ମା’ ବସ୍ତରେନ ମାଉଳିଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା

କୋକସରା: କୋକସରା ବ୍ଲକ ସାନପୋଡ଼ାଗୁଡ଼ା ପଞ୍ଚାୟତ କୁଳେରଗୁଡ଼ା ଡୋଙ୍ଗରିପଡ଼ାରେ ଆରାଧ୍ୟ ଦେବୀ ମା’ ବସ୍ତରେନ ମାଉଳିଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଛି। ଗାଁର ପୁଝାରୀ ସଦାନନ୍ଦ ପୁଝାରୀଙ୍କ ଘରୁ ଦେବୀଙ୍କ ଲାଠି କାଳିଶି ସହ ପୂଜା ସାମଗ୍ରୀ ଧରି ବାଜା ବଜାଇ ଶୋଭାଯାତ୍ରାରେ ମା’ ବସ୍ତରେନ ମାଉଳିଙ୍କ ପୀଠରେ ପହଞ୍ଚିଥିଲା। ପରେ ଗାଁର ମା’ ବସ୍ତରେନ ମାଉଳି, ମା’ ଡାବଝରେନ, ଖଣ୍ଡୁଆଳ, ମା’ ପେଣ୍ଡାଣୀ, ଚଉରିଆ ବୁଢ଼ା ଏବଂ ନିମନ୍ତ୍ରିତ ରକ୍ଷା ଧୋବେନ ପଡ଼ାର ଦେବୀ, ଗୋତୋମୁଣ୍ଡାର ମା’ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣି, ସାନ ପୋଡ଼ାଗୁଡାର ମା’ ମାନପୁରିଆଣି ଦେବାଦେବୀଙ୍କ ଲାଠିକୁର୍ସି ଆସି ଯୋଗ ଦେଇଥିଲେ। ପୀଠରେ ପୂର୍ବ ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଦେବଦେବୀଙ୍କ ଲାଠି କୁର୍ସି ହାଟ ପରିକ୍ରମା କରିଥିଲେ। ସମସ୍ତ ଦେବଦେବୀ ଏକତ୍ରିତ ହୋଇ ହାଟକୁ ତିନି ଥର ପରିକ୍ରମା କରିବା ସମୟରେ କାଲିସୀମାନେ ହାତରେ ଧରିଥିବା ବିନ୍ତିକୁ ଭକ୍ଷଣ କରିବାକୁ ଭକ୍ତମାନଙ୍କୁ କହିବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ।

ବହୁ ମାନସିକଧାରୀ ଶ୍ରଦ୍ଧାଳୁ ମାନସିକ ପୂରଣ ପାଇଁ କୁକୁଡ଼ା, ବୋଦା ବଳି ଦେଇଥିଲେ। ପୂଜା କମିଟି ସଭାପତି ଭୁଜବଳ ସୋରି, ଉପ ସଭାପତି ବିରଞ୍ଚି ନାଗ, ସମ୍ପାଦକ ଗୁଣଧର ବେଶ୍ରା, ଗ୍ରାମର ଶିରା କେଶବ ନାଗ, ଗଣ୍ଡା ନକୁଳ ବାଗ, ନରିଆ କୁଶ ବାଗ, ବିରଞ୍ଚି ନାଗ, ଅନିରୁଦ୍ଧ ବେଶ୍ରା, ଚିତ୍ତରଞ୍ଜନ ଛତ୍ରିଆ, ଗନ୍ତିଆ ନାଗ, କୁମରମଣି ବାଗ, ହରତ ମାଝୀ, ବଳରାମ ନାଏକ, ଶ୍ୟାମଘନ ପୋଡ଼ ଓ ତିଳ ପୋର୍ଟି ପ୍ରମୁଖ ସହଯୋଗ କରିଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାତିରେ ନାଟକ ମଞ୍ଚସ୍ଥ ହୋଇଥିଲା।

ସମ୍ବନ୍ଧିତ ଖବର