ଭୁବନେଶ୍ୱର : ବିଶ୍ବବିଦ୍ୟାଳୟଗୁଡ଼ିକ ସ୍ନାତକ ଓ ସ୍ନାତୋକୋତ୍ତର ଛାତ୍ରଛାତ୍ରୀଙ୍କୁ ପ୍ରୋଜେକ୍ଟ/ଗବେଷଣା ନିବନ୍ଧ ଉପସ୍ଥାପନ କରିବା ଲାଗି ଉପଯୁକ୍ତ ରଣନୀତି ଅବଲମ୍ବନ କରିବେ। ପରୀକ୍ଷାଗାର ଆଧାରିତ ଗବେଷଣା ଓ କ୍ଷେତ୍ରୀୟ ସର୍ବେକ୍ଷଣ ଆଧାରିତ ପ୍ରକଳ୍ପ ପରିବର୍ତ୍ତେ ବିଶ୍ବବିଦ୍ୟାଳୟଗୁଡ଼ିକ ସମୀକ୍ଷା ଆଧାରିତ, ସେକେଣ୍ଡାରି ଡାଟା ଆଧାରିତ ପ୍ରକଳ୍ପ କିମ୍ବା ସଫ୍ଟୱେର୍ ଆଧାରିତ ପ୍ରକଳ୍ପ ଛାତ୍ରଛାତ୍ରୀଙ୍କୁ ଦେଇପାରିବେ। ପିଏଚଡି, ଏମ.ଫିଲ ପାଇଁ ବିଶ୍ବବିଦ୍ୟାଳୟଗୁଡ଼ିକ ଗୁଗଲ, ସ୍କାଏପେ, ମାଇକ୍ରୋସଫ୍ଟ ଟେକ୍ନୋଲୋଜି କିମ୍ବା ଅନ୍ୟ ସୁବିଧାଜନକ ପ୍ରଯୁକ୍ତି ଉପଯୋଗ କରି ଭିଡିଓ କନଫରେନ୍ସ ଜରିଆରେ ମୌଖିକ ପରୀକ୍ଷା କରିପାରିବେ। ଏମ.ଫିଲ ଓ ପିଏଚଡି ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟକ୍ରମ ଅବଧିକୁ ୬ ମାସ ବୃଦ୍ଧି କରାଯାଇଛି ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ସୂଚନା ଦିଆଯାଇଛି।

Advertisment

କୋଭିଡ-୧୯ ସଂକ୍ରମଣ ସ୍ଥିତି ସ୍ବାଭାବିକ ହେଉନଥିବା ଅଞ୍ଚଳରେ ସାମାଜିକ ଦୂରତା ବଜାୟ ରଖିବା, ଛାତ୍ରଛାତ୍ରୀଙ୍କ ନିରାପତ୍ତା ଓ ସ୍ବାସ୍ଥ୍ୟକୁ ଆଖି ଆଗରେ ରଖି ବିଶ୍ବବିଦ୍ୟାଳୟଗୁଡ଼ିକ ଅନ୍ତରୀଣ ମୂଲ୍ୟାଙ୍କନ ଜରିଆରେ ୫୦ ପ୍ରତିଶତ ଓ ପୂର୍ବ ସେମିଷ୍ଟରର ଫଳାଫଳ (ଯଦି ଉପଲବ୍ଧ ଥାଏ)କୁ ଦୃଷ୍ଟିରେ ୫୦ ପ୍ରତିଶତ ମାର୍କ ଛାତ୍ରଛାତ୍ରୀଙ୍କୁ ଦେବାର ଯୋଜନା ବିଷୟରେ ବିଚାର କରିପାରିବେ। ଅନ୍ତରୀଣ ମୂଲ୍ୟାଙ୍କନ ନିରନ୍ତର ମୂଲ୍ୟାୟନ ପ୍ରକ୍ରିୟା ହୋଇପାରେ, ଯଥା ପ୍ରିଲିମ, ମିଡ୍‌ ସେମିଷ୍ଟର, ଇଣ୍ଟରନାଲ କିମ୍ବା ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଅନ୍ୟ କୌଣସି ଶ୍ରେଣୀ ଉନ୍ନତି ସୁବିଧା। ପୂର୍ବ ସେମିଷ୍ଟର କିମ୍ବା ପୂର୍ବ ବର୍ଷର ମାର୍କ ଉପଲବ୍ଧ ନଥିଲେ, ବିଶେଷ କରି ପ୍ରଥମ ବର୍ଷର ବାର୍ଷିକ ପରୀକ୍ଷା ପଦ୍ଧତିରେ, ୧୦୦% ମୂଲ୍ୟାୟନ ଅନ୍ତରୀଣ ଆକଳନ ଆଧାରରେ କରାଯାଇପାରିବ। ଯଦି ଛାତ୍ରଛାତ୍ରୀ ସେମାନଙ୍କ ଗ୍ରେଡରେ ସୁଧାର ଆଣିବାକୁ ଚାହୁଁଛନ୍ତି ତା’ହେଲେ ସେମାନେ ଚାହିଁଲେ ପରବର୍ତ୍ତୀ ସେମିଷ୍ଟରରେ ନିର୍ଦ୍ଦିଷ୍ଟ ବିଷୟରେ ସ୍ବତନ୍ତ୍ର ପରୀକ୍ଷା ଦେଇପାରିବେ।

ଲକ୍‌ଡାଉନ ଅବଧିକୁ ସମସ୍ତ ଛାତ୍ରଛାତ୍ରୀ/ଗବେଷକଙ୍କ ପାଇଁ ‘ମାନ୍ୟତାପ୍ରାପ୍ତ ଉପସ୍ଥିତି’ ବୋଲି ଧରାଯିବ ବୋଲି ୟୁଜିସି ସ୍ପଷ୍ଟ କରିଛି।

ବିଶ୍ବବିଦ୍ୟାଳୟଗୁଡ଼ିକ ସାଧାରଣ ଗାଇଡ୍‌ଲାଇନ ପାଳନ କରିବେ। ଭର୍ଚୁଆଲ ଲାବରେଟୋରି କାର୍ଯ୍ୟର ରେକର୍ଡ ଭିଜୁଆଲ ସେୟାର କରି ଓ ଏଥିପାଇଁ ଉଦ୍ଦିଷ୍ଟ ଡିଜିଟାଲ ଉତ୍ସର ଉପଯୋଗ କରି ଛାତ୍ରଛାତ୍ରୀଙ୍କୁ ପ୍ରକଳ୍ପ/ପ୍ରାକ୍ଟିକାଲ ପରୀକ୍ଷଣ କାର୍ଯ୍ୟ ଦିଆଯାଇପାରିବ। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଭର୍ଚୁଆଲ ଲାବରେଟୋରିର ଲିଙ୍କ ଏ ଦିଗରେ ବିଜ୍ଞାନ, ଇଞ୍ଜିନିୟରିଂ, ପ୍ରଯୁକ୍ତି ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ହୋଇପାରିବ। ଭର୍ଚୁଆଲ ଶ୍ରେଣୀଗୃହ ଏବଂ ଭିଡିଓ କନଫରେନ୍ସିଂ ସୁବିଧା କରିବା ସହ ଏହି ପ୍ରଯୁକ୍ତି ପରିଚାଳନା ନିମନ୍ତେ ସମସ୍ତ ଶିକ୍ଷକମାନଙ୍କୁ ତାଲିମ ଦିଆଯିବ ଆବଶ୍ୟକ। ବିଶ୍ବବିଦ୍ୟାଳୟଗୁଡ଼ିକ ଇ-କଣ୍ଟେଣ୍ଟ/ଇ-ଲାବ ପରୀକ୍ଷଣ ପ୍ରସ୍ତୁତ କରିବା ଉଚିତ ଏବଂ ଏହାକୁ ସେମାନଙ୍କର ୱେବସାଇଟରେ ଅପଲୋଡ କରିବା ଉଚିତ। ପ୍ରଶିକ୍ଷକ-ପ୍ରଶିକ୍ଷାର୍ଥୀ କାଉନସେଲିଂ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ଆବଶ୍ୟକ। ଲକ୍‌ଡାଉନ ସମୟରେ ବିଶ୍ବବିଦ୍ୟାଳୟ ପରିସରଠାରୁ ବାହାରେ ଥିବା କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଯାତ୍ରା/ରହଣୀ ଇତିହାସ ରେକର୍ଡ ରଖିବା ନିମନ୍ତେ ବିଶ୍ବବିଦ୍ୟାଳୟଗୁଡ଼ିକ ଏକ ବ୍ୟବସ୍ଥା ବିକଶିତ କରିପାରିବେ। ଶିକ୍ଷକମାନଙ୍କୁ ଆଇସିଟି ତାଲିମ ଦିଆଯିବା ଉଚିତ, ଯାହାଦ୍ବାରା ସେମାନେ ଅନଲାଇନ ଜରିଆରେ ୨୫ ପ୍ରତିଶତ ଏବଂ ସାମ୍ନାସାମ୍ନି ପଦ୍ଧତିରେ ବାକି ୭୫ ପ୍ରତିଶତ ଶିକ୍ଷାଦାନ ପୂରଣ କରିପାରିବେ।