ମା ବିରଜାଙ୍କ ଷୋଡ଼ଶ ଉପଚାର ପୂଜା

ଗଡ଼ୁଛି ବିଜୟା ରଥ

ଯାଜପୁରସଦର : ଦଶହରା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଷୋଡ଼ଶ ଉପଚାର ପୂଜା ଓ ବିଜୟା ରଥଯାତ୍ରା ଚାଲିଛି। ଯାଜପୁର ଏକମାତ୍ର ଶକ୍ତିପୀଠ ଭାବେ ଏହି ରଥଯାତ୍ରା ପରମ୍ପରା ଚାଲିଆସୁଛି। ଚଳିତ ବର୍ଷ କୋଭିଡ୍‌ କଟକଣା ପାଇଁ ବିନା ଭକ୍ତରେ ପାଳନ ହେଉଛି ରଥଯାତ୍ର। ପ୍ରତିଦିନ ସେବାୟତମାନେ ମାଙ୍କ ବିଜୟା ରଥକୁ ଟାଣୁଛନ୍ତି।

ଦଶହରା ନବଦିନାତ୍ମକ ପୂଜା ଅବସରରେ ଭାରତର ୫୧ଟି ଶକ୍ତିପୀଠ ମଧ୍ୟରୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରଥଯାତ୍ରା ଭଳି ସ୍ୱତନ୍ତ୍ର ପରମ୍ପରା ଚାଲିଆସିଛି। ଏହା ପ୍ରତିପଦ୍‌ଠାରୁ ଆରମ୍ଭ ହୋଇ ମହାନବମୀ ପର୍ଯ୍ୟନ୍ତ ଚାଲିଥାଏ। ରଥରେ ମାଙ୍କ ଚଳନ୍ତି ପ୍ରତିମା ରଥାରୂଢ଼ା ହୋଇ ୯ ଦିନ ଧରି ପ୍ରତିଦିନ ରଥ ପରିକ୍ରମା କରିଥାନ୍ତି। ମାଙ୍କ ରଥ ସିଂହଧ୍ୱଜର ସାରଥି ହେଉଛନ୍ତି ସ୍ୱୟଂ ବ୍ରହ୍ମା। ଏଥିରେ ରହିଛି ୧୨ଟି ଚକ। ଏହି ରଥ ୧୪ ହାତ ୪ ଆଙ୍ଗୁଠି ଲମ୍ବ, ୧୧ ହାତ ୯ ଆଙ୍ଗୁଠି ଓସାର ଏବଂ ୩୬ ହାତ ୧୬ ଆଙ୍ଗୁଠି ଉଚ୍ଚତା ବିଶିଷ୍ଟ। ଏହି ରଥରେ ଲାଗିଛି ୮୯୮ ଖଣ୍ଡ କାଠ।
ରଥଯାତ୍ରା ଅବସରରେ ଶାସନ ବ୍ରାହ୍ମଣମାନେ ୯ ଦିନ ଧରି ପବିତ୍ର ବୈତରଣୀରୁ ଜଳ ନେଇ ମାଙ୍କୁ ସ୍ନାନ କରାଇଥାନ୍ତି। ପ୍ରଥମ ଦିନରେ ଯଜ୍ଞ ମଣ୍ଡପରେ ରଥ ପ୍ରତିଷ୍ଠା କାର୍ଯ୍ୟ ପରେ ସମସ୍ତ ଦେବତା, ଅଧିଦେବତା ଏବଂ ପ୍ରତିଷ୍ଠା ମନ୍ତ୍ରରେ ୧୦୮ ଥର ସମିଧ, ଚରୁ, ଅର୍ଘ୍ୟର ଆହୁତି ହୋଇଥାଏ। ପୁନଃ ରଥ ଉପରେ ସମସ୍ତ ରକ୍ଷକ ଦେବତା, ଧ୍ୱଜାଦି ପୂଜା, ଦିଗପାଳ ବଳି, ବିଶ୍ୱକର୍ମା ପୂଜନ ଆଦି କାର୍ଯ୍ୟ ସରିବା ପରେ ରଥକୁ ନିର୍ମାଣ କରିଥିବା ନିମାଇଁ ମହାରଣାଙ୍କ ମୁଣ୍ଡରେ ଶିରିପା ବନ୍ଧା ଯାଇଥିଲା।

ଏହା ପରେ ସମସ୍ତ ପୁରୋଧା, ପୂଜକ ଓ ସେବାୟତମାନେ ମନ୍ଦିର ଗର୍ଭଗୃହକୁ ଯାଇ କିଛି ସମୟ ପୂଜା କାର୍ଯ୍ୟ କରିବା ପରେ ମା’ଙ୍କ ବିଜୟ ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ବସାଇଥିଲେ। ସମସ୍ତ ସେବାୟତ ଏକତ୍ର ହୋଇ ନିଜ କାନ୍ଧରେ ବିମାନଟିକୁ ରଥ ନିକଟକୁ ନେଇ ୩ ଥର ରଥ ଚାରିପାଖରେ ପରିକ୍ରମା କରାଇବା ପରେ ମା’ଙ୍କ ବିଜୟ ପ୍ରତିମାକୁ ରଥ ଉପରକୁ ନେଇଥିଲେ। ଏହି ଅବସରରେ ସାଧାରଣ ବେଶ, ଚନ୍ଦନ ବେଶ ଓ ବାଲ୍ୟ ଭୋଗ କରାଯାଉଛି। ପ୍ରତିଦିନ ଅପରାହ୍‌ଣରେ ରଥ ଉପରକୁ ଆର୍ଶାଦଣ୍ଡ, ଛତ୍ର, ତରାସ, ଚାମର ବିଜେ କରିବା ପରେ ରଥଚାଳନା ଆରମ୍ଭ ହେଉଛି। ଆଜି ମାଙ୍କର ଷଷ୍ଠୀ ଓ ସପ୍ତମୀ ପୂଜା ପରେ ଆସନ୍ତାକାଲି ଅଷ୍ଟମୀ ପୂଜା କରାଯିବ। ନବମୀ ଦିନ ନିଶାର୍ଦ୍ଧରେ ମାଙ୍କ ମହାସ୍ନାନ, ‌ଷୋଡ଼ଶ ଉପଚାର ପୂଜା ଓ ବେଶ କରାଯିବା ପରେ ଲାଖବିନ୍ଧା କାର୍ଯ୍ୟକ୍ରମ ରହିଛି। ଏଥିସହ ମାଙ୍କର ଦଶହରା ପୂଜା ଶେଷ ହେବ।

ସମ୍ବନ୍ଧିତ ଖବର