ଚାନ୍ଦବାଲି : ବିଟେକ୍ ପାଠ ପଢି ଜଣେ ମହିଳା ବିବାହ ପରେ ଶାଶୂ ଘର ଲୋକଙ୍କ ପ୍ରେରଣା ପାଇ ଏମ୍ଟେକ୍ ପଢିଲେ। ସ୍ୱାମୀ ଜଣେ ବ୍ୟବସାୟୀ ହୋଇଥିବାବେଳେ ଶ୍ବଶୁର ସରପଞ୍ଚ। ଶାଶୂଘର ରାଜନୈତିକ ପରିବାର ହୋଇଥିବାରୁ ଏମ୍ଟେକ ବୋହୂ ଏବେ ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି। ସମିତି ସଭ୍ୟ ଭାବେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେ ହେଉଛନ୍ତି, ଚାନ୍ଦବାଲି ବ୍ଲକ ପଞ୍ଚୁଟିକ୍ରି ପଞ୍ଚାୟତର ସରପଞ୍ଚ ଗଙ୍ଗାଧର ଧଳଙ୍କ ବୋହୂ ସ୍ୱପ୍ନା ପ୍ରୀତିଛନ୍ଦା ପଲେଇ।
ପ୍ରୀତିଛନ୍ଦାଙ୍କ ବାପଘର ଧାମନଗର ବ୍ଲକ ଚୂଡ଼ାକୁଟି ଗାଁରେ ହୋଇଥିବା ବେଳେ ବାପା ସନ୍ତୋଷ ପଲେଇ ଜଣେ ସଂଗୀତଜ୍ଞ। ପିଲାଟି ଦିନରୁ ପ୍ରୀତିଛନ୍ଦାଙ୍କ ଇଂଜିନିୟର ହେବାକୁ ଇଚ୍ଛା ଥିଲା। କଠିନ ଅଧ୍ୟବସାୟ ବଳରେ ସେ ବିଟେକ୍ ପରେ ପଞ୍ଚୁଟିକ୍ରି ଅଂଚଳର ବ୍ୟବସାୟୀ ଅଜୟ ଧଳଙ୍କୁ ବିବାହ କରିଥିଲେ। ସ୍ୱାମୀ ଏବଂ ଶାଶୂ ଘର ଲୋକଙ୍କ ପ୍ରେରଣା ପାଇ ଏମ୍ଟେକ୍ ପଢିଥିଲେ। ଏହି ପଞ୍ଚାୟତକୁ ଭଲ ପାଦଚଲା ରାସ୍ତାଟିଏ ନାହିଁ। ପ୍ରତିଦିନ ନାନା ସମସ୍ୟା ନେଇ ଶ୍ବଶୁରଙ୍କ ନିକଟକୁ ଆସୁଥିବା ଲୋକଙ୍କ ଦୁଃଖ ଶୁଣି ରାଜନୀତି ମୈଦାନକୁ ଓହ୍ଲାଇଥିବା ପ୍ରୀତିଛନ୍ଦା କହିଛନ୍ତି।