ବ୍ରହ୍ମପୁର : ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରର ନବକଳେବର କାର୍ଯ୍ୟ ତୁରନ୍ତ ଆରମ୍ଭ ହେବ। ଏନେଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଥିବା ବେଳେ ମନ୍ଦିରର ଉନ୍ନତୀକରଣ ଓ ଚାରିକଡ଼ରେ ହେବାକୁ ଥିବା ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ନିମନ୍ତେ ଅର୍ଥ ଖୁବ୍‌ଶୀଘ୍ର ଘୋଷଣା ହେବାର ସମ୍ଭାବନା ରହିଛି।

Advertisment

ଆଜି ସଂଧ୍ୟାରେ ମା’ଙ୍କ ପ୍ରସିଦ୍ଧ ଦ୍ବିବାର୍ଷିକ ଯାତ୍ରା ଚାଲିଥିବା ବେଳେ ଅସ୍ଥାୟୀ ମଣ୍ତପରେ ମା’ଙ୍କୁ ଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ତିଆନ୍‌। ଦର୍ଶନ ସାରି ମା’ଙ୍କ ନିଜସ୍ବ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରି ସ୍ଥିତି ଅନୁଧ୍ୟାନ କରିବା ସହ ମନ୍ଦିର ପରିସରରେ ହେବାକୁ ଥିବା ନବୀକରଣ ଓ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟର ନକ୍ସା ଦେଖିଥିଲେ। ମନ୍ଦିର ପାର୍ଶ୍ବରେ କେତେ ଜବରଦଖଲ ରହିଛି ଏବଂ କେତେ ଖୋଲା ଜାଗା ରହିଛି ତାହା ପଚାରି ବୁଝିଥିଲେ। ମନ୍ଦିର ଉନ୍ନତୀକରଣ ହେଲେ ଚାରିପାର୍ଶ୍ବରେ ଥିବା ପ୍ରାୟ ୩୦ଟି ଘରର ଲୋକେ ପ୍ରଭାବିତ ହେବେ। ସେମାନଙ୍କୁ ମନ୍ଦିର ନିକଟରେ ଥିବା ସରକାରୀ ଜାଗାରେ ୩ମହଲା ବିଶିଷ୍ଟ କୋଠା କରି ଅବସ୍ଥାପିତ କରାଯିବା ନେଇ ଯେଉଁ ନିଷ୍ପତ୍ତି ହୋଇଛି ତାହାର ସବିଶେଷ ତଥ୍ୟ ନେଇ ଆଲୋଚନା କରିଥିଲେ। ଆଲୋଚନା ଅବସରରେ ମନ୍ଦିର ନବୀକରଣ ଓ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟରେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ଉପରେ ମଧ୍ୟ ସେ ଗୁରୁତ୍ବ ଦେଇଥିଲେ।

୫-ଟି ସଚିବଙ୍କ ଗସ୍ତ ବେଳେ ବ୍ରହ୍ମପୁର ସା˚ସଦ ଚନ୍ଦ୍ରଶେଖର ସାହୁ, ମେୟର ସ˚ଘମିତ୍ରା ଦଳାଇ, ଡେପୁଟି ମେୟର ଇ. ବିବେକ ରେଡ଼ୀ, ବିଜେଡ଼ି ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟାଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତି ଭାସନ, ବ୍ରହ୍ମପୁର ଏସ୍‌ପି ଡା. ଶରବଣା ବିବେକ ଏମ୍‌ ପ୍ରମୁଖ ଉପସ୍ଥିତ ଥିଲେ।