ଦକ୍ଷିଣକାଳୀ ପୀଠ ବିବାଦ : ଗାଁ ଚାରିପାଖରେ ୧୪୪

ପୁରୀ/ସାକ୍ଷୀଗୋପାଳ : ବୀରଗୋବିନ୍ଦପୁର ମା’ ଦକ୍ଷିଣକାଳୀଙ୍କ ପୂଜାର ପ୍ରଥମ ପର୍ବ ମାଟି ପୂଜା ଶେଷ ହୋଇଛି। ସକାଳ ୮ଟା ବେଳେ ଶୋଭାଯାତ୍ରାରେ ଅଠେଇସା ଶ୍ମଶାନରୁ ମାଟି ଆସିଛି। ପୂଜକ ଅଗାଧୁ ଦୀକ୍ଷିତଙ୍କ ସହ ପାଖାପାଖି ୨୫୦ ଗ୍ରାମବାସୀ ଶୋଭାଯାତ୍ରାରେ ଏହି ମାଟି ଆଣିଛନ୍ତି। ପ୍ରଫୁଲ୍ଲ ଦୀକ୍ଷିତଙ୍କ ନେତୃତ୍ଵରେ ଘଣ୍ଟ, ଘଣ୍ଟା, ଛତା ସହ ଗ୍ରାମବାସୀ ହରିବୋଲ, ହୁଳହୁଳି ଦେଇ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ପୂଜକ ଅଗାଧୁ ଦୀକ୍ଷିତ ସକାଳେ ସଂକଳ୍ପ କରିବା ପରେ ଏକାଗ୍ରତାର ସହ ବାହାରିଛନ୍ତି। ସେ ମନ୍ଦିରରେ ରହିବା ସହ ହବିଷ୍ୟ ପାଳନ ଆରମ୍ଭ କରିଛନ୍ତି। ଅନ୍ୟପଟେ ପୁରୁଣା ପୂଜକଙ୍କୁ ତୀବ୍ର ବିରୋଧ ହେଉଥିବାରୁ ଗାଁ ଚାରିପାଖରେ ୧୪୪ ଧାରା ଜାରି କରାଯାଇଛି। ବୀରଗୋବିନ୍ଦପୁର ମା’ ଦକ୍ଷିଣକାଳୀଙ୍କ ପୀଠ ଇତିହାସରେ ଏଭଳି ୧୪୪ ଧାରା ଜାରି ହୋଇ ପୂଜା ହେବା ପ୍ରଥମ ଘଟଣା ବୋଲି କୁହାଯାଉଛି।

ମାଟି ପୂଜା ସମୟରେ ଥାନା ଭାରପ୍ରାପ୍ତ ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀଙ୍କ ନେତୃତ୍ଵରେ ସଶସ୍ତ୍ର ପୁଲିସ ଜଗି ରହିଥିଲେ। ପର୍ବ ସରିବା ପରେ ଗ୍ରାମରେ ଉପଜିଲ୍ଲାପାଳ ମଧୁସୂଦନ ଦାଶ, ଏସ୍‍ଡିପିଓ ଦିଲ୍ଲୀପ ତ୍ରିପାଠୀ, ତହସିଲଦାର ବିନୋଦ ସ୍ୱାଇଁ, ବିଡ଼ିଓ କଣ୍ଡୁରୀ ପ୍ରଧାନ, ଦେବତ୍ତୋର ନିରୀକ୍ଷକ ଶିବ ନାରାୟଣ ପଣ୍ଡା ପ୍ରମୁଖ ପହଞ୍ଚିଥିଲେ। ହାଇକୋର୍ଟଙ୍କ ମୁତାବକ ପୁରୁଣା ପୂଜକ ଗିରିଶ ଚନ୍ଦ୍ର ବାନାର୍ଜୀ(କାରୁ ନନା) ମଧ୍ୟ ପୂଜା କରିବାର ସମାନ ସୁଯୋଗ ପାଇବାକୁ ହକଦାର। ଏଣୁ ତାଙ୍କୁ ପୂଜା କରିବାକୁ ସୁଯୋଗ ଦେବା ପାଇଁ ଉପଜିଲ୍ଲାପାଳ ଗ୍ରାମବାସୀଙ୍କ ସହ ବୈଠକ କରିଥିଲେ। ଏହା ପୂର୍ବରୁ ମହିଳାମାନେ ପ୍ଲାକାର୍ଡ଼ ଧରି ଗାଁ ମୁଣ୍ଡରେ ଧାରଣା ଦେଇଥିଲେ। କାରୁନନାଙ୍କୁ ଏଠାରେ ପୂରାଇ ଦିଆ ନଯାଉ ବୋଲି ସେମାନେ ଦାବି କରିଥିଲେ। ଦୀର୍ଘ ୩ ଘଣ୍ଟା ଧରି ଗ୍ରାମବାସୀଙ୍କ ସହ କାରୁନନା ବସି ଆଲୋଚନା ହୋଇଥିଲେ ମଧ୍ୟ ଫଳ ଶୂନ ହୋଇଥିଲା। ଗ୍ରାମ ଭିତରେ କାରୁନନା ପଶିପାରିବେ ନାହିଁ ବୋଲି ସେମାନେ ଜିଦ୍‍ ଧରିବାରୁ ବାଇପାସ୍‍ ରାସ୍ତା ଦେଇ ପୁଲିସ୍‍ ସୁରକ୍ଷା ବଳୟ ଭିତରେ ତାଙ୍କୁ ମନ୍ଦିର ପର୍ଯ୍ୟନ୍ତ ଅଣାଯାଇଥିଲା। ସେତେବେଳେ ପହୁଡ଼ ପଡ଼ିଥିଲା। ବାହାରେ କାରୁନନା ଦର୍ଶନ କରିବା ସହ ମା’ଙ୍କୁ ପ୍ରଣିପାତ ହୋଇ ଫେରିଥିଲେ। କାରୁନନାଙ୍କ ବିରୋଧରେ ଖଣ୍ଡେଦୂରରୁ ସ୍ଲୋଗାନ୍‍ ଦିଆଯାଉଥିଲା। ବୈଠକ ବେଳେ କାରୁନନାଙ୍କୁ ମଧ୍ୟ ପ୍ରଶ୍ନ ପଚାରିବାକୁ ସୁଯୋଗ ଦିଆଯାଇଥିଲା। ଗାଁ କୋଠ ପୂଜକ ଅଗାଧୁ ଦିକ୍ଷୀତଙ୍କୁ କାରୁନନା ପଚାରିଥିଲେ, ‘ତୁମେ କଣ ପୂଜା କରିବା ପାଇଁ ସଂକଳ୍ପ କରିଛ?’ ଏହି ପ୍ରଶ୍ନ ଭିତରେ ଏକ ବଡ଼ ପରମ୍ପରା ଲୁଚି ରହିଥିଲା। ସଂକଳ୍ପ କରି ପୂଜା ଆରମ୍ଭ କଲେ ସେହି ପୂଜକ ହିଁ ପୂଜା କରିବ ବୋଲି ପରମ୍ପରା ରହିଛି। ଏଣୁ ହାଇକୋର୍ଟଙ୍କ ଆଦେଶ ସତେ୍ଵ ଆଉ କାରୁନନା ପୂଜା ନ କରିପାରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ପରିସ୍ଥିତିକୁ ଆଖି ଆଗରେ ରଖି ଏହି ଗାଁ ଚାରିପାଖରେ ୧୪୪ ଧାରା ଜାରି କରାଯାଇଛି। ୨୪ ଘଣ୍ଟା ଏଠାରେ ସଶସ୍ତ୍ର ପୁଲିସ୍‍ ବାହିନୀ ମୁତୟନ ହୋଇଛି। ଜାଗାରେ କିଭଳି ଶାନ୍ତି ବଜାୟ ରହିବ ସେ ନେଇ ଏହି ଆରକ୍ଷି ବାହିନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମା’ ଦକ୍ଷୀଣକାଳୀଙ୍କ ପୀଠ ଇତିହାସରେ ପ୍ରଥମ କରି ଏଭଳି ଘଟଣା ଘଟୁଛି। ଅନେକେ ଏହାକୁ ମା’ଙ୍କ ଲୀଳା ବୋଲି କହୁଥିବା ବେଳେ ମା’ଙ୍କର ଏଭଳି ଲୀଳାକୁ ନେଇ ଅନେକେ ଶଙ୍କାରେ ରହିଛନ୍ତି। ପୂଜାକୁ ଆଉ ୧୨ ଦିନ ବାକି ରହିଛି। ଏଠାରେ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହେବାକୁ ଯାଉଥିବାରୁ ଏଭଳି ଏକ ବିଚିତ୍ର ପରିସ୍ଥିତି ଭକ୍ତଗଣଙ୍କ ମଧ୍ୟରେ ଏକ ଭିନ୍ନ ଭାବନା ସୃଷ୍ଟି କରିବାକୁ ଯାଉଛି।

ଅନ୍ୟପଟେ ଦୂର୍ଗାମାଧବ କୋଠ(ଗାଁ କୋଠ)ପକ୍ଷରୁ ହାଇକୋର୍ଟ ଯାଇଥିବା ମାମଲାର ପରବର୍ତ୍ତିି ଶୁଣାଣି ୧୨ ତାରିଖ ଦିନ ହେବାକୁ ରହିଛି। ଏହି ଶୁଣାଣି ନିର୍ଣ୍ଣାୟକ ହେବାକୁ ଥିବାରୁ ଏହା ଉପରେ ସମସ୍ତଙ୍କର ନଜର ରହିଛି। ଦୋବତ୍ତୋର କମିଶନଙ୍କ ଆଦେଶକୁ ରଦ୍ଦ କରିବା ପାଇଁ କୋଠ ହାଇକୋର୍ଟ ଯାଇଥିବା ବେଳେ ଏହାକୁ ରଦ୍ଦ କରିବା ତ ଦୂରର କଥା, ବରଂ ଉଭୟଙ୍କୁ ପୂଜା କରିବା ପାଇଁ ଅନ୍ତରୀଣ ଆଦେଶ ହୋଇଛି। ଜଷ୍ଟିସ୍‍ ବିକେ ନାୟକ ଓ ଜଷ୍ଟିସ୍‍ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତିା ଏହା ପରେ ପରେ ଦେବତ୍ତୋର କମିଶନର ମଧ୍ୟ ଅନ୍ୟଏକ ଆଦେଶ ଦେଇଛନ୍ତିି।

ସମ୍ବନ୍ଧିତ ଖବର