ବ୍ରହ୍ମପୁର : ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ୧୭ ଦିନରେ ପହଞ୍ଚିଛି। ମା’ ବାପଘରକୁ ଆସିବାର ଦ୍ବିତୀୟ ଦିନରୁ ଘଟ ପରିକ୍ରମା ଆରମ୍ଭ କରିଥିବା ବେଳେ ଇତି ମଧ୍ୟରେ ପୁରୁଣାବ୍ରହ୍ମପୁର ଅଞ୍ଚଳର ସମୁଦାୟ ୧୦୬ଟି ସାହି ପରିକ୍ରମା ପରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଘଟ ପରିକ୍ରମା। ଯାତ୍ରା ଆରମ୍ଭରୁ କେବଳ ସଂକ୍ରାନ୍ତି ଦିନ ମା’ ବିଶ୍ରାମ ନେଇଥିବା ବେଳେ ଅନ୍ୟ ସମସ୍ତ ଦିନ ସାହି ପରିକ୍ରମା କରିଥିଲେ। ଦୋଳି, ବିଞ୍ଚଣା, ଶିବରୂଢ଼ାକଳୀ, ଜ୍ବାଳାମୁଖୀ ଭଳି କିଛି ହାତଗଣତି ରଥ ବାହୁରୁଥିବା ସାହିକୁ ଛାଡ଼ିଦେଲେ ଦ୍ବିତୀୟ ଥର ପାଇଁ ଯେଉଁ ସାହିକୁ ଯାଉଛନ୍ତି ତାହା ମା’ଙ୍କ ଚଳିତଯାତ୍ରାର ଶେଷ ଘଟ ପରିକ୍ରମା ବୋଲି ଜଣାପଡିଛି।
ପୂର୍ବ ବର୍ଷମାନଙ୍କରେ ଯାତ୍ରା ଆରମ୍ଭର ୧୫ ଦିନ ପରେ ଭକ୍ତଙ୍କ ଭିଡ଼ ହେଉଥିବା ବେଳେ ଚଳିତ ବର୍ଷ ଆରମ୍ଭରୁ ହିଁ ଭକ୍ତଙ୍କ ଭିଡ଼ ଲାଗି ରହିଛି। ପ୍ରତିଦିନ ହଜାର ହଜାର ଭକ୍ତ ମା’ଙ୍କୁ ଦର୍ଶନ କରିବା ସହ ମାନସିକ ବେଶଧାରୀଙ୍କ ଭିଡ଼ ବି ଜମୁଛି। ତେବେ ସହରରେ ପ୍ରବଳ ଗରମ ଓ ଗୁଳୁଗୁଳି ଲାଗି ରହିଥିବା ଯୋଗୁଁ ମଧ୍ୟାହ୍ନରେ ଯାତ୍ରାଞ୍ଚଳ ସାମାନ୍ୟ ଫାଙ୍କା ରହୁଛି। ଅପରାହ୍ଣ ୪ଟା ଠାରୁ ଆରମ୍ଭ କରି ମା’ଙ୍କ ଘଟ ପରିକ୍ରମା ସାରି ଅସ୍ଥାୟୀ ମଣ୍ଡପରେ ପହଞ୍ଚିବା ପର୍ଯ୍ୟନ୍ତ ଭକ୍ତଙ୍କ ସୁଅ ଛୁଟୁଛି।
ଗୁରୁବାର ଭୋର ୫ଟାରୁ ମା’ଙ୍କ ସମସ୍ତ ଦେବନୀତି ସମାପନ କରାଯାଇ ଭକ୍ତମାନଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ଦୈନନ୍ଦିନ ଭୋଗରାଗ ପରେ ସ˚ଧୢା ସାଢେ଼ ୭ଟାରୁ ରାତି ୮ଟାପର୍ଯ୍ୟନ୍ତ ମା’ଙ୍କ ଘଟ ପ୍ରସ୍ତୁତି ସହ ଟାହିଆ ଭିଡ଼ା ପରେ ରାତି ୮ଟା୪୦ରେ ମା’ ଅସ୍ଥାୟୀ ପୀଠରୁ ସାହି ପରିକ୍ରମାରେ ବାହାରିଥିଲେ। ମା’ଅସ୍ଥାୟୀ ମଣ୍ଡପରୁ ରାଜବାଟୀ ଯାଇ ସେଠାରୁ ବଡ଼ବଜାର ହୋଇ ପାଟରା ସାହି, ଜେମି ସାହି, ମଙ୍ଗଳବାରପେଟା ସାହି, ଇଲୁବାରୀ ସାହି, ଚନ୍ଦ୍ରମା ସାହି ପରିକ୍ରମା କରି ବଡ଼ବଜାର ନଡ଼ିଆ ଗୋର୍ଜ୍ଜି ଦେଇ ଦେଶୀବେହେରା ସାହି ସ୍ଥିତ ଅସ୍ଥାୟୀ ମଣ୍ଡପରେ ପ୍ରବେଶ କରିଥିଲେ। ମୁଖ୍ୟଘଟକୁ ଦେଶୀବେହେରାଙ୍କ ଭଉଣୀ ଶାନ୍ତି ବହନ କରିଥିବା ବେଳେ ପାର୍ଶ୍ବ ଘଟକୁ ଡେରା ସ˚ପ୍ରଦାୟର ମହିଳାମାନେ ବହନ କରିଥିଲେ।