ଦ୍ବୈତ ନଗରୀରେ ଦଶହରା: ବର୍ଷା ଛାଡ଼ିଲା ପରେ ମା’ଙ୍କ ଦରବାରରେ ଲକ୍ଷାଧିକ ଲୋକଙ୍କ ଭିଡ, କାଲି ଭସାଣି

ଭୁବନେଶ୍ବର/କଟକ: ନବରାତ୍ରି ସରିଛି। ଦଶହରାର ଉତ୍ସାହ ଜୋର ଧରିଛି। ଆଜି ପୂର୍ବାହ୍ନରେ ବର୍ଷା ଯୋଗୁଁ ପୂଜାମଣ୍ଡପ ଗୁଡ଼ିକରେ ‌ଶ୍ରଦ୍ଧାଳୁ, ଦର୍ଶକଙ୍କ ସଂଖ୍ୟା କମ ଥିଲା ବେଳେ ଅପରାହ୍ନ ଠାରୁ ଭିଡ଼ ବଢ଼ିବାରେ ଲାଗିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ମା’ଙ୍କ ଦରବାରରେ ଭକ୍ତ, ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ଭିଡ଼ ରହିବା ଆଶଙ୍କା କରାଯାଉଛି। ଏହା ପରେ ଆସନ୍ତାକାଲି ମେଲାଣି ନେବେ ମା ଜଗତ ଜନନୀ ଦୂର୍ଗା। ଏଥି ପାଇଁ ରାଜଧାନୀ ଭୁବନେଶ୍ବର ଏବଂ ସିଲଭର ସିଟି‌ କଟକରେ କମିସନରେଟ ପୁଲିସ, ସ୍ଥାନୀୟ ପ୍ରଶାସନ ଓ ପୂଜାକମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଭୁବନେଶ୍ବରରେ ଭସାଣି ପାଇଁ ୧୭ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ। ରାଜଧାନୀରେ ୩ଟି ଭସାଣି କମିଟି ଗଠନ ହୋଇଛି। ଭସାଣି ପାଇଁ ୩ଟି ସ୍ବତନ୍ତ୍ର ରୁଟର ବ୍ୟବସ୍ଥା କରାଯାଇଛି। ଭସାଣୀ ସମୟରେ ଯେପରି ଟ୍ରାଫିକ ସମସ୍ୟା ନ ଉପୁଜିବ ସେଥିପାଇ ପୁଲିସ ସ୍ବତନ୍ତ୍ର ନଜର ରଖିବ। ଭୁବନେଶ୍ବରରେ ଭସାଣି ଦାୟିତ୍ବରେ ୩ ଜଣ ଡସିପି ରହିବେ।

କଟକରେ ଦେବୀଗଡାରେ ମା’ଙ୍କ ପ୍ରତିମୂର୍ତ୍ତି ବିସର୍ଜନ ହେବ। ଏଥି ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଦେବୀଗଡ଼ାରେ ୩ଟି କୁତ୍ରିମ ‌ପୋଖରୀ ସହ ରାସ୍ତା ଘାଟ ସଫା କରାଯାଇଛି। ବିସର୍ଜନସ୍ଥଳୀକୁ ଆଲୋକରକରଣ କରାଯାଇଛି। ସେହିପରି ସର୍ବସାଧାରଣଙ୍କ ପାଇଁ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା ମଧ୍ୟ କରାଯାଇଛି।

କଟକ ମହାନଗର ନିଗମ (ସିଏମ୍‌ସି) ମେୟର ସୁବାଷ ସିଂହ କହିଛନ୍ତି, କାଲି (ଗୁରୁବାର) ସକାଳ ଠାରୁ ମା’ ମେଲାଣି ଅଭିମୁଖେ ଯିବେ। ତେବେ ଏହା ପୂର୍ବରୁ ସମସ୍ତ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟ‌ରେ ପହଞ୍ଚିଛି। କଟକର ୧୭୦ମଣ୍ଡପରୁ ୧୦୦ରୁ ଊର୍ଦ୍ଧ୍ବ ମେଢ଼ ବିସର୍ଜନ ହେବ। ତେଣୁ ଏହି କାର୍ଯ୍ୟପାଇଁ ସିଏମସି ପ୍ରସ୍ତୁତ ରହିବା ସହ ସ୍ୱାସ୍ଥ୍ୟ ବିଭାଗ, ପରିମଳ, ବିଦ୍ୟୁତ ବିଭାଗ, ଜଳ ଯୋଗାଣ ଟିମ ମଧ୍ୟ ଇତ୍ୟାଦି ଦେବୀ ଗଡା ନିକଟରେ ମୁତୟନ ରହିବ, ଯାହା ଦ୍ୱାରା ମାଆ ମେଲାଣି ନେବା ସମୟରେ କୌଣସି ବାଧା ଉପୁଜିବନି।

ସମ୍ବନ୍ଧିତ ଖବର