ତାଳଚେର/ଗୋପାଳପ୍ରସାଦ: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ବୁଧବାର ମଧ୍ୟରାତ୍ରରେ ଚିହ୍ନଟ ହୋଇଛି । ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିର ପଶ୍ଚିମ ଦିଗରେ ପ୍ରାୟ ଏକ କିଲୋମିଟର ଦୂରରେ ଗୋପାଳପ୍ରସାଦ ଉଚ୍ଚବିଦ୍ୟାଳୟ ପାଚେରି ନିକଟ ଗଜରାଜ ଷ୍ଟାଡିୟମ ପଛପାଖ ପଡ଼ିଆରେ ଅଗ୍ନିସ୍ବରୂପିଣୀ ମା’ ହିଙ୍ଗୁଳା ଆବିର୍ଭୂତ ହୋଇଛନ୍ତି।
ଏ ଉପଲକ୍ଷେ ଗତକାଲି ହିଙ୍ଗୁଳା ମନ୍ଦିରରେ ପାରମ୍ପରିକ ଜନ୍ତାଳ ପୂଜା ପରେ ପୂଜକ ଦିଅଁଘରେ ଅଧିଆ ପଡ଼ିଥିଲେ। ରାତିରେ ମା’ ଅଗ୍ନିରୂପାଙ୍କ ଉଭାସ୍ଥଳୀ ସମ୍ପର୍କରେ ପୂଜକଙ୍କୁ ସ୍ବପ୍ନାଦେଶ ହୋଇଥିଲା। ସ୍ବପ୍ନାଦେଶ ମୁତାବକ ପୂଜକ ମନ୍ଦିର ପଶ୍ଚିମ ଦିଗରେ ମାଙ୍କ ଉଭାସ୍ଥଳୀ ଚିହ୍ନଟ କରିବା ସହ ଶାବରୀ ମନ୍ତ୍ରରେ ଠାକୁରାଣୀଙ୍କୁ ବଶୀଭୂତ କରି ଉଭାସ୍ଥଳୀରେ କୋଇଲା ସଂଯୋଗ କରିଥିଲେ। ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଓ ୧୮ତମ ଲୋକ ମହୋତ୍ସବ ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।