ପୁରୀ: ମା’ ମହାକାଳୀଙ୍କୁ ଆବାହନ ପାଇଁ ସଜେଇ ହେଉଛି ଦେବୀ ପୀଠ। ସ୍ବତନ୍ତ୍ର ପୂଜା ସହ ମା’ଙ୍କୁ ମହାକାଳୀ ବେଶରେ ଦର୍ଶନ କରି ଆଶିଷ ଲଭିବା ପାଇଁ ଉତ୍ସୁକ ନେତ୍ରରେ ଚାହିଁ ରହିଛନ୍ତି ଭକ୍ତ। ଶ୍ରୀକ୍ଷେତ୍ରରେ କାଳିକାଦେବୀସାହିରେ ବିରାଜମାନ କରିଥିବା ମା’ ଦକ୍ଷିଣକାଳୀଙ୍କ ପୀଠରେ ଚାଲିଛି ସ୍ବତନ୍ତ୍ର ପ୍ରସ୍ତୁତି। ମା’ ଦକ୍ଷିଣକାଳୀ ସ୍ବୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ବୋଲି ବିବେଚନା କରାଯାଏ। ମା’ ଦକ୍ଷିଣକାଳୀଙ୍କ ସେବକ ଜଗନ୍ନାଥ ପଣ୍ଡାଙ୍କ କହିବା ମୁତାବକ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦକ୍ଷିଣ ତଥା ଡାହାଣ ‌ହାତ ହେଉଛନ୍ତି ମା ଦକ୍ଷିଣକାଳୀ। ମା’ ଅତୀତରେ ଶ୍ରୀମନ୍ଦିର ମଧ୍ୟରେ ଅବସ୍ଥାନ କରିଥିଲେ। ସେତେବେଳେ ତନ୍ତ୍ର ପୂଜାରେ ମା’ଙ୍କୁ ପୂଜାର୍ଚ୍ଚନା କରାଯାଉଥିଲା। ମା’ ମନ୍ଦିର ମଧ୍ୟରେ ଦକ୍ଷିଣମୁଖା ହୋଇ ଅବସ୍ଥାନ କରିଥିଲେ।ପୂର୍ବ ପୁରୁଷମାନଙ୍କଠାରୁ ଶୁଣିଥିବା କଥା ଆଧାରରେ ଶ୍ରୀ ପଣ୍ଡା କୁହନ୍ତି, ବିଶିଷ୍ଟ ଭକ୍ତମାନେ ଗଜପତି ମହାରାଜଙ୍କ ଜରିଆରେ ମା’ ଦକ୍ଷିଣକାଳୀଙ୍କୁ ମନ୍ଦିରରୁ କାଳିକାଦେବୀସାହିକୁ ସ୍ଥାନାନ୍ତର କରିଥିଲେ। ତନ୍ତ୍ର ପୂଜାରେ ସୁରା ଓ ମାଛ ଭୋଗ କରାଯାଉଥିବାରୁ ଭକ୍ତମାନଙ୍କର ଅନୁରୋଧ ରକ୍ଷା କରି ମା’ଙ୍କୁ କାଳିକାଦେବୀସାହିକୁ ସ୍ଥାନାନ୍ତର କରାଯାଇଥିବା ଲୋକଉକ୍ତି ରହିଛି। ମା’ ଶ୍ରୀମନ୍ଦିର ମଧ୍ୟରେ ଦକ୍ଷିଣ ମୁଖା ହୋଇ ବସିଥିଲେ ହେଁ ଏବେ କାଳିକାଦେବୀ ସାହିରେ ସ୍ବତନ୍ତ୍ର ମନ୍ଦିରରେ ପୂର୍ବମୁଖା ହୋଇ ଅବସ୍ଥାନ କରିଛନ୍ତି। ମା’ଙ୍କର ବିଭିନ୍ନ ରୂପ ମନ୍ଦିର ମଧ୍ୟରେ ଶୋଭା ପାଉଛି। ଆଶ୍ବିନରେ ଷୋଳପୂଜା ସମେତ ଚୈତ୍ର ମାସରେ ମା’ଙ୍କର ନବପତ୍ରିକା ପୂଜା ଅନୁଷ୍ଠିତ ହୋଇଆସୁଛି। ଏବେ ମା’ଙ୍କୁ ତନ୍ତ୍ର ପୂଜାରେ ପୂଜା କରାଯାଉନାହିଁ। ମା’ଙ୍କର ବର୍ଷକୁ ୪ଦିନ ଆମିଷ ଭୋଗ ହୋଇଥାଏ। ଷୋଳପୂଜା ସମୟରେ ୭ମୀରୁ ନବମୀ ପର୍ଯ୍ୟନ୍ତ ଆମିଷ ଭୋଗ ହେଉଥିବା ବେଳେ କାଳୀପୂଜା ଦିନ ମଧ୍ୟ ଆମିଷ ଭୋଗ ହେବ। ଅନ୍ନ, ଖେଚେଡ଼ି, ଡାଲି, ସାକେରା, ମହୂର, ବେସର ଆଦି ପ୍ରସ୍ତୁତ କରାଯିବ। ସନ୍ଧ୍ୟା‌ରେ ମା’ଙ୍କ ଦୁର୍ଲଭ ମହାକାଳୀ ବେଶ ଦର୍ଶନର ସୁଯୋଗ ମିଳିବ। ନିଷାର୍ଦ୍ଧରେ ମା’ଙ୍କ ପୂଜାର୍ଚ୍ଚନା ସହ ଶଙ୍ଖୁଡ଼ି ଭୋଗ ପ୍ରସ୍ତୁତ କରାଯିବ।

Advertisment

ଶ୍ରୀପଣ୍ଡା କୁହନ୍ତି, ମା’ ଦକ୍ଷିଣକାଳୀ ହେଉଛନ୍ତି ଶ୍ରୀମନ୍ଦିର ରୋଷଘର ମାଲିକ। ସାତପୁରୀ ଅମାବାସ୍ୟା ପୂର୍ବଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ଆସି ମା’ ଦକ୍ଷିଣକାଳୀଙ୍କୁ ଲାଗି ହେଉଥିବା ବେଳେ ମା’ ଦକ୍ଷିଣକାଳୀଙ୍କ ଆଜ୍ଞାମାଳ ଯାଇ ରୋଷଘରେ ଲାଗି ହୁଏ। ମା’ ନିଜେ ମହାଲକ୍ଷ୍ମୀ, ମହାସରସ୍ବତୀ ଓ ମହାକାଳୀ। ମା’ଙ୍କୁ ଯେବେ ଅତୀତରେ ସ୍ଥାନାନ୍ତର କରାଗଲା ରୋଷଘରେ ଚୁଲି ଜଳିଲା ନାହିଁ। ତେଣୁ ମା’ଙ୍କୁ ପୁନର୍ବାର ବିଶେଷ ନୀତିକାନ୍ତି ସହ ଅମ୍ବାଲୁ ଦେଇ ପୂଜାର୍ଚ୍ଚାନ କରାଯିବା ପରେ ଚୁଲି ଜଳିଥିଲା ବୋଲି ସେ କହିଛନ୍ତି। ମା’ ଦକ୍ଷିଣକାଳୀଙ୍କ ପୀଠକୁ ପ୍ରତିଦିନ ଶ୍ରୀମନ୍ଦିରରୁ ଅମ୍ବାଲୁ ଖଞ୍ଜା ରହିଛି ବୋଲି ସେ କହିଛନ୍ତି।