ଏମ୍-ଟେକ୍ ବିଦ୍ୟାର୍ଥୀଙ୍କ ପାଇଁ ସ୍କିପ୍ ରୁଲ୍ ଲାଗୁ ଆବେଦନ : ବିପିୟୁଟି କର୍ତ୍ତୃପକ୍ଷ ନେବେ ନିଷ୍ପତ୍ତି

କଟକ : ବି-ଟେକ୍‌ ଭଳି ଏମ-ଟେକ୍ ବିଦ୍ୟାର୍ଥୀଙ୍କ କ୍ଷେତ୍ରରେ ନିଉ ସ୍କିପ୍ ରୁଲ୍ ଲାଗୁ ଦରଖାସ୍ତ ଉପରେ ୪ସପ୍ତାହ ମଧ୍ୟରେ ବିଚାର କରି ନିଷ୍ପତ୍ତି ନେବା ପାଇଁ ହାଇକୋର୍ଟ ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ ଟେକ୍ନୋଲୋଜି(ବିପିୟୁଟି)କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଆବେଦନକାରୀଙ୍କୁ ଉତ୍ତରଖାତାର ନକଲ ପ୍ରଦାନ ପ୍ରସଂଗରେ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ତଥାଗତ ସାହୁ ଓ ଏସ.କେ.ସିଂଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରମାକାନ୍ତ ଷଡ଼ଙ୍ଗୀ ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ବି-ଟେକ୍ ପାଠ୍ୟକ୍ରମ ଶେଷ ପରେ ଆବେଦନକାରୀ ଏମ-ଟେକ୍ ପାଠ୍ୟକ୍ରମରେ ଏକ ଶିକ୍ଷା ଅନୁଷ୍ଠାନରେ ନାମ ଲେଖାଇଥିଲେ। ଆବେଦନକାରୀ ୩ଟି ପେପରେ ଅକୃତକାର୍ଯ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ଖାତା ପୁନଃ ଯାଞ୍ଚ୍ କରାଯାଇଥିବା ବେଳେ ଆବେଦନକାରୀ ଏଥିରୁ ଦୁଇଟି ପେପରରେ କୃତକାର୍ଯ୍ୟ ହୋଇଥିଲେ। ଅକୃତକାର୍ଯ୍ୟ ହୋଇଥିବା ତୃତୀୟ ପେପରର ଖାତାର ନକଲ ସୂଚନା ଅଧିକାର ଆଇନ ଅନୁସାରେ ପାଇବା ପାଇଁ ଆବେଦନକାରୀ ଦରଖାସ୍ତ କରିଥିଲେ। ମାତ୍ର ଆବେଦନକାରୀଙ୍କୁ ଖାତା ଦିଆଯାଇନଥିଲା। ବିପୟୁଟି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇ ଯେଉଁ ବି-ଫାର୍ମା ଓ ବି-ଟେକ ଛାତ୍ରଛାତ୍ରୀ ଗୋଟିଏ ବିଷୟରେ ଅକୃତକାର୍ଯ୍ୟ ହୋଇଥିବେ ସେମାନଙ୍କୁ କୃତକାର୍ଯ୍ୟ ଘୋଷଣା କରିବା ପାଇଁ କୁହାଯାଇଥିଲା। ଏହି ସ୍କିପ୍ ରୁଲ୍ ବିଜ୍ଞପ୍ତି ମଧ୍ୟ ଏମ-ଟେକ୍ ବିଦ୍ୟାର୍ଥୀଙ୍କ ନିମେନ୍ତେ ଲାଗୁ କରିବା ପାଇଁ ଆବେଦନକାରୀ ବିପିୟୁଟିକୁ ଦରଖାସ୍ତ ମାଧ୍ୟମରେ ନିବେଦନ କରିଥିଲେ। କିନ୍ତୁ କୌଣସି ପଦକ୍ଷେପ ନିଆଯାଇନଥିଲା। ଫଳରେ ଏହାକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର