକ ପୂର୍ବଭଳି ଆଉ ଆକର୍ଷିତ କରୁନି, ବରଂ ଭାଙ୍ଗି ପଡ଼ିଥିବା କୋଠାର ଧ୍ବଂସସ୍ତୂପର ଫଟୋ ଉଠାଇବା ଲାଗି ଲୋକଙ୍କ କ୍ୟାମେରା ବାହାରୁଛି। ଯଦି ଦେଖାଯାଏ ତେବେ ପୁରୀ ବେଳାଭୂମିକୁ ଲାଗି ରହିଥିବା ହୋଟେଲଗୁଡ଼ିକର ଅବସ୍ଥା ସଂଗିନ୍‌ ହୋଇଛି। ସମୁଦ୍ରଠାରୁ କିଛି ଦୂରରେ ଥିବା ଏହି କୋଠାଗୁଡ଼ିକ ବାତ୍ୟା ମାଡ଼ରେ ନଷ୍ଟଭ୍ରଷ୍ଟ ହୋଇଯାଇଛି। କୌଣସି ଗୋଟିଏ ବି ହୋଟେଲର ବାହାର କାଚ ଭଲ ନାହିଁ। କେତେକ ସ୍ଥାନରେ ଘରେ ଲାଗିଥିବା କାଚର ଗୋଟିଏ ଖଣ୍ଡ ବି ଦେଖିବାକୁ ମିଳୁନି। ସବୁ କିଛି ଭାଙ୍ଗି ତଳେ ପଡ଼ିଛି। କାଚ ଭାଙ୍ଗି ଉଡ଼ିଯିବା ଦ୍ବାରା କିଛି ଲୋକଙ୍କ ଦେହରେ ବାଜି ଆହତ ହୋଇଥିବା ଜଣାପଡ଼ିଛି।

କେବଳ ପୁରୀ ନୁହେଁ, ଭୁବ‌ନେଶ୍ବରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ସହରରେ ଥିବା ଅଧିକାଂଶ ସୌଖୀନ କୋଠା ଭାଙ୍ଗି ପଡ଼ିଛି। ଚନ୍ଦ୍ରଶେଖରପୁରଠାରେ ଥିବା ଆଇଓସିଏଲ୍‌ କାର୍ଯ୍ୟାଳୟ କୋଠା ମଧ୍ୟ ପ୍ରଳୟଙ୍କାରୀ ବାତ୍ୟାରେ ଭାଙ୍ଗି ଯାଇଛି। ବାତ୍ୟା ସମୟରେ କୋଠାରୁ ଖଣ୍ଡ ଖଣ୍ଡ କାଚ ଉଡ଼ି ଜୟଦେବବିହାର-ନନ୍ଦନକାନନ ରାସ୍ତ‌ାରେ ପଡ଼ିଥିଲା। ସେହିପରି ଜୟଦେବ ବିହାର, ନୟାପଲ୍ଲୀ, ଚନ୍ଦ୍ରଶେଖରପୁର, ଖାରବେଳ ନଗରରେ ଥିବା କେତେକ କୋଠା ବାହାରେ ଲାଗିଥିବା କାଚ ବି ନଷ୍ଟ ହୋଇଛି। ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ ପାର୍ଶ୍ବର କେତେକ ‌କୋଠାର ଛାତ ମାର୍ବଲ, ଟାଇଲ୍‌ରେ ନିର୍ମାଣ ହୋଇଥିଲା, ଯାହାକି ବାତ୍ୟାରେ ଉଡ଼ିଯାଇଛି। କାଚ ଝରକା ଭାଙ୍ଗିବା ଦ୍ବାରା କୋଠାରେ ଥିବା ଆସବାବପତ୍ର, ଦରକାରୀ କାଗଜପତ୍ର ବି ନଷ୍ଟ ହୋଇଛି। ଲୋକେ ଏବେ ତାହାକୁ ସାଇତିବାରେ ଲାଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର