ନାଗେଶ୍ବରଙ୍କୁ ନେଇ ଓଡ଼ିଶାରେ ଭିନ୍ନ ମତ

ଭୁବନେଶ୍ବର : ୧୯୮୬ ବ୍ୟାଚ୍ ଓଡ଼ିଶା କ୍ୟାଡର୍ ଆଇପିଏସ୍ ଅଫିସର୍ ଏମ୍ ନାଗେଶ୍ବର ରାଓଙ୍କୁ ସିବିଆଇ ନି‌େର୍ଦ୍ଦଶକ(ଅନ୍ତରୀଣ) ଭାବେ ନିଯୁକ୍ତି ଦିଆଯିବା ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଓଡ଼ିଶା ପାୱାର୍ କରିଡର୍‌ରେ ଏହା ଏବେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି। ନାଗେଶ୍ବରଙ୍କ ବାବଦରେ ଅଫିସର୍ ମହଲରେ ଚାପା ଗୁଞ୍ଜରଣ ଚାଲିଥିଲା ବେଳେ ରାଜନୈତିକ ଦଳଗୁଡ଼ିକ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ସିଧାସଳଖ ନାଗେଶ୍ବରଙ୍କ ସ୍ବଚ୍ଛତା ଓ ନିରପେକ୍ଷତା ନେଇ ସନ୍ଦେହ ପ୍ରକଟ କରିଛନ୍ତି। ତେବେ କଂଗ୍ରେସ ଓ ବିଜେଡି ମାପିଚୁପି ମନ୍ତବ୍ୟ ଦେଇଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି, ଗତ ୩/୪ ଦିନ ଭିତରେ ଯେଉଁ ଘଟଣା ସବୁ ଘଟିଗଲା, ତାହ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଭାରତ ଇତିହାସରେ ସିବିଆଇର ଖ୍ୟାତି ଓ ଗ୍ରହଣୀୟତା ଏତେ ନୀଚ ସ୍ତରକୁ ‌କେବେ ଯାଇନି। ଆଜି ପ୍ରମାଣିତ ହୋଇଗଲା ଯେ ସିବିଆଇ‌େର ବି ସିବିଆଇ ରେଡ୍ ହେଉଛି। ଆଜି ଯାହାକୁ ନିର୍ଦ୍ଦେଶକ ଭାବେ ବସାଗଲା, ତାହାଙ୍କ ନାମରେ ବି କିଛି ଦିନ ପରେ ଅଭିଯୋଗ ଆସିବ। ସେ ଓଡ଼ିଶା କ୍ୟାଡର୍ ଆଇପିଏସ୍। ଏଠି କାମ କରୁଥିଲା ବେଳେ ତାଙ୍କ ନାମରେ ଅଭିଯୋଗ ଆସିଥିଲା। ଅଗ୍ନିଶମ ଡିଜି ଥିଲା ବେଳେ ତାଙ୍କ କାରନାମା ରାଜ୍ୟର ସବୁ ଆଇପିଏସ୍ ଅଫିସର୍ ଜାଣିଛନ୍ତି। ତେଣୁ ଆଗକୁ ସିବିଆଇ ପାଇଁ ପୁଣି ଏକ ଲଜ୍ଜାଜନକ ଅବସ୍ଥା ସୃଷ୍ଟି ହୋଇପାରେ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ସିବିଆଇର ଅସଲ ରୂପ ପ୍ରକାଶ ପାଇଛି। ଏହି ସଂସ୍ଥାର ବିଶ୍ବସନୀୟତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନ ନ୍ୟାୟ ପାଇଁ କେଉଁ ସଂସ୍ଥା ଉପରେ ଆମେ ଭରସା କରିବୁ, ତାହା ଚିନ୍ତାର ବିଷୟ। ଏବେ ଓଡ଼ିଶା କ୍ୟାଡର୍ ଜଣେ ଅଧିକାରୀଙ୍କୁ ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଛି। ଯଦି ସେ ସିବିଆଇର ଭାବମୂର୍ତ୍ତି ବଢ଼ାଇବାକୁ ଚାହୁଁଛନ୍ତି, ତେବେ ସେହି ଅନୁଯାୟୀ ପଦକ୍ଷେପ ନେବେ ବୋଲି ଆମେ ଆଶା ରଖୁଛୁ।

ବିଜେଡି ପକ୍ଷରୁ ମୁଖପାତ୍ର ସମୀର ଦାଶ କହିଛନ୍ତି, କେନ୍ଦ୍ରରେ ଯେତେବେଳେ ଯେଉଁ ସରକାର ଆସୁଛନ୍ତି, ସିବିଆଇକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ସାରା ଦେଶର ଲୋକ ଏହା ଜାଣିଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ଏ ନେଇ ସିବିଆଇକୁ ଭର୍ତ୍ସନା କରିଛନ୍ତି। ଏବେ ଓଡ଼ିଶା କ୍ୟାଡର୍‌ର ଜଣେ ଆଇପିଏସ୍ ଅଫିସର୍‌ଙ୍କୁ ସିବିଆଇର ନିର୍ଦ୍ଦେଶକ ଭାବେ ଗୁରୁ ଦାୟିତ୍ବ ଦିଆଯାଇଛି। ତେଣୁ ସିବିଆଇ ଏକ ରାଜନୈତିକ ଅସ୍ତ୍ର ବୋଲି ଲୋକଙ୍କର ଯେଉଁ ଧାରଣା ରହିଛି, ତାହାକୁ ସେ ବଦଳାଇବେ ବୋଲି ଆଶା କରୁଛୁ।

ସମ୍ବନ୍ଧିତ ଖବର