ବର୍ଷାରେ ଭିଜିବେ ମା’ ବିମଳା, ମହାଲକ୍ଷ୍ମୀ!

ପଥର ଆଳରେ ପ୍ରତ୍ନତତ୍ତ୍ବ ବିଭାଗ କାମ ଅଟକାଇଛି

ପୁରୀ : ବର୍ଷାରେ ଭିଜିବେ ମା’ ବିମଳା ଓ ମା’ ମହାଲକ୍ଷ୍ମୀ। ପୂର୍ବରୁ ଅସଜଡ଼ା ମା’ ବିମଳା ଓ ମା’ ମହାଲକ୍ଷ୍ମୀଙ୍କ ମନ୍ଦିର ଆହୁରି ଅସୁରକ୍ଷିତ ହୋଇପଡ଼ିବ। ବର୍ଷାଦିନ ମୁଣ୍ଡ ଉପର ଆସି ପହଞ୍ଚିଥିବାରୁ ଏପରି କିଛି ଦୃଶ୍ୟ ଜଳଜଳ ଦିଶିଲାଣି। ତଥାପି ଚେତୁନି ପ୍ରତ୍ନତତ୍ତ୍ବ ବିଭାଗ। ନା ମରାମତି କଥା ଚିନ୍ତା କରୁଛି, ନା ବିକଳ୍ପ ଚିନ୍ତା। ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବ ମୁଣ୍ଡାଇଥିବା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ବର୍ଷ ବର୍ଷ ଧରି ମା’ ବିମଳା ଓ ମା’ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ବିପଦ ଭିତରେ ପକାଇ ରଖିଛି। ଯେତେବେଳେ ବିଭିନ୍ନ ସ୍ତରରୁ ମନ୍ଦିରର ସୁରକ୍ଷା ନେଇ ଚାପ ପଡ଼ିଲା, ବିଭିନ୍ନ ଆଳ ଦେଖାଇ ମରାମତି କଥାକୁ ଏଡ଼ାଇବା ଆରମ୍ଭ କରିଛି। ଗତକାଲି ଶ୍ରୀମନ୍ଦିର ପ୍ରଶାସନକୁ ଚିଠି କରି ପଥର ଅଭାବ ଥିବା ଦର୍ଶାଇଛି। ଯେଉଁଥିରୁ ସ୍ପଷ୍ଟ ହେଉଛି କି ନିକଟ ଭବିଷ୍ୟତରେ ବି ମା’ ବିମଳା ଓ ମା’ ମହାଲକ୍ଷ୍ମୀଙ୍କ ମନ୍ଦିର ମରାମତି ସମ୍ଭବ ନୁହେଁ।

ମା’ ବିମଳାଙ୍କ ମନ୍ଦିର ଶ୍ରୀମନ୍ଦିର ବେଢ଼ା ଭିତରେ ଦକ୍ଷିଣ-ପଶ୍ଚିମ କୋଣରେ ରହିଥିବାବେଳେ ମା’ ମହାଲକ୍ଷ୍ମୀଙ୍କ ମନ୍ଦିର ଉତ୍ତର-ପଶ୍ଚିମ କୋଣରେ ରହିଛି। ଭକ୍ତମାନେ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିବା ବେଳେ ପ୍ରଥମେ ମା’ ବିମଳାଙ୍କୁ ଦର୍ଶନ କରି କୃପାଲାଭ କରିଥାନ୍ତି। ପରେ ମା’ ମହାଲକ୍ଷ୍ମୀଙ୍କ ଦର୍ଶନ କରି ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଥାନ୍ତି। ଏଥିପାଇଁ ଦୈନିକ ମା’ ବିମଳା ଓ ମହାଲକ୍ଷ୍ମୀଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗେ। ମହାଲକ୍ଷ୍ମୀଙ୍କ ଦର୍ଶନ ପାଇଁ ଭକ୍ତମାନେ ଘଣ୍ଟା ଘଣ୍ଟା ଲମ୍ବାଧାଡ଼ିରେ ରହିବାକୁ ବି କୁଣ୍ଠାବୋଧ ପ୍ରକାଶ କରନ୍ତିନି। ଶ୍ରୀମନ୍ଦିରର ଏହି ଦୁଇ ମନ୍ଦିର ପ୍ରମୁଖ ମନ୍ଦିର ହୋଇଥିବାରୁ ନିକଟରେ ଶ୍ରୀମନ୍ଦିର ପ୍ରଶାସନ ଏ ଉପରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଭୁବନେଶ୍ବର କାର୍ଯ୍ୟାଳୟକୁ ଚିଠି ଲେଖିଥିଲା। ଚିଠିରେ ସିଧାସଳଖ କୁହାଯାଇଥିଲା କି ମହାଲକ୍ଷ୍ମୀଙ୍କ ମନ୍ଦିର ଓ ମା’ ବିମଳାଙ୍କ ମନ୍ଦିରରୁ ବର୍ଷା ହେଲେ ପାଣି ଗଳୁଛି। ଚାରିଆଡ଼େ ଫାଟ ସୃଷ୍ଟି ହେଲାଣି। ମନ୍ଦିର କବାଟ, ଝରକା ବି ଦୁର୍ବଳ ହୋଇଗଲାଣି। ପଥର ସବୁ ଫାଟି ଝଡ଼ିଲାଣି। କେବଳ ଏହି ଦୁଇ ମନ୍ଦିର ନୁହେଁ, ପାର୍ଶ୍ବ ଦେବାଦେବୀ ମନ୍ଦିର ବି ଭୁଶୁଡ଼ିବା ଅବସ୍ଥା ହେଲାଣି। ତୁରନ୍ତ ଏହାର ମରାମତି କରାଯାଉ। ନଚେତ୍‌ ଏହା ଆଗକୁ ବିପଦ ସୃଷ୍ଟି କରିବ। ଐତିହ୍ୟପୂର୍ଣ୍ଣ କାରୁକାର୍ଯ୍ୟ ନଷ୍ଟ ହୋଇଯିବ। ଥରେ ନୁହେଁ, ଏକାଧିକ ଥର ଏପରି ଚିଠି କରିବା ପରେ ବି ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବ ନେଇଥିବା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଏହାର ଜବାବ ରଖିନଥିଲା। ଶେଷରେ ତିନି ମାସ ତଳେ ଶ୍ରୀମନ୍ଦିର ପ୍ରଶାସନ ଏ ଉପ‌ରେ ଜରୁରୀ ବୈଠକ ଡାକିଥିଲା। ଯେଉଁଥିରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର କାର୍ଯ୍ୟାଳୟର ଅଧୀକ୍ଷକଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନ, ପୁରୀ ପୌରସଂସ୍ଥା ଓ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିସ୍ତୃତ ଆଲୋଚନା ପରେ ଏକ ସ୍ବତନ୍ତ୍ର କମିଟି ବି ଗଠନ ହେଲା। ଯେଉଁ କମିଟି ନିୟମିତ ବ୍ୟବଧାନରେ ଶ୍ରୀମନ୍ଦିର ମରାମତି, ସୁରକ୍ଷା ଓ ସଫାସୁତରା କଥା ବୁଝିବ ବୋଲି ଚୂଡ଼ାନ୍ତ ହେଲା। ବୈଠକରେ ମା’ ବିମଳା ଓ ମହାଲକ୍ଷ୍ମୀଙ୍କ ମନ୍ଦିର ମରାମତି ତୁରନ୍ତ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏ ଭିତରେ ତିନି ମାସ ଗଡ଼ି ଯାଇଥିଲେ ବି ମରାମତି କଥା ଚିନ୍ତା କରିନି ପ୍ରତ୍ନତତ୍ତ୍ବ ବିଭାଗ।

ଏ ସମ୍ପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି ଯେ ମରାମତି ପାଇଁ ପଥର ଆବଶ୍ୟକ ବୋଲି ସେଭଳି କିଛି ଜଣାଇନଥିଲା ପ୍ରତ୍ନତତ୍ତ୍ବ ବିଭାଗ। ଗତକାଲି କିନ୍ତୁ ଏକ ଚିଠି ଆମ ହସ୍ତଗତ ହୋଇଛି। ଯେଉଁଥିରେ ମା’ ବିମଳା, ମହାଲକ୍ଷ୍ମୀ ଓ ମେଘନାଦ ପାଚେରି ମରାମତି ପାଇଁ ଖୋଣ୍ଡେଲାଇଟ୍‌ ପଥର ଆବଶ୍ୟକ ବୋଲି ଉଲ୍ଲେଖ କରିଛି। ଆବଶ୍ୟକ ଖୋଣ୍ଡେଲାଇଟ୍‌ ପଥର ଖୋର୍ଦ୍ଧା ଜିଲ୍ଲାର ନରଣଗଡ଼ରେ ମିଳୁଥିବାରୁ ଏ ସମ୍ପର୍କରେ ଓଏମ୍‌ସିକୁ ଆମେ ଚିଠି କରିବୁ ବୋଲି ଶ୍ରୀ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର