ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶା ତଥା ବ୍ରହ୍ମପୁରର ଆରାଧ୍ୟା ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାକୁ ନେଇ ଗତ ଦୁଇଦିନ ଧରି ଚାଲିଥିବା ଦ୍ବନ୍ଦ୍ବର ଅବସାନ ଘଟିଛି। ବିଧାୟକ, ପ୍ରଶାସନ ଓ ଯାତ୍ରା ପରିଚାଳକଙ୍କ ମଧ୍ୟରେ ହୋଇଥିବା ସମନ୍ବୟ ବୈଠକରେ ଆପୋଷ ଆଲୋଚନା ପରେ ମା’ଙ୍କ ଯାତ୍ରା ନେଇ ବାଟ ଫିଟିଛି।
ମୂଳରୁ ପ୍ରଶାସନ ମାଙ୍କ ଯାତ୍ରା ପାଇଁ ୭ ଦିନର ଅନୁମତି ଦେଇଥିବା ବେଳେ ଯାତ୍ରା ପରିଚାଳକ ୨୧ ଦିନ ପାଇଁ ଅନୁମତି ମାଗିଥିଲେ। ଏହାକୁ ନେଇ ଦ୍ବନ୍ଦ୍ବ ଦେଖାଦେବା ସହ ୧୯ ତାରିଖ ଦିନ ହେବାକୁ ଥିବା ଶୁଭଖୁଣ୍ଟି ସ୍ଥାପନକୁ ସ୍ଥଗିତ ରଖାଯାଇଥିଲା। ଆଜି ଅନୁଷ୍ଠିତ ବୈଠକରେ ପ୍ରାଥମିକ ପର୍ଯ୍ୟାୟରେ ୭ ଦିନ ପାଇଁ ପ୍ରଶାସନ ଦେଇଥିବା ଅନୁମତିକୁ ଯାତ୍ରା ପରିଚାଳକ ରାଜି ହେବା ସହ ଆସନ୍ତାକାଲି ଶୁଭଖଣ୍ଟି ସ୍ଥାପନ କରାଯିବ ବୋଲି ଯାତ୍ରା ପୁରୋଧା ପି. ଦୁର୍ଗାପ୍ରସାଦ ଦେଶୀବେହେରା ଘୋଷଣା କରିଛନ୍ତି।