ଯାଜପୁର: କରୋନାଭାଇରସ୍ ମୁକାବିଲା ପାଇଁ ଓଡ଼ିଶାରେ ପ୍ରଥମ ଥର ଯାଜପୁର ଘରୋଇ ବସ ଷ୍ଟାଣ୍ଡରେ ସାନିଟାଜେସନ ବ୍ୟବସ୍ଥା ହାତକୁ ନେଇଥିବା ବେଳେ ବୁଧବାର ଜିଲ୍ଲା ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମାର୍ଚ୍ଚ ୧୮(ବୁଧବାର)ଠାରୁ ଏପ୍ରିଲ ୧୫ ଯାଏଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ।
ମନ୍ଦିର ସେବା ପୂଜାରେ କୌଣସି ପରିବର୍ତନ ହେବନାହିଁ। ଯେଉଁ ସେବାୟତଙ୍କ ପାଳି ଥିବ ସେହି ଦିନ ସେମାନେ ମନ୍ଦିରକୁ ଆସିବେ ଓ ମା’ଙ୍କ ପୂଜା କରିବେ। କୌଣସି ଯାତ୍ରୀ କିମ୍ବା ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲିବ ନାହିଁ। ଆଜି ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ମନ୍ଦିର ସେବାୟତଙ୍କ ସହ ଆଲୋଚନା କରିବା ପରେ ଏପରି ଘୋଷଣା କରିଛନ୍ତି।
ସେହିପରି ଜିଲ୍ଲାରେ ୧୪୪ ଧାରା କୁ କୋହଳ କରା ଯାଇଛି। ଜିଲ୍ଲାରେ ୨୧ ତାରିଖରେ ହେବାକୁ ଥିବା ବାରୁଣୀ ମେଳା ଓ ବୁଡ ସ୍ଥାନ ଏବଂ ଏହାର ପାଖାପାଖି ଅଞ୍ଚଳରେ ୧୪୪ଧାରା ବଳବତ୍ତର ରହିଛି। ତେଣୁ କୌଣସି ପର୍ଯ୍ୟଟକ କିମ୍ବା ଯାତ୍ରୀ ମା’ ବିରଜା ମନ୍ଦିରକୁ ନ ଆସିବାକୁ ନିର୍ଦେଶ ଦିଆ ଯିବା ସହ ବାରୁଣୀ ବୁଡ଼କୁ ନ ଆସିବାକୁ ଅନୁରୋଧ କରାଯାଇଛି। ଏଥିସହିତ ବିରଜା ମନ୍ଦିରକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ଗାଡ଼ିକୁ କୁଆଖିଆ ଠାରୁ ଫେରାଇ ଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି।