ଭିତରକନିକାରୁ ୨ଶହ ବର୍ଷର ଦୁର୍ଗା ମୂର୍ତ୍ତି ଚୋରି

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନ ମଧୢରେ ରାଜରାଜୁଡା ସମୟରୁ ୨ଶହ ବର୍ଷ ତଳୁ ପୂଜା ପାଇଆସୁଥିବା ମା’ଦୁର୍ଗାଙ୍କ ମୂର୍ତ୍ତି ଚୋରି ହୋଇଯାଇଛି। କନିକା ରାଜବ˚ଶର ପୁରୋହିତ ପାର୍ବଣ ପୂଜା ପାଇଁ ଜଙ୍ଗଲ ମଧୢକୁ ଯାଇଥିବା ବେଳେ ମୁଗୁନି ପଥରରେ ନିର୍ମିତ ମା’ଙ୍କ ମୂର୍ତ୍ତି ଚୋରି ହୋଇଥିବା ଦେଖିଥିଲେ।

ରାଜରାଜୁଡା ସମୟରେ ଭିତରକନିକା ଜାତୀୟ ଉଦ୍ୟାନର ଭିତରକନିକା ରାଜସ୍ବ ଗ୍ରାମରେ କନିକା ରାଜାଙ୍କର ଶିକାର କୋଠି ଥିଲା। ରାଜା ଅବସର ସମୟରେ ସେଠାକୁ ଶିକାର କରିବାକୁ ଯାଉଥିଲେ। ଏଥିପାଇଁ ଜଙ୍ଗଲ ମଧୢରେ ଶିବ ମନ୍ଦିର ନିର୍ମାଣ କରାଯାଇଥିଲା। ଶିବଲିଙ୍ଗ, ଶିବ ମୂର୍ତ୍ତି ସହିତ ହନୁମାନ, ଗ୍ରାମ ଦେବତୀ ବୁଢୀ ଠାକୁରାଣୀ ଓ ମା’ ଦୁର୍ଗାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା। ୨ ଶହ ବର୍ଷ ତଳୁ ସେଠାରେ ମା’ ଦୁର୍ଗା ପୂଜା ପାଇ ଆସୁଥିଲେ। ସେଠାକୁ ସ୍ଥଳପଥରେ ଯିବାକୁ ବାଟ ନ ଥିବାରୁ ବନବିଭାଗରେ ଅନୁମତି ଆଣି ଭିତରକନିକା ନଦୀ ପାରି ହୋଇ ଯିବାକୁ ପଡିଥାଏ। ନଦୀପାର ପରେ ୪ କିମି ଚାଲି ଚାଲି ଯିବା ପରେ ମନ୍ଦିର ପଡ଼େ। ବନବିଭାଗ ହେପାଜତରେ ଥିବା ମନ୍ଦିରରୁ ୨ଶହ ବର୍ଷ ତଳର ମୂର୍ତ୍ତି କିଏ ଚୋରି କଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚୋରି ହୋଇଥିବା ମୂର୍ତ୍ତିର ଓସାର ଦେଢ ଫୁଟ ଓ ଉଚ୍ଚତା ଅଢେଇ ଫୁଟ ବୋଲି ଜଣାପଡ଼ିଛି।

ପ୍ରତି ସ˚କ୍ରାନ୍ତିରେ ମା’ଙ୍କ ପୂଜା କରୁଥିବା ପୂଜକ ନରେଶ କୁମାର ପତିଙ୍କୁ ପଚାରିବାରୁ ମୂର୍ତ୍ତି ଦୀର୍ଘଦିନ ହେଲା ଚୋରି ହୋଇଯାଇଛି ବୋଲି କହିଛନ୍ତି। ଏ ସ˚ପର୍କରେ ଫରେଷ୍ଟର ବିଜୟ କୁମାର ପାତ୍ରଙ୍କୁ ପଚାରିବାରୁ ରାଜାଙ୍କ ପୂଜକମାନେ ଆମକୁ ନ ଜଣାଇ ଜଳପଥରେ କିପରି ସେଠାକୁ ଯାଇଥିଲେ ବୋଲି ଓଲଟା ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର