ବୀରଗୋବିନ୍ଦପୁର ଶାସନର ଶେଷ ଭାଗରେ ଅଧିଷ୍ଠିତା ମା’ ଦକ୍ଷିଣକାଳୀଙ୍କୁ ସ୍ବୟଂ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ଅବତାର ଭାବେ ବିଚାର କରାଯାଏ। ଏଠାରେ ନୀତିକାନ୍ତି ମଧ୍ୟ ଶ୍ରୀମନ୍ଦିରର ନୀତିକାନ୍ତି ସହ ସମକକ୍ଷ। ପୂଜକ କାଶୀନାଥ ମିଶ୍ରଙ୍କ ସୂଚନା ମୁତାବକ, ୧୬୩୮ ମସିହାରେ ପୁରୀର ତତ୍କାଳୀନ ଗଜପତି ଗୋବିନ୍ଦ ବିଦ୍ୟାଧର ଏହି ବୀରଗୋବିନ୍ଦରପୁର ଶାସନ ପ୍ରତିଷ୍ଠା କରିଥିଲେ। କନୌଜରୁ ବ୍ରାହ୍ମଣ ଅଣାଇ ନୀତିକାନ୍ତି ଖଞ୍ଜାଇଥିଲେ। ମା’ ପ୍ରଥମେ ବଉଳଗଛରେ ବିଦ୍ୟମାନ ଥିଲେ। ପରେ ଗ୍ରାମର ମହାଜନମାନେ ଚାଳି ଘର ନିର୍ମାଣ କରିଥିଲେ। ପରେ ମନ୍ଦିର ପ୍ରତିଷ୍ଠା ହେଲା। ୧୯୮୨ ମସିହାରେ ଜଣେ ଭକ୍ତଙ୍କ ଦେହରେ ମା’ ବିଜେ କରିବା ପରେ ଯାହା କହିଥିଲେ ତାହା ଘଟିଚାଲିଛି।
ବଳିଦୃଷ୍ଟି ମା’ ଦକ୍ଷିଣକାଳୀ, ୧୯୮୨ରେ ଭକ୍ତଙ୍କ ଦେହରେ ମା’ ବିଜେ ହୋଇଥିଲେ
କାର୍ତ୍ତିକ ମାସ କୃଷ୍ଣପକ୍ଷ ଦ୍ବିତୀୟା ତିଥିରେ ଶ୍ମଶାନରୁ ମାଟି ଅନୁକୂଳ ହୋଇ ମା’ଙ୍କ ମୃଣ୍ମୟ ମୂର୍ତ୍ତି ତିଆରି ଆରମ୍ଭ ହୋଇଥିଲା। ମା’ ଭୈରବୀ ବେଶରେ ପୂଜା ପାଆନ୍ତି। ମାତ୍ର ରାଜରାଜେଶ୍ବରୀ ବେଶରେ ଦର୍ଶନ ଦିଅନ୍ତି। ରବିବାର ଅପରାହ୍ଣରେ ମାଙ୍କ ମୃଣ୍ମୟ ମୂର୍ତ୍ତିରେ ଗଣ୍ଡି-ମୁଣ୍ଡ ସଂଯୋଗ ହୋଇ ଶ୍ମଶାନରୁ ଆସିଥିବା ମାଟିରେ ପ୍ରଲେପ ଦିଆଯାଇଛି। ୨୦ ତାରିଖରେ ନିଶାର୍ଦ୍ଧରେ ମା’ଙ୍କର ସାମ୍ବତ୍ସରିକ ତଥା ଗୁପ୍ତ ପୂଜା, ତନ୍ତ୍ର ପୂଜା ଓ ନିଶାର୍ଦ୍ଧ ପୂଜା ଅନୁଷ୍ଠିତ ହେବ। ୨୧ ତାରିଖ ସକାଳ ୭ଟାରେ ମା’ଙ୍କ ବିସର୍ଜନ ହୋମ ଅନୁଷ୍ଠିତ ହେବ। ସେଇଦିନ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତ ଦର୍ଶନ ସହ ଭୋଗ ଅର୍ପଣ କରିପାରିବେ। ଏଠାରେ ଥିବା ଯନ୍ତ୍ରକୁ ତନ୍ତ୍ର ତଥା ବାମାଚାର ପଦ୍ଧତିରେ ପୂଜା କରାଯାଏ। ତେଣୁ ଯାହାର ଅଭିଷ୍ଟ ଥିଲେ ତାହା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି। ମା’ ଦକ୍ଷିଣକାଳୀଙ୍କର ବଳି ଦୃଷ୍ଟି। ଅର୍ଥାତ ସେ ବଳିକୁ ଚାହିଁଥାଆନ୍ତି। ତେଣୁ ମା’ ଯେତିକି ଶାନ୍ତ ସେତିକି ଉଗ୍ର। ମା’ଙ୍କ ନୀତକାନ୍ତି ଅଲୌକିକ। ମା’ ଉକ୍ତ ଦିନ ମହାଭୈରବୀ ବେଶ ହେବେ। ତେବେ ପରବର୍ତ୍ତୀ ସମୟରେ ମା’ ରାଜରାଜେଶ୍ବରୀ ବେଶରେ ଭକ୍ତଗଣକୁ ଦର୍ଶନ ଦେବେ। ଏ ବେଶ ଦର୍ଶନ ଅତ୍ୟନ୍ତ ଦୁର୍ଲଭ। ମା’ଙ୍କର ଅତିପ୍ରିୟ ମହାପ୍ରସାଦ। ମହାପ୍ରସାଦ ପରେ ପୋଡ଼ାବଳି ପାଇଁ ମାଛକୁ ତେଲ, ମସଲା ଦେଇ କଦଳୀପତ୍ରରେ ପୋଡ଼ାଯିବା ପରେ ପୋଡ଼ାବଳି ଦିଆଯାଏ। ମାଛର ମୁଣ୍ଡଟି ଭାଙ୍ଗି ଉତ୍ସର୍ଗ କରାଯାଏ। ଯଦିଓ ପୂର୍ବରୁ ଏଠାରେ ବଳି ପ୍ରଥା ପ୍ରଚଳିତ ଥିଲା। ଶହଶହ ବୋଦା ବଳି ଦିଆଯାଉଥିଲା। କିନ୍ତୁ ଉଚ୍ଚ ନ୍ୟାୟାଳୟର ଅଙ୍କୁଶ ପରେ ୨୦୧୫ ମସିହା ପରଠୁ କେବଳ ବିଧି ରକ୍ଷା ପାଇଁ ବଳି ଦିଆଯାଉଛି।