କୋରାପୁଟ: ଶିକ୍ଷାଗତ ଯୋଗ୍ୟତା ଏମ୍. ଟେକ୍। ମୋଟା ଦରମାରେ ବେସରକାରୀ କମ୍ପାନିରେ ଇଞ୍ଜିନିୟର୍ ଭାବେ ଚାକିରି କରୁଥିଲେ। ହେଲେ, ଜଙ୍ଗଲ ସୁରକ୍ଷାର ମୋହ ତାଙ୍କୁ ଟାଣି ଆଣିଛି ଦୁର୍ଗମ କୋରାପୁଟକୁ। ସେ ହେଉଛନ୍ତି, ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଜୟଲଳିତା। ଚଳିତବର୍ଷ ଜାନୁଆରିରୁ ସେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ରେଞ୍ଜ୍ରେ ବନ ରକ୍ଷକ ଭାବେ ଦାୟିତ୍ବ ତୁଲାଇ ଆସୁଛନ୍ତି।
୨୦୧୧ରେ ରାଇରଙ୍ଗପୁର କଲେଜରୁ ଯୁକ୍ତଦୁଇ ବିଜ୍ଞାନରେ ଭଲ ନମ୍ବର ରଖି ପାସ୍ କରିଥିଲେ ଜୟଲଳିତା। ଏହାପରେ ୨୦୧୨ରେ ଡିପ୍ଲୋମା କରିଥିଲେ।
ଡିପ୍ଲୋମା ଶେଷ ହେବାପରେ ବାପା ମହେନ୍ଦ୍ରନାଥ ମହନ୍ତଙ୍କ ପରାମର୍ଶକ୍ରମେ ୨୦୧୭ରେ ବି.ଟେକ୍ ପରେ ସେ ବିପିୟୁଟି ରାଉରକେଲାରୁ ଏମ୍.ଟେକ୍ ଶିକ୍ଷା ଗ୍ରହଣ କରିଥିଲେ। ୨୦୨୦ରେ ଏମ୍.ଟେକ୍ ପାଠ୍ୟକ୍ରମ ଶେଷ ହେବାପରେ ପ୍ରଥମେ ଏକ ନିର୍ମାଣକାରୀ କମ୍ପାନିରେ ଇଞ୍ଜିନିୟର ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। କିନ୍ତୁ, ଇଞ୍ଜିନିୟରିଂ ଚାକିରିରେ ଆତ୍ମସନ୍ତୋଷ ନଥିବାରୁ ଜଙ୍ଗଲ କିମ୍ବା ପୁଲିସ ବିଭାଗରେ ଚାକିରି କରିବାକୁ ମନ ବଳାଇଥିଲେ ଜୟଲଳିତା। ବାରମ୍ବାର ଚେଷ୍ଟାପରେ ମଧ୍ୟ ନିଯୁକ୍ତି ନ ମିଳିବାରୁ କିଛିଦିନ ପାଇଁ ଅଧ୍ୟାପନା କରିଥିଲେ। ତଥାପି ପ୍ରୟାସ ଜାରି ରଖିଥିଲେ। ଏହାରି ଭିତରେ ବନରକ୍ଷୀ ପଦବି ପାଇଁ ନିଯୁକ୍ତି ସୁଯୋଗ ବାହାରିବା ପରେ ସାକ୍ଷାତକାରରେ ଅଂଶଗ୍ରହଣ କରି ବନରକ୍ଷୀ ଭାବେ ଉତ୍ତୀର୍ଣ୍ଣ ହୋଇଥିଲେ।
/sambad/media/post_attachments/wp-content/uploads/2023/03/koraput-1.jpg)
ଚାକିରି ଜୀବନରେ କୋରାପୁଟକୁ ଅଗ୍ରାଧିକାର ଦେବାପାଇଁ ଇଚ୍ଛା ପ୍ରକାଶ କରିଥିବା କାରଣରୁ ଜଙ୍ଗଲ ବିଭାଗ ପକ୍ଷରୁ ତାଙ୍କୁ କୋରାପୁଟରେ ନିଯୁକ୍ତି ଦିଆଯାଇଛି। ଆଗାମୀଦିନରେ ଜଙ୍ଗଲ ସୁରକ୍ଷା ପାଇଁ ମହିଳାଙ୍କୁ ତାଲିମ ଦେବାକୁ ଇଚ୍ଛା ରଖିଛନ୍ତି ଜୟଲଳିତା।
ଉଲ୍ଲେଖଯୋଗ୍ୟ ଯେ ଜୟଲଳିତାଙ୍କ ବାପା ମହେନ୍ଦ୍ରନାଥ ଜଣେ ଅବସରପ୍ରାପ୍ତ ସୁବେଦାର। ମାଆ ରତ୍ମମଣି ଜଣେ ଶିକ୍ଷୟିତ୍ରୀ। ପିଲାଟି ଦିନରୁ ଜୟଲଳିତା ମେଧାବୀ ଛାତ୍ରୀ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/M-Tech-Woman-Now-Became-Forest-Guard_Thumbnail.jpg)