ମା’ ଚଣ୍ଡେଶ୍ବରୀ ଲୋକ ଉତ୍ସବ ଉଦ୍‌ଘାଟିତ

ସଇଁତଳା: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଡାକବଙ୍ଗଳାଠାରେ ଚଳିତ ବର୍ଷ ମା’ ଚଣ୍ଡେଶ୍ବରୀ ଲୋକ ଉତ୍ସବ ଉଦ୍‌ଘାଟିତ ହୋଇଛି। ଦୁଇଦିନ ଧରି ଚାଲିବାକୁଥିବା ଏହି ଲୋକ ଉତ୍ସବରେ ବିଭିନ୍ନ ଅଂଚଳର କଳାକାରମାନେ ଯୋଗଦାନ କରୁଛନ୍ତି। ଶନିବାର ଦିନ ୧୦ଟା ସମୟରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ପୂର୍ବ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ ମୁଖ୍ୟ ଅତିଥି, ଗୁରୁ ଘାସିରାମ ମିଶ୍ର ମୁଖ୍ୟ ବକ୍ତା, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ଭୋଇ, ସମାଜସେବୀ ମଦନଲାଲ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଲୋକ ଉତ୍ସବ କମିଟି ସଭାପତି ଭୀମସେନ ସ୍ବାଇଁ ଓ ସମ୍ପାଦକ ପ୍ରମୋଦ ବୈଠାରୁ ମଂଚାସୀନ ଥିଲେ। ମୁଖ୍ୟ ବକ୍ତା ଶ୍ରୀ ମିଶ୍ର ଲୋକ ଉତ୍ସବ ଦ୍ବାରା ଅଂଚଳରୁ ବିଲୁପ୍ତ ହୋଇଯାଉଥିବା ଲୋକ ସଂସ୍କୃତି, ପରମ୍ପରାକୁ ପୁନଃ ଜାଗ୍ରତ କରାଯାଇପାରିବ ବୋଲି କହିଥିଲେ।

ସଭାରେ ଅଂଚଳର ବହୁ କଳାକାର, ସମାଜସେବୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଡା. ବିଶ୍ବଜିତ ମିଶ୍ର ଧନ୍ୟବାଦ ଦେଇଥିଲେ। ସାନ୍ଧ୍ୟ ଅଧିବେଶନରେ ଶ୍ରୀ ସିଂହ ଭୋଇ ମୁଖ୍ୟ ଅତିଥି, ବ୍ଲକ୍‌ ଅଧ୍ୟକ୍ଷା ମୋନିକା ସିଂହ ଭୋଇ, ଟିଟିଲାଗଡ଼ ପୌରାଧ୍ୟକ୍ଷା ମମତା ଜୈନ, ଜିଲ୍ଲା ପରିଷଦ ସଦସ୍ୟ ହିମାଂଚଳ ବୁଡ଼େକ, ସମାଜସେବୀ ନବୀନ ଜୈନ, କିଷନ ଅଗ୍ରୱାଲ, ନବରଙ୍ଗପୁରର ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ ନାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅଞ୍ଚଳର ବିଭିନ୍ନ ସାଂସ୍କୃତିକ ଦଳ ଏବଂ ବାହାର ଜିଲ୍ଲାରୁ ଆସିଥିବା ସାଂସ୍କୃତିକ ଦଳ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରବିବାର ସନ୍ଧ୍ୟାରେ ଲୋକ ଉତ୍ସବର ଉଦଯାପିତ ହେବ ବୋଲି ସଭାପତି ଭୀମସେନ ସ୍ବାଇଁ କହିଛନ୍ତି।

ସମ୍ବନ୍ଧିତ ଖବର